ଆମେରିକାରେ ୧୭,୫୦୦ କୋଟି ଖଟାଇବ ପେଟ୍ରୋନେଟ୍

Get real time updates directly on you device, subscribe now.

ହୁ୍ୟଷ୍ଟନ:ଶକ୍ତି ସୁରକ୍ଷା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବେ ଭାରତ ଏବଂ ଆମେରିକା । ଉଭୟ ଦେଶ ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ପରସ୍ପର ପାଇଁ ନିବେଶ ସୁଯୋଗ ସୃଷ୍ଟି କରିବେ । ହାଓଡି ମୋଦି କାର୍ଯ୍ୟକ୍ରମର ଅଂଶବିଶେଷ ଶନିବାର ଆମେରିକୀୟ ତୈଳ ଏବଂ ଶକ୍ତି କ୍ଷେତ୍ରର ସିଇଓମାନଙ୍କୁ ଭେଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି । ଏହି ପରିପ୍ରେକ୍ଷୀରେ ଆମେରିକୀୟ ପ୍ରାକୃତିକ ଗ୍ୟାସ କମ୍ପାନି ତେଲୁରିଆନ୍ ଏବଂ ଭାରତୀୟ କମ୍ପାନି ପେଟ୍ରୋନେଟ୍ ଏଲ୍ଏନ୍ଜି ଲିମିଟେଡ୍(ପିଏଲ୍ଏଲ୍) ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି । ଏହି ଏମ୍ଓୟୁ ଅନୁସାରେ ପିଏଲ୍ଏଲ୍ ତେଲୁରିଆନ୍ର ପ୍ରସ୍ତାବିତ ଡ୍ରିଫ୍ଟଉଡ୍ ଏଲ୍ଏନ୍ଜି ଏକ୍ସପୋର୍ଟ ଟର୍ମିନାଲରେ ୨୫୦ କୋଟି ଡଲାର(୧୭,୫୦୦ କୋଟି ଟଙ୍କା) ନିବେଶ କରିବ । ଏହା ବଦଳରେ ତେଲୁରିଆନ୍ ୪୦ ବର୍ଷ ପାଇଁ ବର୍ଷକୁ ୫ ନିୟୁତ ମେଟ୍ରିକ୍ ଟନ୍ ଏଲ୍ଏନ୍ଜି ପିଏଲ୍ଏଲ୍କୁ ଯୋଗାଇବ । ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ଚୁକ୍ତି ଚୂଡ଼ାନ୍ତ ହେବ ।
ଆମେରିକୀୟ ସିଇଓମାନଙ୍କ ସହ ମୋଦିଙ୍କ ଆଲୋଚନା ଅତ୍ୟନ୍ତ ଚମକ୍ରାର ରହିଥିଲା । ଭାରତର ବର୍ଦ୍ଧିତ ଶକ୍ତି ଆବଶ୍ୟକତାକୁ ପୂରଣ କରିବା ପାଇଁ କିପରି ସୁଯୋଗ ସୃଷ୍ଟି କରାଯାଇପାରିବ ତାହା ଉପରେ ସମୀକ୍ଷା କରାଯାଇଥିଲା । ଶକ୍ତି ସୁରକ୍ଷା ଦିଗରେ ଉଭୟ ରାଷ୍ଟ୍ର କାର୍ଯ୍ୟ କରିବାକୁ ସମ୍ମତି ପ୍ରକାଶ କରିଛନ୍ତି । ଉଭୟ ଦେଶ ପରସ୍ପର ପାଇଁ ନିବେଶ ସୁଯୋଗ ବଢ଼ାଇବେ ବୋଲି କହିଛନ୍ତି ।
