ନୂଆଦିଲ୍ଲୀ: ‘ଇସ୍ଲାମିକ୍ ମୌଳବାଦ’ ଟିପ୍ପଣୀକୁ ନେଇ ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଧିନ୍ ଓୱେସି ମଙ୍ଗଳବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଜୋରଦାର ଘେରିଛନ୍ତି । ସେ କହିଛନ୍ତି, ହାଇଦ୍ରାବାଦରେ ଯଦି ‘ଇସ୍ଲାମିକ୍ ମୌଳବାଦ’ର ମୂଳଭିତ୍ତି ରହିଛି, ତେବେ ବେଙ୍ଗଲରେ ବିଜେପି ୧୮ଟି ଆସନ ଜିତିଲା କେମିତି । ତାହାର ଜବାବ ମମତା ଦେବା ଉଚିତ । ଉଲ୍ଲେଖଯୋଗ୍ୟ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର କୁଚବିହାରରେ ଆୟୋଜିତ ଏକ ସଭାରେ ‘ଇସ୍ଲାମିକ୍ ମୌଳବାଦ’ ପ୍ରସଙ୍ଗ ଉଠାଇଥିଲେ । ହିନ୍ଦୁ ଭଳି କେତେକ ସଂଖ୍ୟାଲଘୁ ସମ୍ପ୍ରଦାୟ ମଧ୍ୟରେ ‘ମୌଳବାଦ’ ବଳବତ୍ତର ରହିଥିବା ସେ କହିଥିଲେ । ଏମିତି କି ଅସଦୁଦ୍ଧିନ୍ଙ୍କ ନାମ ନ ନେଇ ମମତା କହିଥିଲେ, ଦେଶରେ ଏକ ରାଜନୈତିକ ଦଳ ରହିଛି, ଯିଏ କି ବିଜେପିଠାରୁ ଟଙ୍କା ନେଉଛି । ହାଇଦ୍ରାବାଦରେ ଏହି ଦଳର ମୂଳଭିତ୍ତି ରହିଛି । ପଶ୍ଚିମବଙ୍ଗରେ ଏହି ଇସ୍ଲାମିକ୍ ମୌଳବାଦର ସ୍ଥାନ ନାହିଁ ବୋଲି ବୋଲି ମମତା ସ୍ପଷ୍ଟ କରିଥିଲେ ।
ମମତାଙ୍କ ଏଭଳି ଟିପ୍ପଣୀକୁ ଟାର୍ଗେଟ୍ କରି ଅସଦୁଦ୍ଧିନ୍ କହିଛନ୍ତି, ଆମ କାର୍ଯ୍ୟକୁ ଯଦି ମୁଖ୍ୟମନ୍ତ୍ରୀ ମମତା କଠୋରପନ୍ଥୀ ବୋଲି ଆଖ୍ୟା ଦେଉଛନ୍ତି, ତେବେ ଏଥିରେ ମୋର କିଛି କହିବାର ନାହିଁ । କିନ୍ତୁ ରାଜ୍ୟରେ ବିଜେପିର ପ୍ରବେଶ ପାଇଁ ସେ ଯେଉଁଭଳି ଭାବେ ସୁଯୋଗ ସୃଷ୍ଟି କଲେ ତାହାକୁ ନେଇ ମମତା ଜବାବ ଦେବା ଆବଶ୍ୟକ । ବିଜେପି କେମିତି ରାଜ୍ୟରେ ୧୮ଟି ଲୋକସଭା ଆସନ ପାଇବାକୁ ସମର୍ଥ ହେଲା, ତାହାର ଜବାବ ମଧ୍ୟ ସେ ଦେବା ଉଚିତ । ଭୋଟ୍ ପାଇଁ ମମତା ମୁସ୍ଲିମ୍ଙ୍କୁ ଖୁସି କରିବା ବନ୍ଦ କରନ୍ତୁ । ଏଭଳି ମନ୍ତବ୍ୟ ଦେଇ ମମତା ନିଜ ଭୟ ଓ କ୍ରୋଧର ପରିପ୍ରକାଶ କରୁଛନ୍ତି ବୋଲି ଟ୍ୱିଟ୍ କରି ହାଇଦ୍ରାବାଦ ସାଂସଦ ଅସଦୁଦ୍ଧିନ୍ କହିଛନ୍ତି ।
ଉଲ୍ଲେଖଯୋଗ୍ୟ, ୨୦୧୯ ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗରେ ବିଜେପି ବଡ଼ ସଫଳତା ପାଇଥିଲା । ରାଜ୍ୟର ମୋଟ ୪୨ ଲୋକସଭା ଆସନରୁ ବିଜେପି ଏକାକୀ ୧୮ଟି ହାତେଇବାରେ ସମର୍ଥ ହୋଇଥିଲା । ଏହି ସଫଳତା ପରେ ଦଳ ଏବେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଉପରେ ଆଖି ରଖିଛି । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ମମତା ନିଜ ଦଳ ଟିଏମ୍ସିର ଭିତ୍ତିକୁ ସୁଦୃଢ଼ କରିବା ପାଇଁ ଏବେଠାରୁ ପ୍ରୟାସ ଆରମ୍ଭ କରିଦେଇଛନ୍ତି । ୨୦୨୧ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ମମତା ଏବେଠାରୁ ବିଭିନ୍ନ ସମାବେଶ କରୁଥିବା ଦେଖିବାକୁ ମିଳିଛି ।
Comments are closed, but trackbacks and pingbacks are open.