ଆସେସ୍: ୨୬୭ କଲେ ଜିତିବ ଅଷ୍ଟ୍ରେଲିଆ

Get real time updates directly on you device, subscribe now.

ଲଣ୍ଡନ: ଘରୋଇ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଐତିହାସିକ ଲର୍ଡ୍ସ କ୍ରିକେଟ୍ ଗ୍ରାଉଣ୍ଡ୍ରେ ଚାଲିଥିବା ବର୍ଷା ବାଧାପ୍ରାପ୍ତ ଦ୍ୱିତୀୟ ଆସେସ ଟେଷ୍ଟ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି । ବେନ୍ ଷ୍ଟୋକ୍ସଙ୍କ ଅପରାଜିତ ଶତକ ବଳରେ ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ୫ ୱିକେଟ୍ ହରାଇ ୨୫୮ ରନ୍ ସଂଗ୍ରହ କରି ପାଳି ଘୋଷଣା କରିଛି । ଏଥି ସହ ଅଷ୍ଟ୍ରେଲିଆ ସମ୍ମୁଖରେ ବିଜୟ ପାଇଁ ୨୬୭ ରନ୍ର ଲକ୍ଷ୍ୟ ଧାର୍ଯ୍ୟ କରିଛି । ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ କେବଳ ୪୮ ଓଭର ବ୍ୟାଟିଂ କରିବାର ସୁଯୋଗ ରହିଛି ।
୨୬୭ ରନ୍ର ବିଜୟ ଲକ୍ଷ୍ୟ ନେଇ ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରି ୬୨ ରନ୍ରେ ୩ଟି ୱିକେଟ୍ ହରାଇଛି । ଡେଭିଡ୍ ୱାର୍ଣ୍ଣର ୫, ଉସମାନ ଖୱାଜା ୨ ଓ କାମେରନ୍ ବାନକ୍ରାଫ୍ଟ ୧୬ ରନ୍ କରି ଆଉଟ୍ ହୋଇଛନ୍ତି । ମାର୍ନସ ଲାବୁସାନ ୨୪ ଓ ଟ୍ରେଭିସ୍ହେଡ୍ କୌଣସି ରନ୍ ନକରି ଅପରାଜିତ ରହିଛନ୍ତି ।
ଅନ୍ତିମ ଦିବସରେ ବର୍ଷା ବାଧାକ ସାଜିଥିଲା । କୋହଲା ପାଗ ଏବଂ ଓଦା ଆଉଟ୍ ଫିଲ୍ଡ ଯୋଗୁଁ ଅଢେଇ ଘଣ୍ଟା ବିଳମ୍ବରେ ଖେଳ ଆରମ୍ଭ ହୋଇଥିଲା । ଇଂଲଣ୍ଡ ଅସମାପ୍ତ ଦ୍ୱିତୀୟ ଇନିଂସ ୪/୯୬ ରନ୍ରୁ ଖେଳ ଆରମ୍ଭ କରିଥିଲା । ପୂର୍ବ ଦିନରୁ ଅପରାଜିତ ଥିବା ବେନ୍ ଷ୍ଟୋକ୍ସ ଓ ଜୋସ ବଟଲର ସତର୍କତାର ସହ ବ୍ୟାଟିଂ କରି ସ୍ଥିତି ଦୃଢ କରିଥିଲେ । ଉଭୟ ପଞ୍ଚମ ୱିକେଟ୍ରେ ୯୦ ରନ୍ ଯୋଗ କରିଥିଲେ । ଦଳୀୟ ସ୍କୋର ୧୬୧ ବେଳେ ବ୍ୟକ୍ତିଗତ ୩୧ ରନ୍ କରି ବଟଲର ଆଉଟ୍ ହୋଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଜନି ବେୟାରଷ୍ଟୋ ଅପରାଜିତ ଷ୍ଟୋକ୍ସଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ଷ୍ଟୋକ୍ସ ଆକର୍ଷଣୀୟ ସଟ୍ ମାନ ଖେଳି ସପ୍ତମ ଟେଷ୍ଟ ଶତକ ଅର୍ଜନ କରିଥିଲେ । ଅସମାପ୍ତ ଷଷ୍ଠ ୱିକେଟ୍ରେ ୯୭ ରନ୍ ସଂଗୃହୀତ ହୋଇଥିଲା । ଦଳୀୟ ସ୍କୋର ୨୫୮ ବେଳେ ଅଧିନାୟକ ପାଳି ଘୋଷଣା କରିଥିଲେ । ପୂର୍ବରୁ ପ୍ରଥମ ଇନିଂସରେ ଇଂଲଣ୍ଡ ୮ ରନ୍ରେ ଅଗ୍ରଣୀ ହାସଲ କରିଥିଲା । ଷ୍ଟୋକ୍ସ ୧୧ଟି ଚୌକା ଓ ୩ଟି ଛକା ବଳରେ ୧୧୫ ରନ୍ କରି ଅପରାଜିତ ରହିଥିଲେ । ସେହିପରି ବେୟାରଷ୍ଟୋ ଅପରାଜିତ ୩୦(୧ଚୌକା, ୨ଛକା)ରନ୍ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ କମିନ୍ସ ୩ଟି ୱିକେଟ୍ ଅକ୍ତିଆର କରିଥିବାବେଳେ ପିଟର ସିଡଲ୍ ୨ଟି ୱିକେଟ୍ ନେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons