ଇଂଲଣ୍ଡ ବିଶ୍ୱକପ ଚାମ୍ପିଅନ

Get real time updates directly on you device, subscribe now.

ଲଣ୍ଡନ: କ୍ରିକେଟ୍ ବିଶ୍ୱକପ୍ ଇତିହାସରେ ଏକ ଭିନ୍ନ ଫାଇନାଲ ମୁକାବିଲା । ପ୍ରଥମେ ମ୍ୟାଚ୍ ହେଲା ଟାଇ, ପୁଣି ସୁପର ଓଭର ମଧ୍ୟ ଟାଇ ରହିଲା । ଶେଷରେ ଚୌକା ଓ ଛକା ଗଣତିରେ ଆୟୋଜକ ଇଂଲଣ୍ଡ ହେଲା ନୂଆ ବିଶ୍ୱ ଚାମ୍ପିଅନ । କେବଳ ଚାମ୍ପିଅନ ନୁହଁ, ଦୀର୍ଘ ୪୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇ ଷଷ୍ଠ ଦଳ ଭାବେ ବିଶ୍ୱକପ୍ ଟ୍ରଫି ଉଠାଇବାର ଗୌରବ ହାସଲ କରିଛି ।
ଦଳକୁ ଚାମ୍ପିଅନ କରିବାରେ ବେନ୍ ଷ୍ଟୋକ୍ସଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ରହିଥିଲା । ସେ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷିତ ହୋଇଥିଲେ । ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲାମସନ୍ ପ୍ଲେୟାର ଅଫ୍ ଦ ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇଥିଲେ ।
ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଆଜି ପଞ୍ଚମ ବିଶ୍ୱକପ୍ ଟାଇଟଲ ଲଢ଼େଇରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ଓଭରରେ ୮ ୱିକେଟ୍ ହରାଇ ୨୪୧ ରନ୍ ସଂଗ୍ରହ କରିଥିଲା । ଜବାବରେ ଇଂଲଣ୍ଡ ନିର୍ଦ୍ଧାରିତ ଓଭରରେ ସମସ୍ତ ୱିକେଟ୍ ହରାଇ ୨୪୧ ରନ୍ କରିଥିଲା । ମ୍ୟାଚ୍ ଟାଇ ହେବା ପରେ ସୁପର ଓଭର ହୋଇଥିଲା ।
ସୁପର ଓଭରରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିଥିଲା । ବେନ ଷ୍ଟୋକ୍ସ ଓ ଜୋସ ବଟଲର ବ୍ୟାଟିଂ କରିଥିଲେ । ଟ୍ରେଣ୍ଟ ବୋଲ୍ଟଙ୍କ ଓଭରର ପ୍ରଥମ ବଲରେ ୩, ଦ୍ୱିତୀୟ ବଲ୍ରେ ୧, ତୃତୀୟ ବଲରେ ଚୌକା, ଚତୁର୍ଥ ବଲରେ ୧, ପଞ୍ଚମ ବଲରେ ୨ ଓ ଅନ୍ତିମ ବଲରେ ଚୌକା ସହ ଇଂଲଣ୍ଡ ୦/୧୫ ରନ୍ ସଂଗ୍ରହ କରିଥିଲେ । ନ୍ୟୁଜିଲାଣ୍ଡ ପାଇଁ ୧୬ ରନ୍ର ବିଜୟ ଟାର୍ଗେଟ୍ ରହିଥିଲା ।
ଜବାବରେ ନ୍ୟୁଜିଲାଣ୍ଡ ପକ୍ଷରୁ ମାର୍ଟିନ ଗୁପତିଲ ଓ ଜିମ୍ମି ନୀଶମ ବ୍ୟାଟିଂ କରିବାକୁ ଆସିଥିଲେ । ଜୋଫ୍ରା ଆର୍ଚର ଓଭରର ପ୍ରଥମ ବଲ୍ ୱାଇଡ୍ ପକାଇଥିଲେ । ଦ୍ୱିତୀୟ ବଲରେ ନୀଶମ ବିଶାଳ ଛକା ମାରିଥିଲେ । ତୃତୀୟ ଓ ଚତୁର୍ଥ ବଲରେ ପୁଣି ନୀଶମ ୨ ରନ୍ ଲେଖାଏଁ ସଂଗ୍ରହ କରିଥିଲେ । ପଞ୍ଚମ ବଲରେ ନୀଶମ ଏକ ରନ୍ ନେଇଥିଲେ । ଶେଷ ବଲରେ ଗୁପତିଲ ୨ ରନ୍ ନେବାକୁ ଯାଇ ରନ୍ ଆଉଟ୍ ହୋଇଥିଲେ । ନ୍ୟୁଜିଲାଣ୍ଡ ଏହି ଓଭରରେ ୧ ୱିକେଟ୍ ହରାଇ ୧୫ ରନ୍ ସଂଗ୍ରହ କରିଥିଲା । ସୁପର ଓଭର ଟାଇ ହୋଇଥିଲା । ମ୍ୟାଚ୍ର ଛକା ଓ ଚୌକା ହିସାବକୁ ନିଆଯାଇଥିଲା । ଏହି ଗଣିତରେ ନ୍ୟୁଜିଲାଣ୍ଡ ପରାଜିତ ହୋଇଥିଲା । ଦଳର ଚାମ୍ପିଅନ ସ୍ୱପ୍ନ ଧୂଳିସାତ ହୋଇଯାଇଥିଲା ।
ପୂର୍ବରୁ ଲର୍ଡ୍ସରେ ମୋଟ୍ ୪ ଥର ଫାଇନାଲ୍ ( ୧୯୭୫, ୧୯୭୯, ୧୯୮୩ ଏବଂ ୧୯୯୯) ଖେଳାଯାଇଛି । ୧୯୭୯ ସଂସ୍କରଣରେ ଘରୋଇ ଇଂଲଣ୍ଡ ଏଠାରେ ଫାଇନାଲ ଖେଳିଥିଲା । ହେଲେ ଡିଫେଣ୍ଡିଂ ଚାମ୍ପିଅନ ୱେଷ୍ଟଇଣ୍ଡିଜକୁ ହରାଇ ଦଳ ଚାମ୍ପିଅନ ହେବାର ଗୌରବ ହାସଲରୁ ବଞ୍ଚିତ ହୋଇଥିଲା । ଦୀର୍ଘ ୪୦ ବର୍ଷ ପରେ ପୁଣି ଦଳ ଲର୍ଡ୍ସରେ ଟାଇଟଲ ଲଢ଼େଇରେ ଅବତୀର୍ଣ୍ଣ ହୋଇ ବହୁ କଷ୍ଟରେ ଚାମ୍ପିଅନ ହୋଇଛି ।
ଘରୋଇ ଦଳ ପାଇଁ ଟାର୍ଗେଟ ସେମିତି ବଡ଼ ନଥିଲେ ବି ଓପନର ଜାସନ ରୟ ଓ ଜନି ବେୟାରଷ୍ଟୋ ଚାପର ଶିକାର ହୋଇଥିଲେ । ଫଳରେ ଏହି ଯୋଡ଼ି ଅଧିକ ସମୟ ତିଷ୍ଠିବାରେ ସଫଳ ହୋଇନଥିଲେ । ମାଟ୍ ହେନରୀ ଓପନିଂ ଯୋଡ଼ି ଭାଙ୍ଗିଥିଲେ । ୱିକେଟକିପର ଲାଥମଙ୍କ ଦ୍ୱାରା ରୟ (୧୭) କ୍ୟାଚ୍ ଆଉଟ୍ ହୋଇ ଫେରିଥିଲେ । ବେୟାରଷ୍ଟୋ ଦୀର୍ଘ ସମୟ ଧରି କ୍ରିଜରେ ତିଷ୍ଠି ରହିଥିଲେ ବି ତାଙ୍କୁ ଅନ୍ୟମାନଙ୍କ ସହଯୋଗ ମିଳିନଥିଲା । ଜୋ ରୁଟ୍ ୭ ରନ୍ କରି ଆଉଟ୍ ହେବା ପରେ ସେ (୩୬) ମଧ୍ୟ କିଛି ସମୟ ପରେ ପାଭିଲିୟନ ଫେରିଥିଲେ । ଅଧିନାୟକ ଇୟମ ମୋର୍ଗାନ(୯)ଙ୍କୁ ଜିମ୍ମି ନୀଶମ ସହଳ ଆଉଟ୍ କରି ଘରୋଇ ଦଳର ବିପର୍ଯ୍ୟୟ ଘଟାଇଥିଲେ । ଇଂଲଣ୍ଡ ମାତ୍ର ୮୬ ରନ୍ରେ ୪ଟି ୱିକେଟ୍ ହରାଇଥିଲା ।
