ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା । ପାଣିପାଗ ପୂର୍ବାନୁମାନ କହୁଛି, ଲଘୁଚାପଜନିତ ବର୍ଷା ଆହୁରି ୪ ଦିନ ଲାଗି ରହିବ ଓଡ଼ିଶାରେ । ଉପକୂଳ ତୁଳନାରେ ଆଭ୍ୟନ୍ତରୀଣ ଅଂଚଳରେ ବର୍ଷା ବଢ଼ିବ ।
ପାଣିପାଗ ବିଭାଗର ସୂଚନା ମୁତାବକ, ଗତ ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହୋଇଛି । ଗୁରୁବାର ସକାଳୁ ଶୁକ୍ରବାର ସକାଳ ୮ଟା ୩୦ ସୁଦ୍ଧା ବାସୁଦେବପୁରରେ ସର୍ବାଧିକ ୬୫ ମିଲିମିଟର, ରାମପୁରମଦନପୁରରେ ୬୨ ମିମି, ବାଲେଶ୍ୱରରେ ୫୫, ଚାନ୍ଦବାଲିରେ ୪୮.୩, ପୁରୀରେ ୪୩.୩, ନୀଳଗିରିରେ ୪୩, ଆଖୁଆପଦାରେ ୪୦.୮, ନୟାଗଡ଼ରେ ୪୦.୨, ସମ୍ବଲପୁରରେ ୪୬, ବଲାଙ୍ଗିରରେ ୩୮, ଫୁଲବାଣୀରେ ୩୮, ବନ୍ତରେ ୩୮, କଟକରେ ୩୭.୨, ତିରିଂରେ ୩୬.୪, ଜେନାପୁରରେ ୩୬.୪, ରାଜକନିକାରେ ୩୩ ମିମି ବର୍ଷା ହୋଇଥିଲା ।
ଶୁକ୍ରବାର ସକାଳୁ ସନ୍ଧ୍ୟା ଭିତରେ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ସ୍ଥାନେ ସ୍ଥାନେ ଅସରାଏ ଲେଖାଏଁ ପ୍ରବଳ ବର୍ଷା ଛେଚିଛି ।
ପାଣିପାଗ ବିଭାଗର ଆକଳନ କହୁଛି, ଶନିବାର (୩ ତାରିଖ) ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ବରଗଡ଼, ବୌଦ୍ଧ, ଗଞ୍ଜାମ, ପୁରୀ, ସୋନପୁର, ନୟାଗଡ଼, ରାୟଗଡ଼ା, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ରବିବାର (୪ ତାରିଖ) ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହୋଇପାରେ । ଉତ୍ତର ଓଡ଼ିଶାର ଅନେକ ଜାଗାରେ ବି ବର୍ଷା ସମ୍ଭାବନା ଅଛି । କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ା, ସୋନପୁର, ବୌଦ୍ଧ, କନ୍ଧମାଳ, ସମ୍ବଲପୁର, ଅନୁଗୁଳ, ମୟୂରଭଞ୍ଜ, କଟକ, ଢେଙ୍କାନାଳ, ଗଞ୍ଜାମରେ ପ୍ରବଳ ବର୍ଷିପାରେ । ଆସନ୍ତା ୫ ଓ ୬ ତାରିଖରେ ମଧ୍ୟ ରାଜ୍ୟରେ ବର୍ଷା ଜାରି ରହିବ । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ବେଶି ବର୍ଷା ସମ୍ଭାବନା ଅଛି ।
ଲଘୁଚାପ ଏବେ ଉତ୍ତର ପଶ୍ଚିମ ଓ ପାଶ୍ୱର୍ବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଉତ୍ତର ଓଡ଼ିଶା ଏବଂ ଆନ୍ଧ୍ର ଉପକୂଳରେ ରହିଛି । ଏହା ପ୍ରଭାବରେ ଓଡ଼ିଶା ଉପକୂଳରେ ଘଣ୍ଟା ପ୍ରତି ୪୦-୫୦ କିମି ବେଗରେ ପବନ ବହିପାରେ । ଏହା ସହ ସମୁଦ୍ର ଅଶାନ୍ତ ରହିପାରେ । ତେଣୁ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି । ଲଗାଣ ବର୍ଷା ନେଇ ଜିଲ୍ଲାପାଳମାନଙ୍କୁ ସତର୍କତା ପଦକ୍ଷେପ ନେବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା ନିଦେ୍ର୍ଧଶ ଦେଇଛନ୍ତି ।


Comments are closed, but trackbacks and pingbacks are open.