ରାୟଗଡ଼ା,(ବି.ବି.ନୁ୍ୟଜ୍): ରାୟଗଡ଼ା ସହରର ୩୨୬ ନମ୍ବର ଜାତୀୟ ରାଜପଥ ପାଶ୍ୱର୍ରେ ରହି ବ୍ୟବସାୟ କରୁଥିବା ଉଠା ଦୋକାନୀମାନେ ଉଚ୍ଛେଦ ନକରିବା ପାଇଁ ଦାବି କରିଛନ୍ତି । ଗତ ୭ ତାରିଖ ଦିନ ପୌର ପରିଷଦ ପକ୍ଷରୁ ଉଚ୍ଛେଦ ନେଇ ନୋଟିସ ଜାରି ହୋଇଥିଲା । କେତେକ ଉଠାଦୋକାନୀ ଏବଂ ରାସ୍ତାକଡ଼ରେ ରହିଥିବା ବସ୍ତି ବାସିନ୍ଦାଙ୍କୁ ଜବରଦଖଲ ଖାଲିକରିବା ପାଇଁ କୁହାଯାଇଥିଲା । ବସ୍ତିବାସିନ୍ଦା ନିଜର ଘରଗୁଡ଼ିକ ଭାଙ୍ଗି ଅନ୍ୟତ୍ର ଚାଲିଯାଉଥିବା ବେଳେ ଉଠା ଦୋକାନୀମାନେ ଏହାକୁ ବିରୋଧ କରିଛନ୍ତି । ଆଜି ପୌର ପରିଷଦ କାର୍ଯ୍ୟାଳୟରେ ସେମାନେ ଲିଖିତ ଭାବେ ଅଭିଯୋଗ ଦାଖଲ କରିଛନ୍ତି । ଉଚ୍ଛେଦ ନକରିବା ନିମନ୍ତେ ଦାବି ଜଣାଇବା ସହ ଦିଆଯାଇଥିବା ନୋଟିସର ପୁନର୍ବିଚାର କରିବା ପାଇଁ ନିବେଦନ କରିଛନ୍ତି । ଦୋକାନୀମାନେ କହିଛନ୍ତି ଯେ, କରୋନା କାଳରେ ଗତ ୫ମାସ ଧରି ସେମାନେ ନାନା ସମସ୍ୟା ଭୋଗିଆସୁଛନ୍ତି । ବ୍ୟବସାୟ ଠପ ହୋଇଯାଇଥିବା ବେଳେ ବର୍ତ୍ତମାନ ବଞ୍ଚିିବା ପାଇଁ ସେମାନେ ସଂଗ୍ରାମ କରୁଛନ୍ତି । ଏଭଳି ସ୍ଥିତିରେ ଉଚ୍ଛେଦ କଲେ ସେମାନଙ୍କ ଦୈନନ୍ଦିନ ଜୀବିକା ଉପରେ ପ୍ରଭାବ ପକାଇବ । ଏସମ୍ପର୍କରେ ପୌର ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥୀ କହିଛନ୍ତି ଯେ, ଜାତୀୟ ରାଜପଥ ପାଶ୍ୱର୍ରେ ଜବରଦଖଲ କରିବା ଏକ ଅପରାଧ । ପୁଲିସ ମଧ୍ୟ ଏନେଇ ଦୃଷ୍ଟି ଆକର୍ଷଣ କରିଥିଲା । ତେଣୁ ଜବରଦଖଲକାରୀଙ୍କୁ ନୋଟିସ ଜାରି ହୋଇଥିବା ଶ୍ରୀ ଶତପଥୀ କହିଛନ୍ତି ।


Comments are closed, but trackbacks and pingbacks are open.