ନୂଆଦିଲ୍ଲୀ: ଇଲେକ୍ଟ୍ରିକ୍ ଯାନ (ଇ-ଯାନ) ଓ ଇଲେକ୍ଟ୍ରିକ ଯାନ ଚାର୍ଜର ଉପରୁ ଦ୍ରବ୍ୟ ଓ ସେବା କର (ଜିଏସ୍ଟି) ହାର କମିଲା । ପରିବେଶ ଅନୁକୂଳ ଯାତାୟାତକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କ୍ଷମତାସମ୍ପନ୍ନ ଜିଏସ୍ଟି ପରିଷଦ ଶନିବାର ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି ।
ଜିଏସ୍ଟି ପରିଷଦର ୩୬ତମ ବୈଠକ ପରେ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ବିବୃତି ମୁତାବକ, ଏଣିକି ସମସ୍ତ ପ୍ରକାର ଇ-ଯାନ ଉପରେ ୫ଧ ଜିଏସ୍ଟି ଲାଗିବ । ପୂର୍ବରୁ ଇ-ଯାନରେ ୧୨ଧ ଜିଏସ୍ଟି ବସୁଥିଲା । ସେହିଭଳି ଇ-ଯାନ ଚାର୍ଜର ବା ଚାର୍ଜିଂ ଷ୍ଟେସନ୍ ଉପରୁ ଜିଏସ୍ଟି ହାରକୁ ଏବେକାର ୧୮ଧରୁ ୫ଧକୁ କମାଇ ଦିଆଯାଇଛି । ଅଗଷ୍ଟ ପହିଲାରୁ ଏହି ନୂଆ ଜିଏସ୍ଟି ହାର ଲାଗୁ ହେବ ।
ଏହାବ୍ୟତୀତ ଅଗଷ୍ଟ ୧ ପରଠାରୁ ସ୍ଥାନୀୟ ପ୍ରଶାସନ ଦ୍ୱାରା ଇଲେକ୍ଟ୍ରିକ୍ ବସ (୧୨ରୁ ଅଧିକ ଯାତ୍ରୀ ପରିବହନ କ୍ଷମତା ବିଶିଷ୍ଟ)କୁ ଭଡ଼ାରେ ଆଣି ଚଳାଚଳ କରିବା ଉପରେ ମଧ୍ୟ ଜିଏସ୍ଟିମୁକ୍ତ ରଖିବାକୁ ପରିଷଦ ଅନୁମୋଦନ କରିଛି ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ଏହି ଜିଏସ୍ଟି ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଏସ୍ଟି ପରିଷଦର ଅନ୍ୟ ସଦସ୍ୟ (ରାଜ୍ୟ ଅର୍ଥମନ୍ତ୍ରୀ)ମାନେ ଅଂଶଗ୍ରହଣ କରିଥିଲେ । ବୈଠକରେ ଜିଏସ୍ଟି ଆଇନରେ ପରିବର୍ତ୍ତନ ପାଇଁ ମଧ୍ୟ କେତେକ ନିର୍ଦ୍ଦିଷ୍ଟ ନିଷ୍ପତ୍ତି ନିଆଯାଇଛି ।
ବିବୃତି ଦର୍ଶାଇଛି, ସ୍ୱତନ୍ତ୍ର ସେବା ଯୋଗାଣକାରୀଙ୍କ ଦ୍ୱାରା ଟିକସ ପୈଠର ବିକଳ୍ପ ସମ୍ପର୍କରେ ଜିଏସ୍ଟି ସିଏମ୍ପି-୦୨ ଫର୍ମରେ ଅବଗତ କରାଇବାର ଶେଷ ତାରିଖକୁ ଜୁଲାଇ ୩୧ରୁ ସେପ୍ଟେମ୍ବର ୩୦କୁ ସମ୍ପ୍ରସାରଣ କରାଯାଇଛି । ସେହିଭଳି କମ୍ପୋଜିଟ୍ ସ୍କିମ୍ ଅଧୀନସ୍ଥ କରଦାତାଙ୍କ ଦ୍ୱାରା ଜୁନ୍ ତ୍ରୟମାସର ଜିଏସ୍ଟି ସିଏମ୍ପି-୦୮ ଫର୍ମ ଦାଖଲ ଅବଧିକୁ ଅଗଷ୍ଟ ୩୧କୁ ବଢ଼ାଯାଇଛି । ପୂର୍ବରୁ ଏହି ଅବଧି ଜୁଲାଇ ୩୧ ଥିଲା ।
ସୂଚନାଥାଉକି, ପରିବେଶ ଅନୁକୂଳ ଇଲେକ୍ଟ୍ରିକ ଯାନକୁ ଲୋକପ୍ରିୟ କରିବା ଉଦ୍ଦେଶ୍ୟରେ ସରକାର ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରୁଛନ୍ତି । ୨୦୨୩ ସୁଦ୍ଧା ଦେଶରେ କେବଳ ଇଲେକ୍ଟ୍ରିକ ତିନି ଚକିଆ ଓ ୨୦୨୫ ସୁଦ୍ଧା କେବଳ ଇଲେକ୍ଟ୍ରିକ ଦୁଇ ଚକିଆ (୧୫୦ ସିସିରୁ କମ୍ ବର୍ଗ) ବିକ୍ରି ପାଇଁ ଲକ୍ଷ୍ୟ ରଖାଯାଇଛି ।
ଏହାଛଡ଼ା ୨୦୧୯-୨୦ ବଜେଟ୍ରେ ସରକାର ଇ-ଯାନ କ୍ରୟ ଋଣର ସୁଧ ଉପରେ ଅତିରିକ୍ତ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ଛାଡ଼ ଘୋଷଣା କରିଛନ୍ତି । ସେହିପରି ଇ-ଯାନ ବ୍ୟବହାରକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଫେମ୍ ୨ ସ୍କିମ୍ ଅଧୀନରେ ୧୦,୦୦୦ କୋଟି ଟଙ୍କା ଅନୁମୋଦନ କରିଛନ୍ତି ।
ଇ-ଯାନକୁ ବ୍ୟୟସାପେକ୍ଷ କରି ସରକାର ପେଟ୍ରୋଲ ଏବଂ ଡିଜେଲ କାରକୁ ଖର୍ଚ୍ଚବହୁଳ କରୁଛନ୍ତି । ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ଇ-ଯାନ ଆଡ଼କୁ ଟାଣିବା । ଏହି କ୍ରମରେ ଏକ ନୂଆ ନିଷ୍ପତ୍ତି ଆଗକୁ ଲାଗୁ ହୋଇପାରେ । ଏହା ଅଧୀନରେ ନୂଆ ପେଟ୍ରୋଲ ତଥା ଡିଜେଲ କାର ପଞ୍ଜୀକରଣ ପାଇଁ ଆଗକୁ ଆପଣଙ୍କୁ ୫୦୦୦ ଟଙ୍କା ଦେବାକୁ ପଡ଼ିପାରେ । ପଞ୍ଜୀକରଣର ରିନ୍ୟୁଆଲ୍ ପାଇଁ ୧୦,୦୦୦ ଟଙ୍କା ପୈଠ କରିବାକୁ ପଡ଼ିପାରେ । ଏଭଳି ଏକ ପ୍ରସ୍ତାବ ଉପରେ ସରକାର କାର୍ଯ୍ୟ କରୁଛନ୍ତି । ସମ୍ପ୍ରତି ଉଭୟ ପାଇଁ ଦେୟ ମାତ୍ର ୬୦୦ ଟଙ୍କା ରହିଥିବାବେଳେ ଏଥିରେ ବଡ଼ ଧରଣ ବୃଦ୍ଧି ଘଟିପାରେ ।
ଯାନଗୁଡିକର ପଞ୍ଜୀକରଣ ଏବଂ ନବୀକରଣ ଦେୟକୁ ୨୦ଗୁଣରୁ ଅଧିକ ବଢ଼ାଇବା ପାଇଁ ସଡ଼କ ପରିବହନ ମନ୍ତ୍ରାଳୟ ପ୍ରସ୍ତାବ ଦେଇଛି । ଅନ୍ୟପକ୍ଷରେ, ଇଲେକ୍ଟ୍ରିକ ଯାନରେ ଆଦୌ ପଞ୍ଜୀକରଣ ଦେୟ ରହିବନି ବୋଲି ମନ୍ତ୍ରାଳୟ ଏକ ଚିଠା ପ୍ରସ୍ତାବ ଜାରି କରିସାରିଛି । ପାରମ୍ପରିକ ଯାନ ବଦଳରେ ଲୋକେ କିପରି ଇ-ଯାନ ପ୍ରତି ମନ ବଳାଇବେ ଉକ୍ତ ଲକ୍ଷ୍ୟରେ ଏହି ପ୍ରସ୍ତାବ ଦିଆଯାଇଛି । ବାଣିଜ୍ୟିକ ପେଟ୍ରୋଲ ଏବଂ ଡିଜେଲ ଯାନଗୁଡିକର ଏକାଧିକ ଫିଟ୍ନେସ୍ ଟେଷ୍ଟ ଏବଂ ୧୫ ବର୍ଷରୁ ପୁରୁଣା ବାଣିଜ୍ୟିକ ଯାନର ବର୍ଷକରେ ଦୁଇ ଥର ଫିଟ୍ନେସ୍ ଟେଷ୍ଟ କରାଯିବା ଉପରେ ପ୍ରସ୍ତାବ ଦିଆଯାଇଛି ।
Comments are closed, but trackbacks and pingbacks are open.