ବେନ୍ ଷ୍ଟୋକ୍ସ ଓ ଜୋସ ବଟଲର ମଧ୍ୟଭାଗରେ ଧୈର୍ଯ୍ୟପୂର୍ଣ୍ଣ ପ୍ରଦର୍ଶନ କରିଥିଲେ । ଉଭୟଙ୍କ ମଧ୍ୟରେ ଉଚିତ ତାଳମେଳ ଯୋଗୁ ନ୍ୟୁଜିଲାଣ୍ଡ ବୋଲର ନିରାଶ ହୋଇଥିଲେ । ଷ୍ଟୋକ୍ସ-ବଟଲର ଯୋଡ଼ି ଦଳୀୟ ସ୍କୋରକୁ ୧୯୬ ରନ୍ରେ ପହଞ୍ଚାଇବା ପରେ ଲୋକି ଫର୍ଗୁସନ ଏହି ଯୋଡ଼ି ଭାଙ୍ଗିଥିଲେ । ୭ ରନ୍ ବ୍ୟବଧାନରେ ପୁଣି ଫର୍ଗୁସନ କ୍ରିସ୍ ୱକ୍ସଙ୍କ (୨) ୱିକେଟ୍ ହାସଲ କରିଥିଲେ । ପ୍ଲଙ୍କେଟ ୧୦ ଓ ଜୋଫ୍ରା ଆର୍ଚର ଖାତା ଖୋଲି ନପାରି ଆଉଟ୍ ହୋଇଥିଲେ । ଆଦିଲ ରସିଦ ରନ୍ ଆଉଟ୍ ହେବା ପରେ ସ୍ଥିତି ସଙ୍ଗୀନ ହୋଇଥିଲା । ତଥାପି ବେନ ଷ୍ଟୋକ୍ସ ଇଂଲଣ୍ଡର ମେରୁଦଣ୍ଡ ହୋଇ ଛିଡ଼ା ହୋଇଥିଲେ । ଶେଷ ଓଭରର ଅନ୍ତିମ ବଲ୍ରେ ଘରୋଇ ଦଳ ବିଜୟ ପାଇଁ ୨ ରନ୍ ଆବଶ୍ୟକ କରୁଥିଲା । ଟ୍ରେଣ୍ଟ ବୋଲ୍ଟଙ୍କ ଏହି ବଲ୍କୁ ବଡ଼ ସଟ୍ ଖେଳିବାକୁ ପ୍ରୟାସ କରି ଷ୍ଟୋକ୍ସ ବିଫଳ ହୋଇଥିଲେ । ୨ ରନ୍ ନେବାକୁ ଯାଇ ଶେଷରେ ନନ୍ ଷ୍ଟ୍ରାଇକରେ ମାର୍କ ଉଡ୍ ରନ୍ ଆଉଟ୍ ହୋଇ ଯାଇଥିଲେ । ମ୍ୟାଚ୍ ଟାଇ ହୋଇଯାଇଥିଲା । ଷ୍ଟୋକ୍ସ ୮୪ ରନ୍ କରି ଅପରାଜିତ ରହିଥିଲେ । ଫର୍ଗୁସନ ଓ ନୀଶମ ପ୍ରତ୍ୟେକ ୩ଟି ଲେଖାଏଁ ୱିକେଟ୍ ହାସଲ କରିଥିଲେ ।
ଫାଇନାଲରେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲାମସନ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ମାର୍ଟିନ ଗୁପତିଲ ଓ ହେନରୀ ନିକୋଲ୍ସ ଇନିଂସ ଓପନ କରିଥିଲେ । ଏହି ଯୋଡ଼ି ଦଳକୁ ଏକ ବଡ଼ ଭାଗିଦାରୀ ପ୍ରଦାନ କରିବାରେ ବିଫଳ ହୋଇଥିଲେ । କ୍ରିସ୍ ୱକ୍ସଙ୍କ ଦ୍ୱାରା ଏଲବିଡବ୍ଲ୍ୟୁ ହୋଇ ଗୁପତିଲ (୧୯) ପାଭିଲିୟନ ଫେରିଥିଲେ । କ୍ରିସ୍ ୱକ୍ସ ଓ ଜୋଫ୍ରା ଆର୍ଚର ଯୋଡ଼ି ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନଙ୍କ ଉପରେ ପ୍ରବଳ ଚାପ ସୃଷ୍ଟି କରିଥିଲେ । ନିକୋଲ୍ସଙ୍କ ଅତି ଧୈର୍ଯ୍ୟର ସହ ଏହି ଦୁଇ ଘରୋଇ ବୋଲରଙ୍କୁ ସାମ୍ନା କରିଥିଲେ । ଦଳୀୟ ସ୍କୋର ୨୯ ଥିବାବେଳେ କ୍ରିଜ୍କୁ ଓହ୍ଲାଇଥିଲେ ୱିଲାମସନ ।
