ଭୁବନେଶ୍ୱର,(ବି.ବି. ବୁ୍ୟରୋ): ଖୁବ୍ଶୀଘ୍ର କୋଣାର୍କରେ ଆୟୋଜିତ ହେବ ସନ୍ ସିଟି ଫେଷ୍ଟିଭାଲ୍ । ଯାହାକି ବିଶ୍ୱ ଦରବାରରେ ଓଡ଼ିଶା ପର୍ଯ୍ୟଟନକୁ ଏକ ଭିନ୍ନ ପରିଚୟ ଦେବ । ଗୋଟିଏ ଦିନର ଯୋଜନାରେ ନିବଦ୍ଧ ରହୁଥିବା କୋଣାର୍କ ଏଣିକି ପର୍ଯ୍ୟଟକଙ୍କ ପାଇଁ ୨ରୁ ୩ ଦିନର ରହଣି ସ୍ଥାନ ପାଲଟିବ । ଏହି ମେଗା ଇଭେଣ୍ଟ ବ୍ୟତୀତ ଖୁବ୍ଶୀଘ୍ର ପୁରୀରେ ଆରମ୍ଭ ହେବ ‘ଶାମୁକା’ ପ୍ରକଳ୍ପ । ସ୍ୱତନ୍ତ୍ର ପର୍ଯ୍ୟଟନ ପ୍ରକଳ୍ପ ଅଧୀନରେ ଏହାକୁ ଗୁରୁତ୍ୱ ଦିଆଯାଇ କାମ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ସୋମବାର ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ‘ଫିକି’ର ମିଳିତ ସହଭାଗିତାରେ ସ୍ଥାନୀୟ ଏକ ହୋଟେଲ ପରିସରରେ ଆୟୋଜିତ ଓଡ଼ିଶା ଟ୍ରାଭେଲ୍ ବଜାର (ଓଟିବି)ର ତୃତୀୟ ସଂସ୍କରଣର ଉଦ୍ଘାଟନ ଅବସରରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ବିଶ୍ୱରେ ସବୁଠାରୁ ଅଧିକ ବିକଶିତ କ୍ଷେତ୍ର ହେଉଛି ପର୍ଯ୍ୟଟନ । ସର୍ବାଧିକ ପୁଞ୍ଜି ନିବେଶ ସୁଯୋଗ ସୃଷ୍ଟି ଦିଗରେ ଓଡ଼ିଶା ଗତ ୧୫ ବର୍ଷ ହେବ ପ୍ରଥମ ତିନି ସ୍ଥାନ ଭିତରେ ରହିଛି । ସାଂସ୍କୃତିକ ବିବିଧତା ଆମର ସମୃଦ୍ଧି । ପରିବେଶ ପର୍ଯ୍ୟଟନଠାରୁ ଆରମ୍ଭ କରି ଐତିହ୍ୟ ପର୍ଯ୍ୟଟନ, କାର୍ଯ୍ୟକ୍ରମ ପର୍ଯ୍ୟଟନ ପାଇଁ ଯଥେଷ୍ଟ ଭିତ୍ତିଭୂମି ରହିଛି । ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ କ୍ରୀଡ଼ା ଉତ୍ସବ ଆୟୋଜନ କରି ଆମେ କ୍ରୀଡ଼ା ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶାର ପରିଚିତି ଦେଇ ସାରିଛୁ । ସମ୍ମାନିତ ଅତିଥି ଭାବେ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କହିଥିଲେ ରାଜ୍ୟରେ ଆର୍ଥିକ ଅଭିବୃଦ୍ଧି ଓ କର୍ମନିଯୁକ୍ତି ପାଇଁ ପର୍ଯ୍ୟଟନର ବିକାଶ ହେବା ଜରୁରି । ଆଉ ଏଥିପାଇଁ ଦରକାର ପୁଞ୍ଜିନିବେଶ । ପୁଞ୍ଜିପତିଙ୍କ ପୁଞ୍ଜିନିବେଶ ପାଇଁ ଓଡ଼ିଶା ଏକ ଭଲ ପ୍ଲାଟଫର୍ମ । ଏଠାରେ ୪୮୦ ବର୍ଗ କିଲୋମିଟରର ସମୁଦ୍ର ବେଳାଭୂମି, ୨ଟି ଜାତୀୟ ଉଦ୍ୟାନ, ୧୯ଟି ଅଭୟାରଣ୍ୟ, ପ୍ରାକୃତିକ ଜଙ୍ଗଲ, ୨୦୯ଟି ସଂରକ୍ଷିତ ଐତିହ୍ୟ, ୧୦ରୁ ଅଧିକ ଐତିହ୍ୟ ଗାଁ ସମେତ ୧୫୦ରୁ ଅଧିକ ଜନଜାତି, ପରମ୍ପରା ଓ ସଂସ୍କୃତି ରହିଛି । ଏସବୁ ଦିଗକୁ ବିଚାରକୁ ନେଇ ରାଜ୍ୟ ସରକାର ପର୍ଯ୍ୟଟନର ବିକାଶ ଦିଗରେ ବିଭିନ୍ନ ଷ୍ଟେକ୍ହୋଲଡରମାନଙ୍କର ସହଭାଗିତା ଆଶା କରୁଛନ୍ତି ।
ସମ୍ମାନିତ ଅତିଥି ଭାବେ ବିଭାଗୀୟ ସଚିବ ବିଶାଲ ଦେବ ଯୋଗଦେଇ କହିଥିଲେ ଏବେ ଡିଜିଟାଲ ଯୁଗ । ତେଣୁ ଆମେ ମଧ୍ୟ ଏହି ପ୍ଲାଟଫର୍ମକୁ ଉପଯୋଗ କରି ଓଡ଼ିଶାର ପର୍ଯ୍ୟଟନସ୍ଥଳୀଗୁଡିକୁ ବ୍ରାଣ୍ଡିଂ କରିବାକୁ ଚେଷ୍ଟା କରୁଛୁ । ଆଗାମୀ ଦିନରେ ରାଜ୍ୟରେ ଥିବା ପର୍ଯ୍ୟଟନ ସ୍ଥଳୀଗୁଡିକରେ କିପରି ଭିତ୍ତିଭୂମି ବିକାଶ ହେବ ସେ ଦିଗରେ ଆମେ ଦୃଷ୍ଟି ଦେଉଛୁ । ଖୁବ୍ଶୀଘ୍ର ରାଜ୍ୟର ବିଭିନ୍ନ ସ୍ଥାନରେ ଷ୍ଟାର କାଟାଗରୀର ହୋଟେଲ, ରେସ୍ତୋରାଁ ଓ ସାଧାରଣ ପର୍ଯ୍ୟଟକଙ୍କ ପକେଟକୁ ସୁହାଇଲା ଭଳି ହୋଟେଲ ନିର୍ମାଣ କରିବୁ । ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ ଯୋଗଦେଇ ଆମ ପାଖରେ ପର୍ଯ୍ୟଟନର ବିକାଶ ପାଇଁ ଥିବା ହଜାରେ ଏକର ଲ୍ୟାଣ୍ଡ ବ୍ୟାଙ୍କ, ଶାମୁକା ବେଳାଭୂମି ପ୍ରକଳ୍ପର କାର୍ଯ୍ୟକାରିତା ଓ ପୁରୀ ମନ୍ଦିର ପ୍ରକଳ୍ପ ଉପରେ ଆଲୋକପାତ କରିଥିଲେ ।
ଫିକି(ପୂର୍ବତଟ)ର ଅଧ୍ୟକ୍ଷ ସୌରଭ ମହାପାତ୍ର ଚିଲିକାକୁ କିପରି ବିଶ୍ୱ ପର୍ଯ୍ୟଟନ ସ୍ଥଳର ମାନ୍ୟତା ମିଳିବ ସେ ଉପରେ ଆଲୋକପାତ କରିଥିବା ବେଳେ ହୋଟେଲ୍ ଆଣ୍ଡ ରେସ୍ତୋରାଁ ଆସୋସିଏସନ୍ର ସଭାପତି ଜେକେ ମହାନ୍ତି ଆସନ୍ତା ଦିନରେ ଓଡ଼ିଶାରେ କିପରି ସବ୍ସିଡିରେ ପର୍ଯ୍ୟଟକଙ୍କୁ ହୋଟେଲ ରୁମ୍ ମିଳିପାରିବ ଓ ଏହା ଅଧିକ ପର୍ଯ୍ୟଟକ ଫ୍ରେଣ୍ଡଲି ହୋଇ ପାରିବ ସେ ଉପରେ ଆଲୋକପାତ କରିଥିଲେ ।

Comments are closed, but trackbacks and pingbacks are open.