ଭୁବନେଶ୍ୱର : ସୁପ୍ରିମକୋର୍ଟ ଅନୁମତି ଦେବା ପରେ ଏବେ ପ୍ରଶାସନ ପ୍ରସ୍ତୁତି ଜୋରଦାର କରିଦେଇଛି। ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପାଇଁ ପୁରୀରେ ପହଞ୍ଚି ମୁଖ୍ୟ ଶାସନ ସଚିବ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ସେହିପରି ପୋଲିସ ମହାନିର୍ଦ୍ଦେଶକ ଅଭୟ ମଧ୍ୟ ପହଞ୍ଚି ପୋଲିସ ବ୍ୟବସ୍ଥାର ସମୀକ୍ଷା ଆରମ୍ଭ କରିଦେଇଛନ୍ତି। ସଂଧ୍ୟା ୫ଟାରେ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆମ ଉପରେ ସାରା ବିଶ୍ୱର ନଜର ରହିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ କରିବା ପାଇଁ ସେ ନିର୍ଦେଶ ଦେଇଛନ୍ତି ।
ରଥଯାତ୍ରା ପାଇଁ ସୁପ୍ରିମକୋର୍ଟ ଅନୁମତି ପ୍ରଦାନ କରିବା ପରେ ସାରା ଓଡ଼ିଶାରେ ଯେମିତି ଖୁସି ଦେଖାଦେଇଥିଲା ସେମିତି ମୁଖ୍ୟମନ୍ତ୍ରୀ ମଧ୍ୟ ଜୟ ଜଗନ୍ନାଥ ଲେଖି ଟ୍ବିଟ କରିଥିଲେ। ତୁରନ୍ତ ସମୀକ୍ଷା ବୈଠକ ଡାକିଥିଲେ। ଏଥିରେ ଭିଡିଓ କନ୍ଫରେନ୍ସିଂରେ ସାମିଲ ହୋଇଥିଲେ ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ ଏବଂ ବରିଷ୍ଠ ସେବାୟତ। ଶାନ୍ତି ଶୃଙ୍ଖଳାରେ କୋଭିଡ ନିୟମ ପାଳନ ସହିତ କେମିତି ରଥଯାତ୍ରା କରାଯିବ ସେନେଇ ସବୁ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପାଇ ତୁରନ୍ତ ପୁରୀ ଗସ୍ତ କରିଥିଲେ ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ମହାନିର୍ଦ୍ଦେଶକ। ପରେ ପରେ ପୁରୀ ବାହାରିଥିଲେ ଆଇନ ମନ୍ତ୍ରୀ। ସେଠାରେ ସ୍ଥିତିର ସମୀକ୍ଷା କରାଯାଇଥିଲା। ଜିଲ୍ଲୀ ପ୍ରଶାସନ ଓ ମନ୍ଦିର ପ୍ରଶାସନ ରଥଯାତ୍ରା କରିବାକୁ ସଂପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଥିଲେ ଜିଲ୍ଲାପାଳ। ରଥଯାତ୍ରା ପାଇଁ ପୂର୍ବରୁ ପ୍ରଶାସନ ସମସ୍ତ ପ୍ରସ୍ତୁତି କରିଥିବାରୁ କିଛି ଅସୁବିଧା ହେବ ନାହିଁ ମୁଖ୍ୟ ଶାସନ ସଚିବ କହିଛନ୍ତି। ସେହିପରି ଭକ୍ତମାନେ ଘରେ ରହି କିଭଳି ରଥଯାତ୍ରା ଦେଖିପାରିବେ ସେଥିପାଇଁ ମଧ୍ୟ ଟିଭିରେ ସିଧା ପ୍ରସାରଣ ବ୍ୟବସ୍ଥା କରିବା ଲାଗି ମଧ୍ୟ ପ୍ରଶାସନ ଆଶ୍ବାସନା ଦେଇଛି।
ରଥଯାତ୍ରା ହେବ କିନ୍ତୁ ଭକ୍ତ ଆସିପାରିବେନି ବଡ଼ ଦାଣ୍ଡକୁ। ତେଣୁ ଏଥିପାଇଁ ବଡ଼ଦାଣ୍ଡକୁ ଆଜିଠାରୁ ଖାଲି କରାଯାଇଛି। ଉଠା ଦୋକାନିକୁ ବାହାର କରାଯାଇଛି। ସେହିପରି ପୁରୀରେ ଆଜିରାତିରୁ କର୍ଫ୍ୟୁ କିମ୍ବା ପୂର୍ଣ୍ଣ ସଟଡାଉନ ଲାଗୁ କରାଯାଇଛି। ଯେମିତି କେହିବି ରଥଯାତ୍ରା ସମୟରେ ପୁରୀକୁ ନ ଆସନ୍ତି ସେନେଇ ପୋଲିସ ସମସ୍ତ ପ୍ରବେଶ ପଥକୁ ସିଲ୍ କରିଛି। ୨୪ ତାରିଖ ପର୍ୟ୍ୟନ୍ତ ସଟଡାଉନ ଜାରି ରହିବ ।
Comments are closed, but trackbacks and pingbacks are open.