ଦ୍ୱିତୀୟ ୱିକେଟ୍ରେ ୭୪ ରନ୍ ସଂଗୃହୀତ ହୋଇଥିଲା । ଦଳୀୟ ସ୍କୋର ୧୦୩ରେ ପହଞ୍ଚିବା ପରେ ନ୍ୟୁଜିଲାଣ୍ଡକୁ ଏକ ବଡ଼ ଝଟକା ଲାଗିଥିଲା । ଲାଏମ ପ୍ଲଙ୍କେଟ୍ ରଚିଥିଲେ ବିପର୍ଯ୍ୟୟ । ସେ ଫର୍ମରେ ରହିଥିବା ୱିଲାମସନ(୩୦)ଙ୍କୁ ଆଉଟ୍ କରିଥିଲେ । ହେନରୀ ଅର୍ଦ୍ଧଶତକ ପୂରଣ କରିବା ପରେ ଧୈର୍ଯ୍ୟ ହରାଇ ବସିଥିଲେ । ବ୍ୟକ୍ତିଗତ ୫୫ ରନ୍ କରି ସେ ପାଭିଲିୟନ ଫେରିଥିଲେ । ଭେଟେରାନ୍ ରସ ଟେଲରଙ୍କ ଉପରେ ଦଳ ପୂର୍ଣ୍ଣ ନିର୍ଭରଶୀଳ ଥିଲା । ଫାଇନାଲରେ ସେ ବଡ଼ ଇନିଂସ ଖେଳିବେ । ମାତ୍ର ସେ ଦଳକୁ ନିରାଶ କରିଥିଲେ । ୧୫ ରନ୍ କରି ଟେଲର ମାର୍କ ଉଡ୍ଙ୍କ ଶିକାର ହୋଇଥିଲେ ।
ନ୍ୟୁଜିଲାଣ୍ଡ ୧୪୧ ରନ୍ ମଧ୍ୟରେ ୪ଟି ପ୍ରମୁଖ ୱିକେଟ୍ ହରାଇ ସଂକଟରେ ପଡ଼ିଥିଲା । ୱିକେଟ୍ କିପର ଟମ୍ ଲାଥମ କ୍ରିଜ୍କୁ ଓହ୍ଲାଇବା ପରେ ସ୍ଥିତିରେ କିଛି ମାତ୍ରାରେ ସୁଧାର ଆସିଥିଲା । ଗୋଟିଏ ପଟେ ଘରୋଇ ବୋଲରଙ୍କୁ ଅତି ସାହସର ସହ ସାମ୍ନା କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ଜିମ୍ମି ନୀଶମ (୧୫)ଙ୍କ ସହ ପଞ୍ଚମ ୱିକେଟ୍ରେ ୩୨ ଓ କଲିନ୍ ଡି ଗ୍ରାଣ୍ଡହୋମ୍(୧୬)ଙ୍କ ସହ ଷଷ୍ଠ ୱିକେଟ୍ରେ ୪୬ ରନ୍ ଯୋଗ କରିବା ଫଳରେ ଦଳୀୟ ସ୍କୋର ୨୦୦ ଅତିକ୍ରମ କରିଥିଲା । ସେ ୪୭(୨ଚୌକା ୧ଛକା) ରନ୍ କରି ଆଉଟ୍ ହୋଇଥିଲେ । ଶେଷରେ ନ୍ୟୁଜିଲାଣ୍ଡର ସ୍କୋର ୮/୨୪୧ରେ ଅଟକିଥିଲା । ଇଂଲଣ୍ଡ ପକ୍ଷରୁ କ୍ରିସ୍ ୱକ୍ସ ଓ ପ୍ଲଙ୍କେଟ୍ ୩ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିବାବେଳେ ଜୋଫ୍ରା ଆର୍ଚର ଓ ମାର୍କ ଉଡ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons