ଆରପାରିରେ ସୁଷମା ସ୍ୱରାଜ

Get real time updates directly on you device, subscribe now.

ନୂଆଦିଲ୍ଲୀ: ବିଜେପିର ତୁଙ୍ଗ ନେତ୍ରୀ ତଥା ଭାରତର ପୂର୍ବତନ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଆଜି ବିଳମ୍ବିତ ରାତ୍ରିରେ ପରଲୋକ ହୋଇଛି । ତାଙ୍କର ଆକସ୍ମିକ ମୃତ୍ୟୁରେ ସମଗ୍ର ଦେଶ ସ୍ତବ୍ଧ ହୋଇଯାଇଛି । କାରଣ ମୃତ୍ୟୁର ମାତ୍ର ୩ ଘଣ୍ଟା ପୂର୍ବରୁ ସେ ଟ୍ୱିଟ୍ କରି ଧାରା ୩୭୦ ହଟାଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ । ତେଣୁ ତାଙ୍କର ମୃତ୍ୟୁ ଖବରକୁ କେହି ସହଜରେ ବିଶ୍ୱାସ କରିପାରିନଥିଲେ । ହେଲେ ବିଳମ୍ବିତ ରାତ୍ରିରେ ସରକାରୀ ଏବଂ ଅନ୍ୟାନ୍ୟ ସୂତ୍ରରୁ ଏହି ଖବର ସତ୍ୟ ହୋଇଥିବାର ସ୍ପଷ୍ଟ ହୋଇଥିଲା ।
ରିପୋର୍ଟ ଅନୁଯାୟୀ, ସୁଷମା ମଙ୍ଗଳବାର ରାତ୍ରିରେ( ୯ଟା ବେଳକୁ) ହୃଦ୍ଘାତର ଶିକାର ହୋଇଥିଲେ । ତାଙ୍କୁ ତୁରନ୍ତ ଦିଲ୍ଲୀ ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଥିଲା । ସେଠାରେ ଏକ ୫ ଜଣିଆ ଡାକ୍ତରୀ ଦଳ ତାଙ୍କୁ ବଞ୍ଚାଇବାକୁ ପ୍ରୟାସ କରିଥିଲେ । ହେଲେ ସେମାନେ ତାଙ୍କର ଜୀବନ ବଞ୍ଚାଇବାରେ ସଫଳ ହୋଇନଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ତାଙ୍କର ମୃତ୍ୟୁ ଖବର ପାଇଁ ବିଜେପିର ଅନେକ ବଡ଼ ନେତା ଓ ମନ୍ତ୍ରୀ ଏମସରେ ପହଞ୍ôଚଥିଲେ ।
ସୁଷମା କିଡ୍ନୀ ପ୍ରତିରୋପଣ କରିବା ପର ଠାରୁ ଅସୁସ୍ଥତା ଅନୁଭବ କରୁଥିଲେ । ଏହି କାରଣରୁ ସେ ଚଳିତ ବର୍ଷ ଲୋକସଭା ନିର୍ବାଚନରେ ଭାଗ ନେଇନଥିଲେ କି ମନ୍ତ୍ରୀ ପଦ ଗ୍ରହଣ କରିନଥିଲେ । କିନ୍ତୁ ବିଜେପିର କିଛି କାର୍ଯ୍ୟକ୍ରମରେ ସେ ଯୋଗ ଦେଉଥିଲେ ।
ଆଜି ମୃତ୍ୟୁର ମାତ୍ର ୩ ଘଣ୍ଟା ପୂର୍ବରୁ ସେ ଏକ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧାରା ୩୭୦ ହଟାଯାଇଥିବାରୁ ଶୁଭେଚ୍ଛା ଜଣାଇଥିଲେ । ଏହା ତାଙ୍କ ଜୀବନର ଶେଷ ଟ୍ୱିଟ୍ ଥିଲା । ସେଥିରେ ସେ ଉଲ୍ଲେଖ କରିଥିଲେ କି ମୁଁ ଏଇ ଦିନ ଦେଖିବାକୁ ଅପେକ୍ଷା କରିଥିଲି । ସେ ମଧ୍ୟ ଆଜି ଧାରା ୩୭୦ ପ୍ରସଙ୍ଗରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଲୋକସଭାରେ ଦେଇଥିବା ଜବାବର ଖୁବ୍ ପ୍ରଶଂସା କରିଥିଲେ ।
୧୯୫୨ ଫେବ୍ରୁଆରୀ ୧୪ରେ ହରିଆଣାର ଅମ୍ବାଲା କ୍ୟାଣ୍ଟନମେଣ୍ଟରେ ଜନ୍ମିତ ସୁଷମା ମାତ୍ର ୨୫ ବର୍ଷ ବୟସରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେ ପ୍ରଥମେ ଜନତା ଦଳରେ ଥିଲେ ମଧ୍ୟ ଅଶୀ ଦଶକରେ ବିଜେପିରେ ଯୋଗ ଦେଇଥିଲେ । ସେ ୨୦୧୪ ଲୋକସଭା ନିର୍ବାଚନରେ ମଧ୍ୟପ୍ରଦେଶର ବିଦିଶା ନିର୍ବାଚନମଣ୍ଡଳୀରୁ କ୍ରମାଗତଃ ଭାବେ ଦ୍ୱିତୀୟ ଥର ପାଇଁ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ସେ କେନ୍ଦ୍ରରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ବିଦେଶ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ମୋଦି ସରକାରଙ୍କ ପ୍ରଥମ ପାଳିରେ ସେ ବିଦେଶ ମନ୍ତ୍ରୀ ଭାବେ କାର୍ଯ୍ୟ କରି ଅଶେଷ ଖ୍ୟାତି ଅର୍ଜନ କରିଥିଲେ । ବିଦେଶ ମନ୍ତ୍ରୀ ଭାବେ ବିଦେଶରେ ସମସ୍ୟାରେ ଫସିଥିବା ଭାରତର ନାଗରିକମାନଙ୍କୁ ତୁରନ୍ତ ସହାୟତା କରିବା ପାଇଁ ପଦକ୍ଷେପ ନେଇ ସେ ବିଭିନ୍ନ ମହଲରୁ ଉଚ୍ଛ୍ୱସିତ ପ୍ରଶଂସାର ପାତ୍ର ହୋଇଥିଲେ । ସେ ମଧ୍ୟ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ସୁପ୍ରିମକୋର୍ଟରେ ମଧ୍ୟ ସେ କିଛି ବର୍ଷ ପାଇଁ ଓକିଲାତି କରିଥିଲେ । ସଂସ୍କୃତ ସମେତ ଅନେକ ଭାଷାରେ ତାଙ୍କର ଅଗାଧ ପାଣ୍ଡିତ୍ୟ ଥିଲେ । ସେ ସଂସ୍କୃତରେ ଅନର୍ଗଳ ଭାଷଣ ଦେଇପାରୁଥିଲେ । ନିଜର କାର୍ଯ୍ୟ ଦକ୍ଷତା, ସହଯୋଗିତା ଏବଂ ନେତୃତ୍ୱର ପରାକାଷ୍ଠା ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହୁଥିଲେ । ତାଙ୍କର ଦେହାନ୍ତ ହେବା ବିଜେପି ଓ ସମଗ୍ର ଦେଶ ପାଇଁ ବଡ଼ ଧକ୍କା ଅଟେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons