ଆସିକା, (ବି.ବି.ନ୍ୟୁଜ୍): ଆସିକା ଥାନା ଚାରିମାଇଲି-ସାପୁର ରାସ୍ତାରେ ମୋଷ୍ଟୱାଣ୍ଟେଡ୍ ଗୁରୁ ପ୍ରସାଦ ସ୍ୱାଇଁ- ପୁଲିସ ଗୁଳି ବିନିମୟ । ପୁଲିସ ଗୁଳିରେ ଗୁରୁ ଆହତ ହୋଇଥିବା ବେଳେ ତା’ସହଯୋଗୀ ଫେରାର୍ ହୋଇଯାଇଛି । ଆହତ ଗୁରୁକୁ ପ୍ରଥମେ ଆସିକା ଓ ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୁରୁ ଓ ତା’ ସହଯୋଗୀ ଠିକାଦାରଙ୍କ ଠାରୁ ବଟି ନେବାକୁ ଆସିଥିଲେ । ତା’ ପୂର୍ବରୁ ନାକାବନ୍ଦି କରି ରହିଥିଲା ପୁଲିସ । ଗଞ୍ଜାମ ପୁଲିସର ମୋଷ୍ଟୱାଣ୍ଟେଡ୍ ଗୁରୁ ଓ ସହଯୋଗୀ ଆସିକା ଥାନା ଅଞ୍ଚଳ ଚାରିମାଇଲି-ସାପୁଆ ରାସ୍ତାରେ ପହଞ୍ଚିବା ମାତ୍ରେ ପୁଲିସ ଘେରି ଯାଇଥିଲା । ପୁଲିସକୁ ଦେଖି ସେମାନେ ବୋମା ଓ ଗୁଳିଚାଳନା କରିଥିଲେ । ପାଲଟା ଜବାବରେ ପୁଲିସ ଅଭିଯୁକ୍ତଙ୍କ ଉପରକୁ ଗୁଳିଚାଳନା କରିଥିଲା । ପୁଲିସ ଗୁଳିରେ ଆହତ ହୋଇଛି ଗୁରୁ ପ୍ରସାଦ ସ୍ୱାଇଁ । ତେବେ ଘଟଣାସ୍ଥଳରୁ ତା’ ସହଯୋଗୀ ଫେରାର୍ ହୋଇ ଯାଇଥିବା ସୂଚନା ଦେଇଛନ୍ତି ଆସିକା ଏସ୍ଡିପିଓ ସୂର୍ଯ୍ୟମଣି ପ୍ରଧାନ । ଗୁରୁ ଗଞ୍ଜାମ ଜିଲ୍ଲା ଅପରାଧ ଜଗତରେ ସକ୍ରିୟ ଥିଲା । ତା’ ନାମରେ ଆସିକା, ବଡ଼ଗଡ଼, ଭଞ୍ଜନଗର, ଜଗନ୍ନାଥପ୍ରସାଦ, ଗାଙ୍ଗପୁର ଥାନାରେ ୧୩ଟି ମାମଲା ରହିଛି ।
ଗାଙ୍ଗପୁର ଥାନା ଅଞ୍ଚଳରେ ଗୁରୁର ଘର । ବିଜେଡି ନେତା ସନିଆ ବିଷୋୟୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଥିଲା ଗୁରୁ । ଏ ନେଇ ବଡ଼ଗଡ଼ ଥାନାରେ କେସ୍ ନମ୍ବର ୧୦୧/୨୦୧୮ ରୁଜୁ ହୋଇଛି । ଏହି ହତ୍ୟାକାଣ୍ଡ ପରଠୁ ଗୁରୁ ଫେରାର୍ ଥିଲେ ସୁଦ୍ଧା ତାକୁ କାବୁ କରିବାକୁ ଉଦ୍ୟମ ଚଳାଇଥିଲା ଗଞ୍ଜାମ ପୁଲିସ । ଜୁଲାଇ ୧୫ ତାରିଖରେ ଲାଠିପଡ଼ାର ଗୋରୁ ବ୍ୟବସାୟୀ ଡାକ ନାୟକ କଣ୍ଟେଇପଲ୍ଲି ଜଙ୍ଗଲ ରାସ୍ତା ଦେଇ ବେଲଗୁଣ୍ଠା ଗୋରୁ ହାଟକୁ ଯାଉଥିଲେ । ୭ ଜଣ ଦୁର୍ବୃତ୍ତ ୩ଟି ବାଇକ୍ରେ ଆସି ୧.