ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆଜ୍ଞା ନମସ୍କାର । ମୁଁ ନବୀନ ପଟ୍ଟନାୟକ କହୁଛି । ଡାକ୍ତରଖାନାରେ ଚିକିତ୍ସା ସେବା କେମିତି ଥିଲା ? ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ, ପୁଲିସ ବ୍ୟବହାରରେ ଆପଣ ସନ୍ତୁଷ୍ଟ ତ ? ଥାନାବାବୁଙ୍କ ବ୍ୟବହାର କେମିତି ଥିଲା? ଫୋନରେ ଆଜି ସିଧା ସଳଖ ଏମିତି କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ମେଡିକାଲ ଓ ଥାନାକୁ ଆସିଥିବା ଲୋକଙ୍କ ସହ କଥା ହୋଇ ନବୀନ ସନ୍ତୋଷ ପ୍ରକାଶ କରିଛନ୍ତି । ପବିତ୍ର ଗାନ୍ଧି ଜୟନ୍ତୀରୁ ରାଜ୍ୟରେ ବୁଧବାର ଆରମ୍ଭ ହୋଇଛି ‘ମୋ ସରକାର’ । ଗାନ୍ଧୀଙ୍କ ସ୍ୱରାଜ ମନ୍ତ୍ରକୁ ଆପଣାଇ ସରକାରକୁ ଲୋକଙ୍କ ନିକଟରେ ଉତ୍ତରଦାୟୀ କରିବାକୁ ମୁଖ୍ୟମନ୍ତ୍ରୀ କ୍ୟାପିଟାଲ ହସ୍ପିଟାଲ ଓ ସହିଦ ନଗର ଥାନାରୁ ଏ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ସେ ନିଜେ ନବୀନ ନିବାସରୁ ବିଭିନ୍ନ ଜିଲ୍ଲାର ୮ ଜଣ ଲୋକଙ୍କ ସହ ଫୋନ୍ରେ କଥା ହୋଇ ମତାମତ ମଧ୍ୟ ଲୋଡ଼ିଛନ୍ତି । ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିବା ଲୋକ ଓ ଥାନାକୁ ଅଭିଯୋଗ କରିବାକୁ ଆସିଥିବା ବ୍ୟକ୍ତିଙ୍କ ସହ କଥା ହୋଇ ସେ ଭଲ ମନ୍ଦ ପଚାରିଥିଲେ । ଏ ନୂଆ କାର୍ଯ୍ୟକ୍ରମ ରାଜ୍ୟରେ ଲୋକସେବାକୁ ଉନ୍ନତସ୍ତରକୁ ନେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି ।
ରାଜ୍ୟରେ ପ୍ରଶାସନିକ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ସହ ଲୋକସେବାରେ ସଂସ୍କାର ଆଣିବାକୁ ‘ ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ କରିବେ ବୋଲି ଗତ ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏହି ପ୍ରତୀକ୍ଷିତ କାର୍ଯ୍ୟକ୍ରମ ବୁଧବାର ଆରମ୍ଭ ହୋଇଛି । କ୍ୟାପିଟାଲ ହସପିଟାଲ ଓ ସହିଦ ନଗର ଥାନାରେ ଏ କାର୍ଯ୍ୟକ୍ରମର ଲୋଗୋ, ଲକ୍ଷ୍ୟ ଓ ବାର୍ତ୍ତା ସମ୍ବଳିତ ଫଳକ ଉନ୍ମୋଚନ କରିଥିଲେ । ଏ ବାର୍ତ୍ତା ଫଳକ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟରେ ସ୍ଥାନିତ ହେବ ବୋଲି ସରକାରୀ ଭାବେ ନିଷ୍ପତ୍ତି ହୋଇଛି ।
‘ମୋ ସରକାର’ ପୋର୍ଟାଲରେ ଉପଲବ୍ଧ ଫୋନ ନମ୍ବରରେ ମୁଖ୍ୟମନ୍ତ୍ରୀ ବଲାଙ୍ଗୀର, ସୁନ୍ଦରଗଡ଼, ମାଲକାନଗିରି, ଯାଜପୁର ଓ ବାରିପଦା ମେଡିକାଲକୁ ଚିକିତ୍ସା ପାଇଁ ଆସିଥିବା ରୋଗୀ (କିମ୍ବା ସଂପର୍କୀୟ)ଙ୍କ ସହ କଥା ହୋଇଥିଲେ । ସେହିଭଳି ଥାନାରେ ମାମଲା ଦରଜ କରି ନ୍ୟାୟ ପାଇବାକୁ ଆସିଥିବା ନୟାଗଡ଼ ଓ ଭବାନୀପାଟଣାର ବ୍ୟକ୍ତିଙ୍କୁ ଫୋନ କରି ଥାନାରେ କିପରି ସେବା ମିଳିଲା ପଚାରି ବୁଝିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା ବେଳେ ସଂପୃକ୍ତ ବ୍ୟକ୍ତିମାନେ ସରକାରୀ ସେବା ଓ ବ୍ୟବହାର ନେଇ ସନ୍ତୁଷ୍ଟ ଥିବା ଅବଗତ କରାଇଥିଲେ ।
ଆଜିଠାରୁ ରାଜ୍ୟର ସମସ୍ତ ଥାନା ଓ ୨୧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ କଟକ, ବ୍ରହ୍ମପୁର ଓ ସମ୍ବଲପୁର ମେଡିକାଲ କଲେଜରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଆସନ୍ତା ୩୦ ସୁଦ୍ଧା ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହା କାର୍ଯ୍ୟକାରୀ ହେବ । ୨୦୨୦ ମାର୍ଚ୍ଚ ୫ ସୁଦ୍ଧା ରାଜ୍ୟର ସବୁ ବିଭାଗରେ ଏହା କାର୍ଯ୍ୟକାରୀ ହେବ । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁସାରେ, ସରକାରୀ ସଂସ୍ଥାକୁ ସେବା ପାଇଁ ଆସୁଥିବା ଲୋକମାନଙ୍କୁ ଉତ୍ତମ ସେବା ମିଳିବା ତାଙ୍କ ହକ୍ । ଲୋକଙ୍କ ପଇସାରେ ସରକାର ଚାଲୁଛି । ତେଣୁ ସେମାନଙ୍କୁ ସରକାରୀ କର୍ମଚାରୀମାନେ ବୃତ୍ତିଗତ ମନୋଭାବ ଆଧାରରେ ସେବା ଯୋଗାଇବା ସହ ଉତ୍ତମ ବ୍ୟବହାର କରିବେ । ବ୍ୟବସ୍ଥାରେ ଉନ୍ନତି ଆଣି ଜନସାଧାରଣଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆଣିବା ଏ କାର୍ଯ୍ୟକ୍ରମର ମୂଳ ଉଦେ୍ଧଶ୍ୟ ।
ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିବା ବାର୍ତ୍ତା ଫଳକରେ ଉଲ୍ଲେଖ ରହିଛି, ଜନସାଧାରଣ ହେଉଛନ୍ତି ଗଣତନ୍ତ୍ରର ଆତ୍ମା । ଗଣତନ୍ତ୍ରରେ ପ୍ରତିଟି ଅନୁÂାନ ଲୋକଙ୍କ କଲ୍ୟାଣ ପାଇଁ, ଲୋକଙ୍କ ପଇସାରେ, ଲୋକଙ୍କ ସେବା ଓ ସଶକ୍ତିକରଣ ପାଇଁ ସୃଷ୍ଟି କରାଯାଇଛି । ଥାନା ଓ ଡାକ୍ତରଖାନା ଭଳି କାର୍ଯ୍ୟାଳୟ ଲୋକଙ୍କ ସେବା ପାଇଁ ଅଛି । ସେମାନେ ହିଁ ଏହାର ପ୍ରକୃତ ମାଲିକ । ଏଠାକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ସହ ବୃତ୍ତିଗତ ଓ ସେବା ମନୋଭାବ ନେଇ ସେମାନଙ୍କ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ଲୋକମାନେ ହେଉଛନ୍ତି ପ୍ରକୃତ ସରକାର ।
