
କୋରାପୁଟ,(ସତ୍ୟ ନାରାୟଣ ସାହୁଙ୍କ ରିପୋର୍ଟ): କୋରାପୁଟ ବ୍ଲକ ମସ୍ତିପୁଟ ପଞ୍ଚାୟତ ଅନ୍ତର୍ଗତ ପାହାଡ଼ ଜଙ୍ଗଲଘେରା ଗାଁ ଅମିନଗୁଡ଼ା । ଦେଶୀ ଆମ୍ବ ଓ ଆମ୍ବସଢ଼ା ପାଇଁ ବେଶ ପ୍ରସିଦ୍ଧ ଏ ଗାଁ । ଏଠାରେ ରହୁଛନ୍ତି ୪୨ ପରିବାର । ଗାଁ ନିକଟ ପାହାଡ଼ରେ ପ୍ରଚୁର ଆମ୍ବ ହେଉଥିବାରୁ ପ୍ରତିବର୍ଷ ସେମାନେ ଆମ୍ବସଢ଼ା ପ୍ରସ୍ତୁତ କରି କୋରାପୁଟ ବଜାରରେ ବିକ୍ରି କରିଆସୁଥିଲେ । ଏବର୍ଷ କରୋନା ପାଇଁ ଦେଶୀ ଆମ୍ବ ବେପାର ଗଲା । ଆମ୍ବସଢ଼ା ବେପାର ମଧ୍ୟ ପ୍ରଭାବିତ ହେବ ବୋଲି କହିଛନ୍ତି ଗ୍ରାମବାସୀ ।
ଗ୍ରାମର ଗୋପାଳ ଗୌଡ଼, ଚନ୍ଦ୍ର ମୁଦୁଲି, ସନିଆ ମୁଦୁଲି ପ୍ରମୁଖ କହିଛନ୍ତି , ଗ୍ରାମ ନିକଟ ଶୁଳିଆମାଳି ଓ ଲେଜାମାଳି ଡଙ୍ଗର ଅଞ୍ଚଳରେ ବହୁ ଆମ୍ବଗଛ ରହିଛି । ପ୍ରତିବର୍ଷ ସେମାନେ ଏସବୁ ଅଞ୍ଚଳରୁ ଆମ୍ବ ସଂଗ୍ରହ କରିଥାନ୍ତି । ବଜାରରେ ଦେଶୀଆମ୍ବ ବିକ୍ରିବଟା କମ ରହିଥାଏ । ତେଣୁ ଗାଁର ସମସ୍ତ ପରିବାର ଆମ୍ବସଢା ତିଆରି କରିବାକୁ ଅଧିକ ପସନ୍ଦ କରିଥାନ୍ତି । ବର୍ଷକ ପାଇଁ ନିଜ ଖାଇବା ରଖି ବଳକା କୋରାପୁଟ ବଜାରରେ ବିକ୍ରି କରିଥାନ୍ତି । ଏବର୍ଷ କରୋନା ପାଇଁ କୋରାପୁଟ ବଜାରରେ କଟକଣା ଜାରି ହୋଇଛି । ଲକ୍ଡାଉନ କଟକଣାପାଇଁ ଦୋକାନ କମ୍ ସମୟ ଖୋଲୁଛି । ତେଣୁ ବଜାରରେ ଦେଶୀ ଆମ୍ବର ଚାହିଦା ନାହିଁ । କେବଳ ରାସ୍ତା କଡ଼ରେ ବସିବାରୁ ଯାହାକିଛି ବିକ୍ରି ହେଉଛି । ତେଣୁ ଆମ୍ବସଢ଼ା ପ୍ରସ୍ତୁତିରେ ସେମାନେ ଲାଗି ପଡ଼ିଛନ୍ତିି । ଗାଁର ପ୍ରତି ଘରର ଚାଳ ଉପରେ ଶୁଖୁଛି ଆମ୍ବସଢ଼ା ।
ଆମ୍ବସଢ଼ା ପ୍ରସ୍ତୁତ ପ୍ରଣାଳୀ ମଧ୍ୟ ଏଠାରେ ଭିନ୍ନ । ଅନ୍ୟ ଗାଁରେ ଆମ୍ବସଢ଼ାକୁ ଅଧିକ ମିଠା କରିବାକୁ ଚିନି ଓ ଗୁଡ଼ ଏବଂ ରାଗ କରିବାକୁ କେହି କେହି ଲଙ୍କାଗୁଣ୍ଡ ବ୍ୟବହାର କରିଥାନ୍ତି । କିନ୍ତୁ ଅମିନଗୁଡ଼ାରେ ଏସବୁ କିଛିହେଲେ ବ୍ୟବହାର ହୋଇନଥାଏ । ଏଠାକାର ଆମ୍ବ ଅଧିକ ସ୍ୱାଦିଷ୍ଟ ଓ ମିଠା ହୋଇଥିବାରୁ ସେମାନେ ସଂଗ୍ରହ କରିବା ମାତ୍ରେ ଆମ୍ବସଢ଼ା ପକାଇଥାନ୍ତି । ପ୍ରତିଦିନ ସ୍ତର ପରେ ସ୍ତର ଆମ୍ବରସକୁ ଡଲା କିମ୍ବା ଚାଙ୍ଗୁଡିରେ ପକାଇ ଶୁଖାଇଥାନ୍ତି । ପରେ ଏହାକୁ ବଜାରରେ ବିକ୍ରି କରି ଭଲ ଦି ପଇସା ରୋଜଗାର କରିଥାନ୍ତି । ଦେଖାଯାଉ, ଏବର୍ଷ ବେପାର ଭଲ ହେଉଛି ନା କରୋନା ମାଡ଼ରେ ଯାଉଛି ।
Comments are closed, but trackbacks and pingbacks are open.