ଉଜ୍ଜ୍ୱଳା ଲାଭାର୍ଥୀଙ୍କ ଆବଶ୍ୟକତା ପୂରଣ ହେବ: ଧର୍ମେନ୍ଦ୍ର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଝାଡ଼ଖଣ୍ଡର ଜାମସେଦପୁରଠାରେ ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନା ଅଧୀନରେ ପ୍ରାକୃତିକ ଗ୍ୟାସ ପାଇପ୍ଲାଇନ (ପିଏନ୍ଜି) ଏବଂ ସିଏନ୍ଜି ଷ୍ଟେସନର ଉଦ୍ଘାଟନ କରିବା ସହ ୧୬୧.୫୦ କୋଟି ଟଙ୍କା ବ୍ୟୟରେ ଏଚ୍ପିସିଏଲ୍ ଦ୍ୱାରା ନିର୍ମିତ ହେବାକୁ ଥିବା ଏଲ୍ପିଜି ବଟଲିଂ ପ୍ଲାଣ୍ଟର ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ସେ ଗେଲ୍ ଇଣ୍ଡିଆ ଦ୍ୱାରା ନିର୍ମାଣ ହେବାକୁ ଥିବା ୧୨୫ କିମି ଲମ୍ୱା ପୁରୁଲିଆ-ଜାମସେଦପୁର ସ୍ପରଲାଇନ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଏଚ୍ପିସିଏଲ୍ର ବଟଲିଂ ପ୍ଲାଣ୍ଟ ଜାମସେଦପୁର ଏବଂ ଆଖପାଖ ଅଞ୍ଚଳର ଉଜ୍ଜ୍ୱଳା ଯୋଜନା ଲାଭାର୍ଥୀଙ୍କ ଆବଶ୍ୟକତାକୁ ପୂରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହାବ୍ୟତୀତ ସିଏନ୍ଜି ଓ ପିଏନ୍ଜି ଦ୍ୱାରା ଏଠାରେ ପରିବେଶ ସୁରକ୍ଷିତ ରହିବ ଏବଂ ଲୋକଙ୍କୁ ଶସ୍ତା ଇନ୍ଧନ ମିଳିବ । ଉଦ୍ଘାଟିତ ପ୍ରକଳ୍ପ ଦ୍ୱାରା ପାଇପରେ ପାଣି ଆସିବା ଭଳି ଲୋକଙ୍କ ଘରେ ମଧ୍ୟ ପାଇପ ସାହାଯ୍ୟରେ ରନ୍ଧନ ଗ୍ୟାସ ପହଞ୍ଚିବ । ସେହିପରି ସହରରେ ସିଏନ୍ଜି ଗ୍ୟାସ ଉପଲବ୍ଧ ହେବ । ଯଦ୍ୱାରା ଅଟୋ ଚାଳକମାନେ ଲାଭବାନ ହୋଇପାରିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି, ନୂଆ ଜାମସେଦପୁର ବନାଇବାରେ ନରେନ୍ଦ୍ର ମୋଦି ଓ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଉଦ୍ୟମରତ । ମୁମ୍ୱାଇ, ଚେନ୍ନାଇ ତଥା ବାଙ୍ଗାଲୋର ଭଳି ମେଟ୍ରୋ ସହରମାନଙ୍କରେ ଲୋକମାନେ ଯେପରି ଅତ୍ୟାଧୁନିକ ସୁବିଧା ପାଉଛନ୍ତି ଜାମସେଦପୁରରେ ମଧ୍ୟ ଏଭଳି ସୁବିଧା ଉପଲବ୍ଧ ହେବ । ଜାମସେଦପୁର ସହରର ବିଭିନ୍ନ ଉଦ୍ୟୋଗରେ ମଧ୍ୟ ଗ୍ୟାସ ଆଧାରିତ ଇନ୍ଧନ ପହଞ୍ଚୁ ଏହା ସରକାରଙ୍କ ଲକ୍ଷ୍ୟ । ଜାମସେଦପୁରଠାରେ ୨୨୧ କୋଟି ଟଙ୍କା ବ୍ୟୟରେ ଏପରି ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି ।
ମୋଦି ସରକାର ପୂର୍ବ ଭାରତକୁ ଅଧିକ ପ୍ରଧାନ୍ୟ ଦେଇଛନ୍ତି । କେବଳ ପିଏନ୍ଜି, ସିଏନ୍ଜି ନୁହେଁ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ତଥା ରାସ୍ତାଘାଟ, ରେଳ, ଘରକୁ ପାଣି, ବିମାନ ସେବା କାର୍ଯ୍ୟ ପୂର୍ବ ଭାରତରେ ତ୍ୱରାନ୍ୱିତ ହୋଇଥିବା ଶ୍ରୀ ପ୍ରଧାନ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons