
ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ବିଧିବଦ୍ଧ ଭାବେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ୪ ପୃଷ୍ଠାର ଆବେଗଭରା ଚିଠି ଲେଖି ଟୁଇଟରରେ ସେ ଇସ୍ତଫା ଦେବା ବିଷୟ ଘୋଷଣା କରିଛନ୍ତି । ଏଥିସହ ଦଳର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣକାରୀ ସଂସ୍ଥା କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି)କୁ ନୂଆ ଅଧ୍ୟକ୍ଷ ଚୟନ କରିବାକୁ କହିଛନ୍ତି । ରାହୁଲଙ୍କ ଇସ୍ତଫାକୁ ନେଇ ଦଳୀୟ ମହଲରେ ଅବେଗପୂର୍ଣ୍ଣ ପ୍ରତିକ୍ରିୟା ପ୍ରକାଶ ପାଇଛି । ଅନ୍ୟପକ୍ଷରେ ପଦ ଛାଡ଼ିଥିଲେ ମଧ୍ୟ ରାହୁଲଙ୍କୁ ବିଜେପି ଟାର୍ଗେଟ କରିବା ଛାଡ଼ି ନାହିଁ ।
ସଂସଦ ଭବନ ବାହାରେ ଆଜି ସାମ୍ବାଦିକମାନଙ୍କୁ ରାହୁଲ କହିଛନ୍ତି ଯେ ଭବିଷ୍ୟତରେ ଦଳୀୟ ସଙ୍ଗଠନକୁ ମଜଭୁତ କରିବାକୁ ହେଲେ ଉତ୍ତରଦାୟିତ୍ୱ ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଦଳର ନୂଆ ଅଧ୍ୟକ୍ଷ ଶୀଘ୍ର ନିଯୁକ୍ତ ହେବା ଉଚିତ । ନୂଆ ଅଧ୍ୟକ୍ଷ ବାଛିବାରେ ତାଙ୍କର କୌଣସି ଭୂମିକା ରହିବ ନାହିଁ । କାରଣ ସେ ଇସ୍ତଫା ଦେଇସାରିଛନ୍ତି । ସେ ଆଉ ଦଳର ଅଧ୍ୟକ୍ଷ ନାହାନ୍ତି । ତେଣୁ ଦଳ ହିଁ ନୂଆ ଅଧ୍ୟକ୍ଷ ଚୟନ କରିବ । ଏଥିପାଇଁ କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି) ବୈଠକ ତୁରନ୍ତ ବସି ଏହା ଉପରେ ନିଷ୍ପତ୍ତି ନେବ । ଦଳର ପରବର୍ତ୍ତୀ ଅଧ୍ୟକ୍ଷ ନେହରୁ-ଗାନ୍ଧୀ ପରିବାରର କେହି ହେବା ଉଚିତ ନୁହେଁ ବୋଲି ସେ କହିଛନ୍ତି । ରାହୁଲ ଆହୁରି ମଧ୍ୟ କହିଛନ୍ତି ଯେ ଲୋକସଭା ନିର୍ବାଚନରେ କଂଗ୍ରେସର ପରାଜୟ ପାଇଁ ଊଣା ଅଧିକେ ସମସ୍ତେ ଦାୟୀ । ମାତ୍ର ଅନ୍ୟମାନଙ୍କୁ ଦାୟୀ କରି ଦଳର ଅଧ୍ୟକ୍ଷ ହୋଇଥିବାରୁ ତାଙ୍କ ଦାୟିତ୍ୱକୁ ଅଣଦେଖା କରାଯିବା ଠିକ୍ ନୁହେଁ ।
ରାହୁଲ ପଦ ଛାଡ଼ିଥିବାରୁ ବର୍ତ୍ତମାନ ସିଡବ୍ଲ୍ୟୁସି ବୈଠକ ବସି ନୂଆ ଅଧ୍ୟକ୍ଷ ଚୟନ କରାଯିବ । କୁହାଯାଉଛି କି ଦଳର ବରିଷ୍ଠ ନେତା ମୋତିଲାଲ ଭୋରା କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତ ହୋଇପାରନ୍ତି । ପାରମ୍ପରିକ ଭାବେ ଦଳର ଅଧ୍ୟକ୍ଷ ନଥିବା ବେଳେ କଂଗ୍ରେସର ସବୁଠାରୁ ବରିଷ୍ଠତମ ନେତା ଦଳର ଦାୟିତ୍ୱରେ ରହିଥାନ୍ତି । ସୂଚନାଯୋଗ୍ୟ ଯେ ୨୦୧୭ ଡିସେମ୍ବରରେ ରାହୁଲ କଂଗ୍ରେସର ମଙ୍ଗ ଧରିଥିଲେ । କିନ୍ତୁ ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସର ପ୍ରଚଣ୍ଡ ପରାଜୟ ପରେ ତାଙ୍କ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠିଥିଲା । ନିର୍ବାଚନରେ କଂଗ୍ରେସ ମାତ୍ର ୫୨ଟି ଆସନ ହାସଲ କରିଥିଲା । କଂଗ୍ରେସର ଏଭଳି ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଦଳର ମୁଖ୍ୟ ଭାବେ ରାହୁଲ ନିଜକୁ ଦାୟୀ କରିଥିଲେ । ତେଣୁ ସେ ଗତ ମେ ୨୫ରେ ବସିଥିବା ସିଡବ୍ଲ୍ୟୁସି ବୈଠକରେ ଅଧ୍ୟକ୍ଷ ପଦ ଛାଡ଼ିବା ଲାଗି ପ୍ରସ୍ତାବ ଦେଇଥିଲେ । ମାତ୍ର ତାଙ୍କ ପ୍ରସ୍ତାବକୁ ସିଡବ୍ଲ୍ୟୁସି ସର୍ବସମ୍ମତକ୍ରମେ ଅଗ୍ରାହ୍ୟ କରିଦେଇଥିଲା । ହେଲେ ରାହୁଲ ନିଜ ଜିଦ୍ରେ ଅଟଳ ରହିଥିଲେ । ଦଳର ବହୁ ବରିଷ୍ଠ ନେତା ରାହୁଲଙ୍କୁ ନିଷ୍ପତ୍ତି ପ୍ରତ୍ୟାହାର ଲାଗି ମନାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ନିକଟରେ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ତାଙ୍କୁ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଅନୁରୋଧ କରିଥିଲେ । ବିଶେଷକରି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ତାଙ୍କୁ ମନାଇବାକୁ ଚାହିଁଥିଲେ । ମାତ୍ର ରାହୁଲ କହିଥିଲେ ଯେ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସ ସରକାର ଥିବାରୁ ସେଠାରେ ଦଳ ଭଲ କରିବ ବୋଲି ଆଶା ଥିଲା । କିନ୍ତୁ ସେଠାରେ କଂଗ୍ରେସ ଶୋଚନୀୟ ପରାଜିତ ହେଲା ।
ରାହୁଲଙ୍କ ଇସ୍ତଫାକୁ ନେଇ କଂଗ୍ରେସ ସମେତ ବିଭିନ୍ନ ଦଳର ନେତାମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । କର୍ଣ୍ଣାଟକ କଂଗ୍ରେସ ନେତା ଡିକେ ଶିବକୁମାର କହିଛନ୍ତି ଏହା କଂଗ୍ରେସ ପାଇଁ ବଡ଼ କ୍ଷତି । ଗାନ୍ଧୀ ପରିବାର ବିନା କଂଗ୍ରେସ ଭାଙ୍ଗିଯିବ । ଗାନ୍ଧୀ ପରିବାର କଂଗ୍ରେସକୁ ଏକାଠି କରିଥିଲେ ଏବଂ କଂଗ୍ରେସ ଭାରତକୁ ଏକାଠି କରିଥିଲା । ଏନ୍ସି ନେତା ଫାରୁକ ଅବଦୁଲ୍ଲା କହିଛନ୍ତି ରାହୁଲ ନିଜ ନିଷ୍ପତ୍ତିରେ ଅଟଳ ରହିବା ସ୍ୱାଗତଯୋଗ୍ୟ ପଦକ୍ଷେପ । ସେ ଜଣେ ଯୁବ ନେତା ଓ ଭବିଷ୍ୟତରେ ପୁଣିଥରେ ଦଳର ଅଧ୍ୟକ୍ଷ ହୋଇପାରିବେ । ବର୍ତ୍ତମାନ ରାହୁଲ ଦଳର ସଙ୍ଗଠନକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରିବା ଉଚିତ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ବିଜେପି ସାଂସଦ ରାଜ୍ୟବର୍ଦ୍ଧନ ସିଂହ ରାଠୋର କହିଛନ୍ତି ଦଳର ଅଧ୍ୟକ୍ଷ ଭାବେ ରାହୁଲ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାକୁ ସେ ସ୍ୱାଗତ କରୁଛନ୍ତି । ଯେଉଁ କାରଣ ପାଇଁ ସେ ଇସ୍ତଫା ଦେଇଛନ୍ତି ବୋଲି କୁହାଯାଉଛି ବାସ୍ତବରେ ତାହା ଠିକ୍ ନୁହେଁ । ଦେଶବାସୀ ନରେନ୍ଦ୍ର ମୋଦିଙ୍କୁ ବିପୁଳ ସମର୍ଥନ କରିବା ଯୋଗୁ କଂଗ୍ରେସ ପରାଜିତ ହୋଇଛି । କଂଗ୍ରେସର ବଂଶବାଦ ଓ ଦୁର୍ନୀତିଗ୍ରସ୍ତ ରାଜନୀତିକୁ ଦେଶବାସୀ ପ୍ରତ୍ୟାଖ୍ୟାନ କରିଛନ୍ତି ।
Comments are closed, but trackbacks and pingbacks are open.