ଲଣ୍ଡନ: ଘରୋଇ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଆସେସ ଟେଷ୍ଟରେ ଆହତ ହୋଇଥିବା ଷ୍ଟିଭେନ ସ୍ମିଥ୍ଙ୍କୁ ବିଶ୍ରାମ ଦିଆଯାଇଛି । ଫଳରେ ଚଳିତ ଟେଷ୍ଟର ଅନ୍ତିମ ଦିବସରେ ସେ ଖେଳିପାରିବେ ନାହିଁ । ତାଙ୍କ ସ୍ଥାନରେ ବଦଳ ଖେଳାଳି ଭାବେ ମାର୍ନସ ଲାବୁସାନଙ୍କୁ ଏକାଦଶରେ ସ୍ଥାନ ମିଳିଛି । ଆଇସିସିର ନୂତନ ନିୟମ ଅନୁଯାୟୀ ମୁଣ୍ଡରେ ଆଘାତ ଲାଗିଲେ ଉକ୍ତ ଖେଳାଳିଙ୍କୁ ତୁରନ୍ତ ବାଦ ଦିଆଯାଇ ତାଙ୍କ ସ୍ଥାନରେ ଅନ୍ୟ ଜଣେ ଖେଳାଳିଙ୍କୁ ସାମିଲା କରାଯାଇ ପାରିବ । ସେ ମ୍ୟାଚ୍ର ବାକି ସମୟ ଖେଳି ପାରିବେ ।
ପୂର୍ବରୁ କୌଣସି ଖେଳାଳି ଆହତ ହେଲେ ତାଙ୍କ ସ୍ଥାନରେ ବଦଳ ଖେଳାଳିମାନେ କେବଳ ଫିଲ୍ଡିଂ କରିବାର ନିୟମ ରହିଥିଲା । ହେଲେ ବିଶ୍ୱକପ୍ ପରେ ଆଇସିସି କେବଳ ମୁଣ୍ଡରେ ଆଘାତ ଜନିତ ସମସ୍ୟାକୁ ନେଇ ନୂତନ ନିୟମକୁ ପରୀକ୍ଷାମୂଳକ ଭାବେ ପ୍ରୟୋଗ କରିବାକୁ ନିଷ୍ପତ୍ତି ନେଇଥିଲା ।
ମ୍ୟାଚ୍ର ଚତୁର୍ଥ ଦିବସରେ ଜୋଫ୍ରା ଆର୍ଚରଙ୍କ ଏକ ସଟ୍ ପିଚ୍ ବଲ୍ରେ ସ୍ମିଥ୍ ୨ଥର ଆଘାତ ପ୍ରାପ୍ତ ହୋଇଥିଲେ । ଦ୍ୱିତୀୟ ଅଧିବେଶନ ଆରମ୍ଭ ହେବା ପରେ ପରେ ଆର୍ଚରଙ୍କ ଏକ ସଟ୍ ପିଚ୍ ବଲ୍ ସ୍ମିଥ୍ଙ୍କ ବାମ ବାହୁରେ ବାଜିଥିଲା । ଆଘାତ ସତ୍ତେ୍ୱ ସେ ଗୋଟିଏ ପଟେ ସାହସର ସହ ଇଂଲଣ୍ଡ ବୋଲରଙ୍କ ସାମ୍ନା କରିଥିଲେ ।
ଏହାପରେ ଇଂଲଣ୍ଡ ବ୍ୟାଟିଂର ୭୭ତମ ଓଭରରେ ଆର୍ଚରଙ୍କ ଅନ୍ୟ ଏକ ବାଉନ୍ସରକୁ ଛାଡ଼ିବାକୁ ଉଦ୍ୟମ କରି ସ୍ମିଥ୍ ବିଫଳ ହୋଇଥିଲେ । ବଲ୍ଟି ସିଧା ସ୍ମିଥ୍ଙ୍କ ବେକ(ବାମ କାନ ତଳ ଭାଗ)ରେ ବାଜିଥିଲା । ସେ ସେହିଠାରେ ଟଳି ପଡ଼ିଥିଲେ । ସ୍ମିଥଙ୍କୁ ଡ୍ରେସିଂ ରୁମ୍ ପଠାଇ ଦିଆଯାଇଥିଲା । ସେତେବେଳେ ସ୍ମିଥ୍ ୮୦ ରନ୍ କରି ବ୍ୟାଟିଂ କରୁଥିଲେ । ଡ୍ରେସିଂ ରୁମ୍ରେ ଆଘାତ ସ୍ଥାନର ଅନେକ ପରୀକ୍ଷା କରାଯାଇଥିଲା । ସବୁ ପରୀକ୍ଷାରେ ସଫଳ ହେବା ସହ ୪୦ ମିନିଟ୍ର ବିଶ୍ରାମ ପରେ ସ୍ମିଥ୍ ପୂଣିଥରେ ବ୍ୟାଟିଂ କରିବା ପାଇଁ ଗ୍ରାଉଣ୍ଡକୁ ଓହ୍ଲାଇଥିଲେ । ସେ ୯୨ ରନ୍ କରି ଆଉଟ୍ ହୋଇଥିଲେ ।
ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ୨୫୦ ରନ୍ କରି ଅଲ୍ ଆଉଟ୍ ହୋଇଯିବା ପରେ ଇଂଲଣ୍ଡ ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିଥିଲେ ହେଁ ସ୍ମିଥ୍ ଫିଲ୍ଡିଂ ପାଇଁ ଓହ୍ଲାଇ ନଥିଲେ ।
ପଞ୍ଚମ ଦିବସ ଖେଳ ପାଇଁ ଅଷ୍ଟ୍ରେଲିଆ ଦଳ ପ୍ରସ୍ତୁତ ହେଉଥିବାବେଳେ ସ୍ମିଥ୍ଙ୍କ ମୁଣ୍ଡରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ପ୍ରବଳ ମୁଣ୍ଡବିନ୍ଧା ଓ ମସ୍ତିଷ୍କରେ ଅସ୍ଥିରତା ଅନୁଭୂତ ହେବାରୁ ଆଘାତ ସ୍ଥାନର ପୁନଃ ପରୀକ୍ଷା ପାଇଁ ତାଙ୍କୁ ଡାକ୍ତରଖାନା ପଠାଇ ଦିଆଯାଇଥିଲା ।
ସ୍ମିଥ୍ଙ୍କ ଅନୁପସ୍ଥିତି ବିଷୟରେ ଅଷ୍ଟ୍ରେଲିଆ ଟିମ୍ ମ୍ୟାନେଜମେଣ୍ଟ ମ୍ୟାଚ୍ ରେଫରୀଙ୍କୁ ଅବଗତ କରାଇବା ସହ ବଦଳ ଖେଳାଳି ସାମିଲ କରିବାକୁ ଚାହୁଁଥିବା ଜଣାଇଥିଲେ । ମ୍ୟାଚ୍ ରେଫରୀଙ୍କ ସ୍ୱୀକୃତି କ୍ରମେ ଲାବୁସାନଙ୍କୁ ଅନ୍ତିମ ଦିବସ ପାଇଁ ଏକାଦଶରେ ସାମିଲ କରାଯାଇଛି । ସେ ସ୍ମିଥ୍ଙ୍କ ସ୍ଥାନରେ ବୋଲିଂ ଓ ବ୍ୟାଟିଂ କରିପାରିବେ । ୧୪୨ ବର୍ଷର ଟେଷ୍ଟ ଇତିହାସରେ ଲାବୁସାନ ପ୍ରଥମ ବଦଳ ଖେଳାଳି ଭାବେ ଏକାଦଶରେ ସାମିଲ ହୋଇଛନ୍ତି ।
ଆସନ୍ତା ୨୨ ତାରିଖରୁ ଡେଡିଂଲେ ଠାରେ ତୃତୀୟ ଟେଷ୍ଟ ଆରମ୍ଭ ହେବ । ସ୍ମିଥ୍ ଏହି ଟେଷ୍ଟ ଖେଳିବା ନେଇ ଆଶଙ୍କା ରହିଛି । ୪ଦିନ ମଧ୍ୟରେ ସ୍ମିଥ୍ଙ୍କ ଚିକିତ୍ସା ଜାରି ରହିବ ।
Comments are closed, but trackbacks and pingbacks are open.