ଏ କାର୍ଯ୍ୟକ୍ରମର ବ୍ୟବସ୍ଥା ଅନୁସାରେ, ମେଡିକାଲ ଓ ଥାନାକୁ ଆସୁଥିବା ସବୁ ବ୍ୟକ୍ତିଙ୍କ ଟେଲିଫୋନ ନମ୍ବର ପଞ୍ଜୀକରଣ କରାଯିବ । ପଞ୍ଜୀକୃତ ବ୍ୟକ୍ତିଙ୍କ ପାଖକୁ ୨୪ ଘଣ୍ଟା ମଧ୍ୟରେ ଏସ୍ଏମ୍ଏସ୍ ଯିବ । ଯଦି ଏହି ଏସ୍ଏମ୍ଏସ ନଯାଏ, ତାଙ୍କ ନମ୍ବର ପଞ୍ଜୀକୃତ ହୋଇ ନଥାଏ ତେବେ ସଂପୃକ୍ତ ବ୍ୟକ୍ତି ୧୪୫୪୫ ନମ୍ବରକୁ ମିସ୍ କଲ କରି ନିଜର ଟେଲିଫୋନ ନମ୍ବରକୁ ପଞ୍ଜୀକୃତ କରିପାରିବେ । ‘ମୋ ସରକାର’ ପୋର୍ଟାଲରେ ସମସ୍ତ ପଞ୍ଜୀକୃତ ନମ୍ବର ସଂରକ୍ଷିତ ରହିବ । ଏ ପୋର୍ଟାଲରୁ ଟେଲିଫୋନ ନମ୍ବର ସଂଗ୍ରହ କରାଯିବ । ଏ ନମ୍ବରରେ ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ, ଥାନା କ୍ଷେତ୍ରରେ ପୁଲିସ ଡିଜି, ଡାକ୍ତରଖାନା କ୍ଷେତ୍ରରେ ବିଭାଗୀୟ ମନ୍ତ୍ରୀ, ସଚିବ ଓ ନିଦେ୍ର୍ଧଶକ ଫୋନ୍ କରି ଜନସାଧାରଣଙ୍କ ମତାମତ ବୁଝିବେ ।
ଲୋକଙ୍କ ମତାମତ ଭିତ୍ତିରେ ସଂପୃକ୍ତ ଥାନା କିମ୍ବା ଡାକ୍ତରଖାନା କର୍ମଚାରୀମାନଙ୍କୁ ଭଲ ବା ଖରାପ ର୍ୟାଙ୍କ ଦିଆଯିବ । ଭଲ ର୍ୟାଙ୍କ ପାଇଥିବା କର୍ମଚାରୀଙ୍କୁ ଆଗୁଆ ପଦୋନ୍ନତି ମିଳିବ । ଖରାପ ର୍ୟାଙ୍କରେ ଥିବା କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁÂାନ ଗ୍ରହଣ କରାଯିବ । ସରକାରୀ କର୍ମଚାରୀଙ୍କ ସଂପର୍କରେ ନକରାତ୍ମକ ମତ ରଖିଥିବା ବ୍ୟକ୍ତିମାନଙ୍କ ପରିଚୟ ସମ୍ପୂର୍ଣ୍ଣ ଗୋପନ ରଖାଯିବ । ଏହି ନୂଆ କାର୍ଯ୍ୟକ୍ରମ ରାଜ୍ୟରେ ଜନସାଧାରଣଙ୍କୁ ଗୁଣାତ୍ମକ ସରକାରୀ ସେବା ସହ ଉତ୍ତମ ବ୍ୟବହାର ଯୋଗାଇବାରେ ବଡ଼ ସଂସ୍କାର ଆଣିବ ବୋଲି ଅନୁମାନ କରାଯାଉଛି ।
କ୍ୟାପିଟାଲ ହସପିଟାଲରେ ଏ କାର୍ଯ୍ୟକ୍ରମ ଶୁଭାରମ୍ଭ ବେଳେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ୫-ଟି ସଚିବ ଭି.କେ. ପାଣ୍ଡିଆନ୍, ସ୍ୱାସ୍ଥ୍ୟ ସଚିବ ପ୍ରମୋଦ ମେହେର୍ଦ୍ଧା ଏବଂ ସହିଦ ନଗର ଥାନାରେ ପୁଲିସ ଡିଜି ବିିଜୟ କୁମାର ଶର୍ମା, ପୁଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ, କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ, ଗୁଇନ୍ଦା ନିଦେ୍ର୍ଧଶକ ସୁନୀଲ ରାୟ, ଡିସିପି ଅନୁପ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.