ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆୟୁଷ୍ମାନ ଭାରତରେ କେବଳ ଜଟିଳ ରୋଗର ଚିକିତ୍ସା ହୋଇ ପାରୁଛି । ହେଲେ ରାଜ୍ୟ ସରକାର ଆରମ୍ଭ କରିଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ୱାସ୍ଥ୍ୟ ଉପକେନ୍ଦ୍ରଠାରୁ ଆରମ୍ଭ କରି ମେଡ଼ିକାଲ କଲେଜ ଯାଏ ଚିକିତ୍ସା ସଂପୂର୍ଣ୍ଣ ମାଗଣା । ପ୍ରାଥମିକ ଚିକିତ୍ସାଠୁ ଆରମ୍ଭ କରି ଜଟିଳ ସ୍ୱାସ୍ଥ୍ୟସେବା ସବୁ ମାଗଣାରେ ହେଉଛି । ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଆଜି ବିଧାନସଭାରେ ଏହା ଦର୍ଶାଇଛନ୍ତି ।
ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ପ୍ରଶ୍ନ ଆୟୁଷ୍ମାନ ଭାରତ ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କ’ଣ ଫରକ ରହିଛି । ଏହାର ଉତ୍ତରରେ ଶ୍ରୀ ଦାସ ଦର୍ଶାଇଛନ୍ତି, ଆୟୁଷ୍ମାନ ଭାରତ ଯୋଜନାରେ କେବଳ ଅନ୍ତଃ ବିଭାଗ ରୋଗୀଙ୍କୁ ଚିକିତ୍ସା ସୁବିଧା ମିଳୁଛି । ହେଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତଃ ବିଭାଗ ସହ ବହିଃ ବିଭାଗ ରୋଗୀଙ୍କୁ ମଧ୍ୟ ମାଗଣାରେ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି । ଅନ୍ତଃ ବିଭାଗ ରୋଗୀଙ୍କ ଅସ୍ତେ୍ରାପଚାର ଖର୍ଚ୍ଚ, ନିଦାନ, ଔଷଧ, ଡାଏଲେସିସ୍, କେମୋଥେରାପି ଚିକିତ୍ସା ମଧ୍ୟ ଦେୟମୁକ୍ତ ରହିଛି ।
ଆୟୁଷ୍ମାନ ଭାରତରେ ହିତାଧିକାରୀ ଅନ୍ଲାଇନ୍ରେ ଅଧାରକାର୍ଡ ଦାଖଲ କରି ଚିହ୍ନିତ ହୁଅନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସରକାରୀ ହସ୍ପିଟାଲରେ ଆୟ, ବାସସ୍ଥାନ ନିର୍ବିଶେଷରେ ସମସ୍ତଙ୍କୁ ମାଗଣା ଚିକିତ୍ସା ଦିଆଯାଉଛି । ଏଥିପାଇଁ କୌଣସି ଚିହ୍ନଟ ପ୍ରକ୍ରିୟାର ମଧ୍ୟ ଆବଶ୍ୟକତା ନାହିଁ । ଅତିରିକ୍ତ ଚିକିତ୍ସା ସେବା ସକାଶେ ମଧ୍ୟ ଆଧାର କାର୍ଡର ଆବଶ୍ୟକତା ନାହିଁ ।
କେବଳ ସେତିକି ନୁହେଁ, ଆୟୁଷ୍ମାନ ଭାରତରେ ୧୫୫୭ ପ୍ରକାର ରୋଗର ଚିକିତ୍ସା ହୋଇ ପାରୁଥିବା ବେଳେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୪୦୩୬ ପ୍ରକାର ରୋଗର ଚିକିତ୍ସା ହୋଇପାରୁଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ସରକାର ୨୦୧୮-୧୯ ଆର୍ଥିକ ବର୍ଷରେ ସମୁଦାୟ ୩,୩୩,୨୩,୬୦୭ ଟଙ୍କା ଖର୍ଚ୍ଚ କରିଛନ୍ତି ।
ଏ ସଂକ୍ରାନ୍ତରେ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଅନ୍ୟ ଏକ ପ୍ରଶ୍ନ ଥିଲା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହେବାକୁ କ’ଣ ମାନଦଣ୍ଡ ରହିଛି । ଯୋଜନାରେ ସାମିଲ ଲୋକଙ୍କୁ କେଉଁ କେଉଁ ହସ୍ପିଟାଲରେ ଚିକିତ୍ସା ସୁବିଧା ମିଳିପାରିବ । କ୍ୟାନ୍ସର ଓ କିଡ଼ନୀ ଭଳି ଦୁରାରୋଗ୍ୟ ପାଇଁ ୫ ଲକ୍ଷ ଟଙ୍କା ଯାଏ ସୁବିଧା ମିଳିବ । ନା ଅଧିକ ଖର୍ଚ୍ଚ ବାବଦରେ ଟଙ୍କା ମିଳିବାର ସୁବିଧା ରହିଛି । ଆଜି ସୁଦ୍ଧା ଯୋଜନାରେ କେତେ ରୋଗୀ, କେତେ ଟଙ୍କାର ସହାୟତା ପାଇଛନ୍ତି । ମନ୍ତ୍ରୀ ଶ୍ରୀ ଦାସ ଉତ୍ତର ରଖି କହିଛନ୍ତି, ସ୍ୱତନ୍ତ୍ର ସେବା ଯୋଜନାରେ ସାମିଲ ହେବାକୁ ବିଜୁ କୃଷକ କଲ୍ୟାଣ ଯୋଜନା, ପୁରାତନ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟବୀମା ଯୋଜନା, ଅନ୍ନପୂର୍ଣ୍ଣା ଅନ୍ତୋଦୟ ଯୋଜନା କାର୍ଡଧାରୀ ତଥା ଗ୍ରାମାଞ୍ଚଳର ବାର୍ଷିକ ଆୟ ୫୦ ହଜାରରୁ କମ୍ ଓ ସହରାଞ୍ଚଳରେ ୬୦ ହଜାର କମ୍ ହେବା ଆବଶ୍ୟକ । କିଡ଼ନୀ, କ୍ୟାନ୍ସର ଓ ହୃଦ୍ରୋଗୀଙ୍କ କ୍ଷେତ୍ରରେ ବାର୍ଷିକ ଆୟ ୩ ଲକ୍ଷରୁ କମ୍ ହେବା ଦରକାର ।କିଡ଼ନୀ ଓ କ୍ୟାନ୍ସର ପୁରୁଷ ରୋଗୀ ୫ ଲକ୍ଷ ଟଙ୍କା ଓ ମହିଳା ରୋଗୀ ୧୦ ଲକ୍ଷ ଟଙ୍କା ଯାଏ ଦେୟମୁକ୍ତ ଚିକିତ୍ସା ବେସରକାରୀ ହସ୍ପିଟାଲରେ ପାଇପାରିବେ । ଏହାବାଦ୍ ସରକାରୀ ହସ୍ପିଟାଲରେ ମଧ୍ୟ ସମସ୍ତ ପ୍ରକାର ସୁବିଧା ମିଳିପାରିବ । ୨୦୧୮ ଅଗଷ୍ଟ ୧୫ରୁ ଆଜି ଯାଏ ୬,୭୦,୫୩, ୩୬୨ ଜଣ ରୋଗୀ ସରକାରୀ ହସ୍ପିଟାଲରେ ଦେୟମୁକ୍ତ ସାର୍ବଜନୀନ ଚିକିତ୍ସା ସୁବିଧା ପାଇଛନ୍ତି । ସ୍ୱତନ୍ତ୍ର ଚିକିତ୍ସା ସେବା ୨,୦୬, ୩୦୫ ରୋଗୀ ୧୦୧,୨୬,୩୯,୬୬୧ ଟଙ୍କାର ଚିକିତ୍ସା ସହାୟତା ବେସରକାରୀ ହସ୍ପିଟାଲରେ ପାଇଛନ୍ତି ।
Comments are closed, but trackbacks and pingbacks are open.