ବୈଠକ ପରେ ଟୁଇଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ହୁ୍ୟଷ୍ଟନ୍ ଆସିବି ଆଉ ଶକ୍ତି ଉପରେ ଆଲୋଚନା ନ କରିବି ତାହା ଅସମ୍ଭବ । ବହୁ ନାମୀଦାମୀ ଆମେରିକୀୟ ଶକ୍ତି କମ୍ପାନିର ସିଇଓମାନଙ୍କୁ ଭେଟି ମୁଁ ଅତ୍ୟନ୍ତ ଖୁସି । ଏହା ଏକ ଚମକ୍ରାର ବୈଠକ ଥିଲା ।
ବହିଃବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ରବୀଶ କୁମାରଙ୍କ ସୂଚନା ଅନୁସାରେ, ଗୋଲ ଟେବୁଲ ବୈଠକରେ ୧୭ଟି ପ୍ରମୁଖ ଶକ୍ତି କମ୍ପାନିର ସିଇଓମାନେ ଯୋଗ ଦେଇଥିଲେ । ଏହି କମ୍ପାନିଗୁଡିକର ମିଳିତ ନେଟ୍ ସମ୍ପତ୍ତି ୧ ଲକ୍ଷ କୋଟି ଡଲାର ହେବ । ୧୫୦ଟି ରାଷ୍ଟ୍ରରେ ଏମାନଙ୍କ ଉପସ୍ଥିତ ରହିଛି । ବୈଠକରେ ଯୋଗ ଦେଇଥିବା ସମସ୍ତ କମ୍ପାନିଙ୍କର ଭାରତ ସହ କିଛି ନା କିଛି ଯୋଗଦାନ ରହିଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍ଓ) ପକ୍ଷରୁ ପ୍ରମୁଖ ଆମେରିକୀୟ ସିଇଓମାନଙ୍କ ସହ ମୋଦିଙ୍କ ଫଟୋ ଟୁଇଟ୍ କରାଯାଇଛି ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବୈଠକ ଅବସରରେ ସିଇଓମାନେ ଭାରତରେ ଅଣାଯାଇଥିବା ବିଭିନ୍ନ ପ୍ରକାର ଅର୍ଥନୈତିକ ସଂସ୍କାର ପଦକ୍ଷେପକୁ ପ୍ରଶଂସା କରିଥିଲେ । ଇତିମଧ୍ୟରେ ଭାରତ ସରକାରଙ୍କ ପକ୍ଷରୁ କମ୍ପାନି ଟିକସରେ କରାଯାଇଥିବା ହ୍ରାସକୁ ନେଇ ଏମାନେ ଖୁସି ଜାହିର କରିଥିଲେ । ଏହା ଭାରତରେ ବ୍ୟବସାୟିକ ବାତାବରଣକୁ ଅଧିକ ଉକ୍ରୃଷ୍ଟ କରିବ ବୋଲି ଏମାନେ କହିଛନ୍ତି ।
ଭାରତର ଶକ୍ତି କ୍ଷେତ୍ରରେ ପଦଚିହ୍ନ ବଢ଼ାଇବା ପାଇଁ ସିଇଓମାନେ ଆଗ୍ରହ ପ୍ରକାଶ କରିଛନ୍ତି । ଏହାସହିତ ଶକ୍ତି କ୍ଷେତ୍ରକୁ ନିୟନ୍ତ୍ରଣମୁକ୍ତ କରିବା ପାଇଁ ଏମାନେ ଭାରତ ସରକାରଙ୍କୁ ଅନୁରୋଧ କରିଥିବା ଏମ୍ଇଏ ମୁଖପାତ୍ର ପ୍ରକାଶ କରିଛନ୍ତି ।
