ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆମେ “ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରିବା ସମୟରେ ଆମର ଇତିହାସ, ଆମର ଉତ୍ପତି ଏବଂ ପୂର୍ବପୁରୁଷଙ୍କ ବିଚାରଧାରାକୁ ଅବଲୋକନ କରି ଆଗାମୀ ୭୫ ବର୍ଷ ପର୍ଯ୍ୟନ୍ତ ପଥ ପ୍ରସ୍ତୁତ କରିବାକୁ ପଡ଼ିବ । ଶନିବାର “ଦେଖୋ ଅପନା ଦେଶ୍’ ୱେବିନାରରେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
“ଆଜାଦୀ କା ଅମୃତ ମହୋତ୍ସବ’ ପାଳନ ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ବିବିଧତାରେ ପରିପୂର୍ଣ୍ଣ ଭାରତର ସ୍ୱର୍ଣ୍ଣିମ ଇତିହାସ ଏବଂ ଭବିଷ୍ୟତ ଉପରେ ମତ ଦେଇଛନ୍ତି । ସେ କହିଛନ୍ତି, ଆମକୁ ଆମର ପ୍ରାଚୀନ ଇତିହାସ ଏବଂ ଆମର ଉତ୍ପତି ବିଷୟରେ ସ୍ପଷ୍ଟୀକରଣ ରଖିବା ଦରକାର । ବିଶ୍ୱ ଧର୍ମ ସଂସଦକୁ ସମ୍ବୋଧିତ କରିବା ସମୟରେ ବିଶ୍ୱବରେଣ୍ୟ ସ୍ୱାମୀ ବିବେକାନନ୍ଦ ମାତ୍ର ୩୦ ବର୍ଷର ଥିଲେ । ସେହିଭଳି ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂହ ମାତ୍ର ୨୩ ବର୍ଷ ବୟସରେ ଏବଂ ଖୁଦିରାମ ବୋସ ମାତ୍ର ୧୮ ବର୍ଷ ବୟସରେ ଦେଶ ପାଇଁ ଲଢ଼ି ସହିଦ ହୋଇଥିଲେ ।
ଆମେ ବିଗତ ୭୫ ବର୍ଷରେ ମିଳିଥିବା ଶିକ୍ଷା ଏବଂ ଉପଲବ୍ଧିକୁ ମନେ ପକାଇ ଆଗାମୀ ୭୫ ବର୍ଷ ପର୍ଯ୍ୟନ୍ତ ମାର୍ଗ ପ୍ରସ୍ତୁତ କରିବା ଦରକାର । ଆଗାମୀ ୨୫ ବର୍ଷରେ ଯେବେ ଆମେ ସ୍ୱାଧୀନତାର ୧୦୦ ବର୍ଷ ପାଳନ କରିବା, ସେ ସମୟରେ ଆଜିର ଯୁବପିଢ଼ି ଭବିଷ୍ୟତର ନେତୃତ୍ୱ ନେବେ । ଆମକୁ ସେହି ଯୁବପିଢ଼ିଙ୍କୁ ଭାରତର ଐତିହ୍ୟ ସହ ଯୋଡ଼ିବା ସହ ଆଧୁନିକ ସମାଜ ପାଇଁ ପ୍ରସ୍ତୁତ କରିବା ଦରକାର ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ଏବଂ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ ଭାରତର ଐତିହ୍ୟ ସହ ଯୁବପିଢ଼ିଙ୍କୁ ଯୋଡ଼ିବା ଏବଂ ଆଗାମୀ ପିଢ଼ିଙ୍କୁ ଅଗଣିତ ସାଧୁ ସନ୍ଥ ଏବଂ ମହାପୁରୁଷଙ୍କ ଅତୁଲ୍ୟ ଯୋଗଦାନ ଉପରେ ଗର୍ବ ଅନୁଭବ କରାଇବା ପାଇଁ “ଦେଖୋ ଆପନା ଦେଶ୍’ ଥିମ୍ ଉପରେ ୧୨ ଏପିସୋଡ୍ର ଏକ ଶୃଙ୍ଖଳା ପ୍ରସ୍ତୁତ କରାଯିବା ଆନନ୍ଦର ବିଷୟ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
Comments are closed, but trackbacks and pingbacks are open.