୧୦ ଲକ୍ଷ ଟଙ୍କା ଲୁଟ୍ କରିଥିଲେ । ଏହି ଘଟଣାରେ ବି ମୁଖ୍ୟ ଅଭିଯୁକ୍ତ ଥିଲା ଗୁରୁ । ଗାଙ୍ଗପୁର ଥାନାରେ କେସ୍ ନମ୍ବର ୧୯୪/୨୦୧୯ ରୁଜୁ କରିଥିଲା ପୁଲିସ । ସେହିଦିନ ଠାରୁ ଗୁରୁ ଓ ତା’ ସହଯୋଗୀଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଥିଲା ପୁଲିସ ।
ନିକଟରେ ଆସିକା ଥାନା ବରଗାଁ ଅଞ୍ଚଳର ଦୁଇ ଜଣ ଠିକାଦାରଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଁଏ ଦାଦାବଟି ମାଗିଥିଲେ ଗୁରୁ ଓ ତା’ର ସହଯୋଗୀ । ଠିକାଦାରମାନେ ଏ ନେଇ ଆସିକା ଥାନାରେ ଅଭିଯୋଗ କରିବା ପରେ ପୁଲିସ କେସ୍ ନମ୍ବର ୨୪୮/୨୦୧୯ ରୁଜୁ କରିଥିଲା । ଏଥିସହ ମୋଷ୍ଟୱାଣ୍ଟେଡ୍ ତାଲିକାରେ ଥିବା ଗୁରୁକୁ ଧରିବା ପାଇଁ ଜାଲ ବିଛାଇଥିଲା ପୁଲିସ । ଠିକାଦାରମାନେ ବଟି ଦେବାକୁ ଚାରିମାଇଲି ନିକଟ ଜଙ୍ଗଲକୁ ଗୁରୁକୁ ଡାକିଥିଲେ । ଯୋଜନା ମୁତାବକ ସୋମବାର ଭୋର୍ ୪ଟାରେ ଗୋଟିଏ ପଲ୍ସର୍ ବାଇକ୍ରେ ଗୁରୁ ଓ ତା’ ସହଯୋଗୀ ଚାରିମାଇଲି-ସାପୁର ରାସ୍ତା ଦେଇ ଆସୁଥିଲେ । ପୂର୍ବରୁ ଛକି ରହିଥିବା ପୁଲିସ ଚାରି ପାଶ୍ୱର୍ରେ ଘେରି ଯାଇଥିବା ଦେଖି ଗୁରୁ ଓ ତା’ ସହଯୋଗୀ ପ୍ରଥମେ ବୋମାମାଡ଼ ଓ ପରେ ଗୁଳିଚାଳନା କରିଥିଲେ । ଏଏସ୍ଆଇ ଯୁଧିଷ୍ଠିର ମାଝି, ହରେକୃଷ୍ଣ ଶବର ଅଭିଯୁକ୍ତଙ୍କ ପିଛା କରିବା ସହ ପାଲଟା ଗୁଳିଚାଳନା କରିଥିଲେ । ଏଏସ୍ଆଇ ମାଝିଙ୍କ ସର୍ଭିସ୍ ରିଭରଭଲ୍ରୁ ଗୁଳି ଗୁରୁର ବାମ ଗୋଡ଼ରେ ବାଜିଥିଲା ଏବଂ ସେ ଆହତ ହୋଇ ବାଇକ୍ ସହ ତଳେ ପଡ଼ି ଯାଇଥିଲା । କିନ୍ତୁ ସହଯୋଗୀ ଅନ୍ଧାରର ସୁଯୋଗ ନେଇ ଫେରାର୍ ହୋଇଯାଇଥିଲା । ଫଳରେ ଗୁରୁକୁ ପ୍ରାୟ ବର୍ଷେ କାଳ ପ୍ରୟାସ ପରେ କାବୁ କରିବାରେ ସଫଳ ହୋଇଥିଲା ଗଞ୍ଜାମ ପୁଲିସ ।
Comments are closed, but trackbacks and pingbacks are open.