ବୈଠକ ପରେ ଖବରଦାତାମାନଙ୍କୁ ଉଦ୍ବୋଧନ ଦେଇ ଏୟାର୍ ପ୍ରଡକ୍ଟ୍ସର ସିଇଓ ସେଇଫି ଘାସେମି କହିଛନ୍ତି ଯେ, ଆମେ ଭାରତ ସରକାରଙ୍କୁ କିଛି ପ୍ରସ୍ତାବ ଦେଇଛୁ । ପ୍ରଧାନମନ୍ତ୍ରୀ ମୋଦି ଏହାକୁ ବିଚାରକୁ ନେଇଛନ୍ତି । ହାଇଡ୍ରୋଜେନ୍ ଟେକ୍ନୋଲୋଜି ଉପରେ ପରାମର୍ଶ ଦେଇଥିବା ଘାସେମି କହିଛନ୍ତି । ବୈଠକଟି ସଫଳ ହୋଇଛି । ସିଇଓମାନେ ଏହି ଅବସରରେ କହିଥିଲେ ଯେ, ଭାରତରେ ପର୍ଯ୍ୟାପ୍ତ କୋଇଲା ଅଛି । କିନ୍ତୁ ଏହାର ନିକୃଷ୍ଟମାନର । ଆମେରିକୀୟ ଟେକ୍ନୋଲୋଜି ମାଧ୍ୟମରେ ଉକ୍ତ କୋଇଲାକୁ ସିନ୍ଥେଟିକ୍ ଗ୍ୟାସରେ ପରିବର୍ତ୍ତନ କରିବ ପାଇଁ ସିଇଓମାନେ ଭାରତ ସରକାରଙ୍କୁ ପରାମର୍ଶ ଦେଇଥିବା ଘାସେମି କହିଛନ୍ତି । ଏହି ସିନ୍ଥଟିକ୍ ଗ୍ୟାସ୍କୁ ରସାୟନ ପ୍ରସ୍ତୁତିରେ ବ୍ୟବହାର କରାଯାଇପାରିବ, ଯାହାଦ୍ୱାରା ତୈଳ ଆମଦାନି କ୍ଷେତ୍ରରେ ଭାରତର ନିର୍ଭରତା କମିବ ବୋଲି ସେ କହିଛନ୍ତି ।
ବୈଠକରେ ଏୟାର୍ ପ୍ରଡକ୍ଟସ, ବେକର ହୁ୍ୟଗ୍ସ, ବିପି ପିଏଲ୍ସି, ଚେନିଅର୍ ଏନର୍ଜି, ଡୋମିନିଅନ୍ ଏନର୍ଜି, ଇମର୍ସନ୍ ଇଲେକ୍ଟ୍ରିକ୍ କମ୍ପାନି, ଏକ୍ଜନ୍ମୋବିଲ୍, ପିରୋଟ୍ ଗ୍ରୁପ୍ ଆଣ୍ଡ୍ ହିଲ୍ଉଡ୍, ଆଇଏଚ୍ଏସ୍ ମାର୍କିଟ୍, ଲିଓନ୍ଡେଲ୍ବାସେଲ୍ ଇଣ୍ଡଷ୍ଟ୍ରିଜ୍, ମ୍ୟାକ୍ଡର୍ମୋଟ୍, ସ୍ଲମ୍ବର୍ଗର, ତେଲୁରିଆନ୍ ଇଙ୍କ୍, ଟୋଟାଲ୍ ଏସ୍. ଏ., ଭିନ୍ମାର ଇଣ୍ଟର୍ନ୍ୟାସ୍ନାଲ ଏବଂ ୱେଷ୍ଟଲେକ୍ କେମିକାଲ୍ସର ସିଇଓମାନେ ଉପସ୍ଥିତ ଥିଲେ ।
ଇମର୍ସନ୍ର ସଭାପତି ମାଇକ୍ ଟ୍ରେନ୍ କହିଛନ୍ତି ଯେ, ଭାରତରେ ବ୍ୟବସାୟ କିପରି ଆହୁରି ସହଜ ହେବ ସେଥିପାଇଁ ଆମେ ଅନେକ ସୁପାରିସ୍ ଦେଇଛୁ । ଭାରତରେ ଆମେ ପ୍ରଚୁର ନିବେଶ କରିଛୁ ଏବଂ ଆଗକୁ ମଧ୍ୟ ଜାରି ରଖିବୁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons