ଇମ୍ରାନ ଖାନଙ୍କ ବୟାନ:ଏବେ ପିଓକେକୁ ହାତେଇବାକୁ ଭାରତର ଯୋଜନା

Get real time updates directly on you device, subscribe now.

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର କରାଯିବାରେ ବିଚଳିତ ପାକିସ୍ତାନ ଆଜି ଭାରତକୁ ଯୁଦ୍ଧର ଧମକ ଦେଇଛି । ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏଭଳି ବୟାନ ଦେଇଛନ୍ତି । ଅବଶ୍ୟ ତାଙ୍କ ବୟାନରୁ ପାକିସ୍ତାନର ଭୟ ସ୍ପଷ୍ଟ ଭାବେ ଜଣାପଡୁଛି । ଇମ୍ରାନ ଖାନ କହିଛନ୍ତି ଯେ ଭାରତ ଧାରା ୩୭୦ ପ୍ରତ୍ୟାହାର କରିବା ପରେ ଚୁପ୍ ହୋଇ ବସିରହିବ ନାହିଁ । ସିଏ ପିଓକେକୁ ବି ନିଜ କବ୍ଜାକୁ ଆଣିବାକୁ ପ୍ରୟାସ କରୁଛି । ଏଥିପାଇଁ ବଡ଼ଧରଣର ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତି କରୁଛି । ପୁଲୱାମା ବିସ୍ଫୋରଣ ପରେ ଭାରତ ଯେପରି ବାଲାକୋଟରେ ଆକ୍ରମଣ କରିଥିଲା, ତା’ଠାରୁ ବି ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ଲାନ୍ କରୁଛି । କିନ୍ତୁ ଭାରତ ଯଦି ଏପରି ହରକତ କରେ, ତାହାହେଲେ ପାକିସ୍ତାନ ତା’ର ସମୁଚିତ ଜବାବ ଦେବ । ଜମ୍ମୁ-କାଶ୍ମୀରକୁ ନେଇ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହେଲେ ଏଥିପାଇଁ ଭାରତ, ଜାତିସଂଘ ଓ ଆନ୍ତର୍ଜାତିକ ସମୁଦାୟ ଦାୟୀ ରହିବେ ।
ବୁଧବାର ପାକିସ୍ତାନର ସ୍ୱାଧୀନତା ଦିବସ ଅବସରରେ ପାକ୍ ଅଧିକୃତ କାଶ୍ମୀରର ବିଧାନସଭାକୁ ସମ୍ବୋଧନ କରି ସେ ଏହା କହିଛନ୍ତି ।
ଇମ୍ରାନଙ୍କ ବୟାନରୁ ଭାରତର ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନେଇ ପାକିସ୍ତାନ କେତେ ଭୟଭୀତ ତାହା ଜଳଜଳ ଦେଖାଯାଉଛି । ସେହିପରି ଇମ୍ରାନ ଆଜି ପରୋକ୍ଷରେ ସ୍ୱୀକାର କରିନେଇଛନ୍ତି ଯେ ବାଲାକୋଟରେ ଭାରତ କରିଥିବା ବିମାନ ଆକ୍ରମଣରେ ପାକିସ୍ତାନର ଯଥେଷ୍ଟ କ୍ଷୟକ୍ଷତି ହୋଇଥିଲା । ପାକିସ୍ତାନ ଏହାକୁ ପୂର୍ବରୁ ଅସ୍ୱୀକାର କରୁଥିଲା ଏବଂ ସେଇ ଆକ୍ରମଣରେ କେବଳ କେତୋଟି ଗଛ ଉପୁଡିଥିଲା ବୋଲି ଦାବି କରିଥିଲା ।
ଇମ୍ରାନ ଆଜି ଆହୁରି କହିଛନ୍ତି ଯେ ‘ ସେ ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ସମ୍ପର୍କରେ ପ୍ରକୃତ ସତକୁ ଦୁନିଆ ସାମ୍ନାରେ ରଖିଛନ୍ତି । ସେ କାଶ୍ମୀରବାସୀଙ୍କ ସ୍ୱର ପାଲଟିବେ । ପ୍ରତ୍ୟେକ ମଞ୍ଚରେ ପାକିସ୍ତାନ ଏହି ପ୍ରସଙ୍ଗ ଉଠାଇବ । ପାକିସ୍ତାନ ଏହାକୁ ଜାତିସଂଘ ସୁରକ୍ଷା ପରିଷଦରେ ଉତ୍ଥାପନ କରିବ । ଆବଶ୍ୟକ ହେଲେ ଏହାକୁ ନେଇ ଆନ୍ତର୍ଜାତିକ ଅଦାଲତରେ ବି ଅଭିଯୋଗ କରିବ । ଆଉ କିଛି ଦିନ ଭିତରେ ଲଣ୍ଡନରେ ଏହି ପ୍ରସଙ୍ଗରେ ଏକ ବଡ଼ ର‌୍ୟାଲି ଆୟୋଜନ କରାଯିବ ।
‘ ବିଜେପିର ନେତାମାନେ ରୁଗ୍ଣ ମାନସିକତା ସମ୍ପନ୍ନ ଅଟନ୍ତି । ଭାରତ ଏକ ସହିଷ୍ଣୁ ସମାଜ ଭାବେ ବିବେଚିତ ହେଉଥିଲା କିନ୍ତୁ ଏବେ ସେମାନେ ଯାହା କରିଛନ୍ତି, ସେଥିପାଇଁ ସେମାନଙ୍କୁ ଗମ୍ଭୀର ପରିଣାମ ଭୋଗ କରିବାକୁ ପଡ଼ିବ । ସେମାନେ ସୁପ୍ରିମକୋର୍ଟର ନିଷ୍ପତ୍ତର ଅବମାନନା କରିଛନ୍ତି । ସେଠାରେ ବିଚାରପତିମାନେ ବି ଏବେ ଭୟଭୀତ ହୋଇକି ଅଛନ୍ତି । ମିଡିଆକୁ ବିଜେପି ନିୟନ୍ତ୍ରଣ କରୁଛି । ଭାରତରେ ମୁସଲମାନମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ସେମାନେ ଯେବେ ବି ସ୍ୱର ଉଠାଉଛନ୍ତି, ସେମାନଙ୍କୁ ପାକିସ୍ତାନ ଚାଲିଯିବାକୁ କୁହାଯାଉଛି । ଆରଏସଏସର ଜିନ୍ ବୋତଲ ଭିତରୁ ବାହାରି ଆସିଛି କିନ୍ତୁ କେହି ତା’କୁ ବୋତଲ ଭିତରେ ପୁଣି ଭର୍ତ୍ତି କରିବାକୁ ସାହସ କରୁନାହାନ୍ତି । ମୁଁ ମୋଦିଙ୍କୁ କହିଦେବାକୁ ଚାହେଁ କି ଯଦି ତମ ତରଫରୁ କିଛି ହରକତ କରାଗଲା, ତାହାହେଲେ ଆମେ ତା’ର ୧୦ ଗୁଣ ଅଧିକ ଜବାବ ଦେବୁ’ ।
ପାକ୍ ସେନା ଦେଲା ପୁଣି ଯୁଦ୍ଧର ଧମକ
ପାକ୍ ସେନା ଆଜି ପୁଣି ଥରେ ଭାରତକୁ ଯୁଦ୍ଧର ଧମକ ଦେଇଛି । ବୁଧବାର ପାକ୍ ସେନାର ଜନସମ୍ପର୍କ ବିଭାଗର ପ୍ରବକ୍ତା ମେଜର ଜେନେରାଲ ଅସିଫ ଗଫୁର କହିଛନ୍ତି ଯେ କାଶ୍ମୀରର ସତ୍ୟ ୧୯୪୭ର ଏକ ଦସ୍ତାବିଜ୍ ଯୋଗୁ ବଦଳିବ ନାହିଁ । ଭବିଷ୍ୟତରେ ବି କେହି ଏପରି କରିପାରିବେ ନାହିଁ । ଦକ୍ଷିଣ ଏସିଆରେ ରାଜୁତି କରିବା ପାଇଁ ଭାରତର ମହତ୍ତ୍ୱାକାଂକ୍ଷା ବିରୋଧରେ ଏବଂ କାଶ୍ମୀରବାସୀଙ୍କ ସହିତ ପାକିସ୍ତାନ ସବୁବେଳେ ଠିଆ ହୋଇଛି । କାଶ୍ମୀର ପ୍ରସଙ୍ଗରେ ଭାରତ ସହିତ କେବେ ବି କୌଣସି ପ୍ରକାର ବୁଝାମଣା କରାଯିବ ନାହିଁ । ଆମେ କୌଣସି ପ୍ରକାର ପରିଣାମର ଚିନ୍ତା ନକରି କାଶ୍ମୀରବାସୀଙ୍କ ସାଥିରେ ଠିଆ ହେବୁ । ଏଥିପାଇଁ ଯେକୌଣସି ମୁହୂର୍ତ୍ତରେ ଯେକୌଣସି ପଦକ୍ଷେପ ନେବା ପାଇଁ ପାକ୍ ସେନା ସବୁବେଳେ ପ୍ରସ୍ତୁତ ହୋଇ ରହିଛି ।
ଜାତିସଂଘ ସୁରକ୍ଷା ପରିଷଦର ଜରୁରୀ ବୈଠକ ଡାକିବାକୁ ପାକ୍ର ନିବେଦନ
ଜମ୍ମୁ-କାଶ୍ମୀର ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ଜାତିସଂଘ ସୁରକ୍ଷା ପରିଷଦର ଏକ ଜରୁରୀ ବୈଠକ ଡାକିବାକୁ ପାକ୍ ସରକାର ନିବେଦନ କରିଛନ୍ତି । ପାକିସ୍ତାନର ବିଦେଶ ମନ୍ତ୍ରୀ ଶାହ ମେହମ୍ମୁଦ କ୍ୟୁରେସୀ ଏଥିପାଇଁ ସୁରକ୍ଷା ପରିଷଦର ଅଧ୍ୟକ୍ଷଙ୍କୁ ପତ୍ର ଲେଖିଛନ୍ତି । ପୂର୍ବରୁ ଜାତିସଂଘ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ମନା କରିଦେଇଥିଲା । କିନ୍ତୁ ପାକିସ୍ତାନ ପୁଣି ଥରେ ଏଭଳି ନିବେଦନ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons