ଆସନ୍ତା ୨୦ରୁ ଲୋକସେବା ଭବନ ଆସିବେ ସବୁ ବିଭାଗ କର୍ମଚାରୀ : ଗ୍ରୁପ୍-ଏ ଅଧିକାରୀ ଅଫିସ ଆସିବା ବାଧ୍ୟତାମୂଳକ , ରୋଷ୍ଟର ବ୍ୟବସ୍ଥାରେ ଆସିବେ ଅନ୍ୟ ପାହ୍ୟାର କର୍ମଚାରୀ
ଭୁବନେଶ୍ୱର : କରୋନା ମୁକାବିଲା ସହ ରାଜ୍ୟର ଅର୍ଥନୀତିକୁ ସଶକ୍ତ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ସରକାର । ଏଥିପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଭିନ୍ନ ବିଭାଗ ପାଇଁ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି । ଯେପରି ସବୁ ବିଭାଗର କାମ ସ୍ୱାଭାବିକ ହୋଇପାରିବ, ସେନେଇ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି । ଆସନ୍ତା ୨୦ ତାରିଖରୁ ସମସ୍ତ ବିଭାଗର କର୍ମଚାରୀ ଲୋକସେବା ଭବନ ଆସିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଏହି ନିର୍ଦ୍ଦେଶନାମା ଅନୁଯାୟୀ, ପ୍ରଥମ ଶ୍ରେଣୀ ପାହ୍ୟାର ସମସ୍ତ ଅଧିକାରୀଙ୍କ ପାଇଁ କାର୍ୟ୍ୟାଳୟ ଆସିବା ବାଧ୍ୟତାମୂଳକ କରାଯାଇଛି । ଅନ୍ୟ ପାହ୍ୟାର କର୍ମଚାରୀଙ୍କ ପାଇଁ ରୋଷ୍ଟର ବ୍ୟବସ୍ଥା ଲାଗୁ ହେବ । ନୂଆ ନିର୍ଦ୍ଦେଶନାମାରେ ଜରୁରୀ ତାଲିକାରେ ୧୧ଟି ନୂଆ ବିଭାଗ ଥିବାବେଳେ ଅନ୍ୟ ସମସ୍ତ ବିଭାଗ ଆଂଶିକ ଜରୁରୀ ତାଲିକାରେ ରହିଛନ୍ତି । ଜରୁରୀ ତାଲିକାରେ ଥିବା ବିଭାଗଗୁଡ଼ିକ ହେଉଛି, କୃଷି ଓ କୃଷକ କଲ୍ୟାଣ, ସମବାୟ, ପଶୁ ସମ୍ପଦ ଓ ମତ୍ସ୍ୟ ପାଳନ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସାଧାରଣ ପ୍ରଶାସନ ଓ ପେନସନ୍ ଅଭିଯୋଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ପଞ୍ଚାୟତିରାଜ ଓ ପାନୀୟ ଜଳ, ଗୃହ, ଶ୍ରମ ଓ ଇଏସ୍ଆଇ, ରାଜସ୍ୱ ବିଭାଗ ଅଧୀନରେ ଥିବା ସ୍ୱତନ୍ତ୍ର ରିଲିଫ୍ କମିଶନର ଏବଂ ଓଡ଼ିଶା ବିପର୍ୟ୍ୟୟ ପ୍ରଶମନ । ଜରୁରୀ ବିଭାଗର ସମସ୍ତ ପ୍ରଥମ ଶ୍ରେଣୀ ପାହ୍ୟାର ଅଧିକାରୀ କାର୍ୟ୍ୟାଳୟ ଆସିବେ । ଏହି ସବୁ ବିଭାଗର କ୍ଷେତ୍ରସ୍ତରରେ ଥିବା କାର୍ୟ୍ୟାଳୟଗୁଡ଼ିକ କାର୍ୟ୍ୟ କରିବା ନେଇ ପ୍ରଶାସନିକ କର୍ତ୍ତୃପକ୍ଷ ନିଷ୍ପତ୍ତି ନେବେ ।
ଆଂଶିକ ଜରୁରୀ ଶ୍ରେଣୀରେ ଥିବା ବିଭାଗର ସମସ୍ତ ପ୍ରଥମ ଶ୍ରେଣୀ ପାହ୍ୟା ଅଧିକାରୀ କାର୍ୟ୍ୟାଳୟ ଆସିବାକୁ ବାଧ୍ୟ । ଏହି ବିଭାଗଗୁଡ଼ିକର ଅନ୍ୟ ପାହ୍ୟାର ୩୩% ଅଧିକାରୀ ରୋଷ୍ଟର ଭିତ୍ତିରେ କାର୍ୟ୍ୟାଳୟ ଆସିବେ । ଏହି ସବୁ ବିଭାଗର କ୍ଷେତ୍ରସ୍ତରୀୟ କାର୍ୟ୍ୟାଳୟଗୁଡ଼ିକ କାର୍ୟ୍ୟ କରିବା ନେଇ ପ୍ରଶାସନିକ କର୍ତ୍ତୃପକ୍ଷ ନିଷ୍ପତ୍ତି ନେବେ । ଲକ୍ଡାଉନ ଆରମ୍ଭ ହେବା ବେଳେ କେଉଁ ବିଭାଗର କର୍ମଚାରୀ ଅଫିସ ଆସିବେ ଏବଂ କେଉଁ ବିଭାଗ କର୍ମଚାରୀ ଆସିବେନି, ସେନେଇ ସାଧାରଣ ପ୍ରଶାସନ ବିଭାଗ ନିଷ୍ପତ୍ତି ନେଇଥିଲା । ସମସ୍ତ ବିଭାଗକୁ ୩ ଭାଗରେ ଜରୁରୀକାଳୀନ, ଆଂଶିକ ଜରୁରୀ ଓ ଜରୁରୀ ଶୂନ୍ୟ ବିଭାଗ ଭାବେ ଚିହ୍ନଟ କରାଯାଇଥିଲା । ଜରୁରୀ ଶୂନ୍ୟ ୨୫ଟି ବିଭାଗର କର୍ମଚାରୀ ଲକ୍ଡାଉନ ବେଳେ ଅଫିସ ନ ଆସିବାକୁ କୁହାଯାଇଥିଲା । ପରେ ଏହି ବିଭାଗ ସଂଖ୍ୟା ୧୭କୁ ହ୍ରାସ ପାଇଥିଲା ।
ତେବେ ଲକ୍ଡାଉନର ଦ୍ୱିତୀୟ ପର୍ୟ୍ୟାୟରେ ସରକାର କୃଷି, ମାଛ ଚାଷ ସମେତ କେତେକ କାର୍ୟ୍ୟ ପାଇଁ କଟକଣା କୋହଳ କରିଛନ୍ତି । କାରଣ ଗୋଟିଏ ପଟେ କରୋନାର ମୁକାବିଲା ସହ ଅନ୍ୟପଟେ ରାଜ୍ୟର ଅର୍ଥନୀତି ଯେପରି କମ୍ ପ୍ରଭାବିତ ହେବ, ସେ ଦିଗରେ ସରକାର କାମ କରୁଛନ୍ତି । ଏଥିପାଇଁ ସବୁ ବିଭାଗ କାର୍ୟ୍ୟ କରିବା ନିହାତି ଆବଶ୍ୟକ । ଲୋକସେବା ଭବନ ସବୁ ନିଷ୍ପତ୍ତିର ପେଣ୍ଠସ୍ଥଳୀ । ସରକାରଙ୍କ ଯୋଜନାକୁ କାର୍ୟ୍ୟକାରୀ କରିବାକୁ ହେଲେ ସବୁ ବିଭାଗର ନିର୍ଦ୍ଦିଷ୍ଟ ଦାୟିତ୍ୱ ରହିଛି । ସେଥିପାଇଁ ୨୦ ତାରିଖରୁ ସବୁ ବିଭାଗର କର୍ମଚାରୀଙ୍କୁ ଅଫିସ ଆସିବା ପାଇଁ କୁହାଯାଇଛି ।
Comments are closed, but trackbacks and pingbacks are open.