ଆମେରିକାରେ ମାନିଲେ ଇମ୍ରାନ୍:ପାକ୍ରେ ୪୦ ଆତଙ୍କୀ ସଂଗଠନ ସକ୍ରିୟ

Get real time updates directly on you device, subscribe now.

ୱାସିଂଟନ୍: ପାକିସ୍ତାନକୁ ଆତଙ୍କବାଦୀ ରାଷ୍ଟ୍ର କାହିଁକି କୁହାଯାଉଛି, ତାହାର ଉତ୍ତର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ନିଜେ ରଖିଛନ୍ତି । ୱାସିଂଟନ୍ରେ ଏକ ସଭାକୁ ଉଦ୍ବୋଧନ ଦେବା ବେଳେ ଇମ୍ରାନ୍ ପାକ୍ର ଆତଙ୍କୀ ଚିଠା ଖୋଲିଛନ୍ତି । ଦେଶରେ ଏବେ ବି ୩୦,୦୦୦ରୁ ୪୦,୦୦୦ ଆତଙ୍କବାଦୀ ରହିଥିବା ସେ ସ୍ୱୀକାର କରିବା ସହ ସେମାନଙ୍କ ବିରୋଧରେ ସରକାର ଲଢ଼ୁଥିବା କଥା କହିଛନ୍ତି ଇମ୍ରାନ୍ ।
‘ୟୁଏସ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ପିସ୍’ରେ ଉଦ୍ବୋଧନ ଦେଇ ଇମ୍ରାନ୍ କହିଛନ୍ତି, ପାଖାପାଖି ୩୦,୦୦୦ରୁ ୪୦,୦୦୦ ଆତଙ୍କବାଦୀ ତାଲିମ ପାଇବା ପରେ ସକ୍ରିୟ ଅଛନ୍ତି । ସେମାନଙ୍କ ବିରୋଧରେ ଲଢ଼ିବା ସରକାରଙ୍କ ପାଇଁ ଆହ୍ୱାନ ସଦୃଶ ହୋଇଛି । ତେବେ ପାକିସ୍ତାନର ପୂର୍ବ ସରକାରମାନେ ଆତଙ୍କବାଦୀ କାର୍ଯ୍ୟକଳାପ ବିରୋଧରେ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେଉନଥିଲେ । ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ସେମାନେ ପଛଘୁଞ୍ଚା ଦେଉଥିଲେ । କିନ୍ତୁ ଏବେ ସେନା ସମର୍ଥନରେ ଆମ ସରକାର ଆତଙ୍କୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।
ପାକ୍ଭିତ୍ତିକ ଆତଙ୍କୀ ସଂଗଠନ ଜୈସ୍-ଏ-ମହମ୍ମଦ (ଜେଇଏମ୍) ଭାରତ ବିରୋଧରେ କାର୍ଯ୍ୟ କରୁଥିଲା ଏବଂ ଅନେକ ବାର ଏହା ଭାରତରେ ଆକ୍ରମଣ ଘଟାଇଥିବା କଥା ମଧ୍ୟ ଇମ୍ରାନ୍ ସ୍ୱୀକାର କରିଛନ୍ତି । କିଛି ଆତଙ୍କବାଦୀ ତାଲିମ ପାଇବା ପରେ ଆଫଗାନିସ୍ତାନ ଏବଂ କାଶ୍ମୀରରେ ଲଗାତର ଭାବେ ଆକ୍ରମଣ ଘଟାଇଥିଲେ । କିନ୍ତୁ ପାକ୍ ପୁଲିସ ସେମାନଙ୍କୁ କାବୁ କରିବାକୁ ଅସମର୍ଥ ଥିଲା । ତେଣୁ ସେନା ସହାୟତାରେ ସେମାନଙ୍କୁ ନିରସ୍ତ୍ର କରାଯାଉଛି ।
ଆଉ ଏକ କାର୍ଯ୍ୟକ୍ରମରେ ଇମ୍ରାନ୍ କହିଛନ୍ତି, ପାକିସ୍ତାନରେ ୪୦ ଭିନ୍ନ ଭିନ୍ନ ଆତଙ୍କବାଦୀ ଗୋଷ୍ଠୀ ସକ୍ରିୟ ଥିଲେ । ପାକ୍ ସେମାନଙ୍କ ମୁଖ୍ୟ ଆଶ୍ରୟସ୍ଥଳ ଥିଲା । ସେମାନେ ଏଠାରେ ତାଲିମ ଗ୍ରହଣ କରିବା ପରେ ସେମାନଙ୍କ ଟାର୍ଗେଟ୍ ସ୍ଥିର କରୁଥିଲେ । ବିଗତ ୧୫ ବର୍ଷ ଧରି ଶାସନ କରିଥିବା ସରକାରମାନେ ଏ ସମ୍ବନ୍ଧରେ ଭଲ ଭାବେ ଜାଣିଥିଲେ । କିନ୍ତୁ ଜାଣିଶୁଣି ଆମେରିକାକୁ ସେମାନେ ସତକଥା କହିବାକୁ ପଛଘୁଞ୍ଚା ଦେଉଥିଲେ ।
ପାକ୍ ପ୍ରଧାନମନ୍ତ୍ରୀ କହିଛନ୍ତି, ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଆମେ ଆମେରିକା ସହ କାର୍ଯ୍ୟ କରିଛୁ । ପାକିସ୍ତାନରେ ତାଲିବାନ ଆତଙ୍କବାଦୀ ନଥିଲେ । ଆମେରିକାରେ ୨୦୦୧ ସେପ୍ଟେମ୍ବରରେ ୱାର୍ଲଡ ଟ୍ରେଡ୍ ସେଣ୍ଟର ଉପରେ ହୋଇଥିବା ଆକ୍ରମଣ ପଛରେ ପାକିସ୍ତାନ ଆଦୌ ନଥିଲା । ଆଫଗାନିସ୍ତାନରେ ଅଲ୍-କାଏଦା ଥିଲା । ତେବେ ଆତଙ୍କବାଦ ବିରୋଧରେ ଲଢ଼େଇ ବେଳେ ଆମେରିକାକୁ ପାକିସ୍ତାନ ସହଯୋଗ କରିଥିଲା ।
ନିକଟରେ ଗିରଫ ହୋଇଥିବା ୨୬/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍ ସୟିଦ୍କୁ ପାକ୍ ଜେଲରେ ରଖିବ ନା ମୁକ୍ତ କରିବ, ସେ ବାବଦରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ଇମ୍ରାନ୍ କହିଛନ୍ତି, ଦେଶରେ କୌଣସି ଆତଙ୍କୀକୁ ପ୍ରଶ୍ରୟ ନ ଦେବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି । ପୁଲୱାମା ଆକ୍ରମଣ ସଂକ୍ରାନ୍ତ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଏହା ପଛରେ ଜୈସ୍-ଏ-ମହମ୍ମଦ ଆତଙ୍କୀର ହାତ ଥିବାରୁ ପାକିସ୍ତାନ ଉପରେ ସଙ୍ଗେ ସଙ୍ଗେ ଅଙ୍ଗୁଳି ଉଠିଲା । କିନ୍ତୁ ଏହି ଆକ୍ରମଣରେ ପାକ୍ର ହାତ ନଥିଲା । କାଶ୍ମୀର ଯୁବକଙ୍କ ଦ୍ୱାରା ଏହି ଆକ୍ରମଣ ହୋଇଥିଲା ବୋଲି ଇମ୍ରାନ୍ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons