ପୁରୀ: ସୋମବାର ରଥରେ ଛଅ କାଠ ଉଠି ଚଉଦନାହକା ବୁଲିବା ପରେ ପ୍ରଥମ ଭୂଇଁ ଟୁଙ୍ଗୁରା ହୋଇଛି । ତିନି ରଥ କାର୍ଯ୍ୟରେ ସମନ୍ୱୟ ରଖାଯାଇ ଏହି କାର୍ଯ୍ୟ ସମ୍ପନ୍ନ ହୋଇଛି । ଭୋଇ ସେବକମାନେ ଚାରିନାହାକାରେ ଚଣାକ ବାଡେ଼ଇଥିଲେ । ପ୍ରତି ରଥରେ ୮ଟି ଚଣାକ ବାଡ଼ିଆ ଯାଇଥିଲା । ଗୋଟିଏ ପାଶ୍ୱର୍ରେ ଦୁଇଟି ଚଣାକ ଲାଗିଛି । ଶୂନ୍ୟରେ ଝୁଲିଲା ଭଳି ଭୋଇ ସେବକମାନେ କାଠକୁ ରଥରେ ଲଗାଇଥିଲେ । ବିଶ୍ୱକର୍ମାଙ୍କ ନିଦେ୍ର୍ଧଶ କ୍ରମେ ଚାରି ନାହାକା ଉପରେ ଛଅ କାଠ ଖଞ୍ଜା ଯାଇଛି । ଛଅ କାଠ ଉଠିଲାପରେ ଭୋଇ ସେବକମାନେ ରଥ ଉପରେ ଥାଇ ହରିବୋଲ ଧ୍ୱନି ଦେଇଛନ୍ତି ।
ଦଣ୍ଡାରେ ପଡ଼ିଲା ଖଦିଓରା । ଏହା ଉପରେ ରଥରେ ଚଉଦନାହାକା ବୁଲିଲା । ତା’ପରେ ଯାଇ ପ୍ରଥମ ଭୂଇଁ ଟୁଙ୍ଗୁରା ହେଲା । ସେଥିରେ ପୁଣି ଖମ୍ବି ଲାଗିବ । ପ୍ରଥମ ଭୂଇଁ ଉପରେ ଉଠିବ ଦ୍ୱିତୀୟ ଭୂଇଁ । ଏହି ଭଳି ୩ାଟି ଭୂଇଁ ରଥମାନଙ୍କରେ ନିର୍ମାଣ ହେବ । ଏହାପରେ ଚଣାକ ଗୁଡିକ କାଢି ଦିଆଯିବ ବୋଲି ଭୋଇ ସର୍ଦ୍ଧାର ରବି ଭୋଇ କହିଛନ୍ତି । ପ୍ରଥମ ଭୂଇଁ ସବୁଠାରୁ ବଡ଼ ହେଉଥିବାବେଳେ ଦ୍ୱିତୀୟ ଭୂଇଁ ତାଠାରୁ ସାମାନ୍ୟ ସାନ ଓ ତୃତୀୟଟି ମଝି ଭୂଇଁ ଠାରୁ ସାନ ହୋଇଥାଏ ବୋଲି ନିର୍ମାଣକାରୀ କୁହନ୍ତି ।
ରଥଖଳାରେ ତୃତୀୟ ଭୂଇଁର ଫ୍ରେମ୍ ସେଟିଂ ହୋଇ ନମ୍ବରିଂ ସରିଛି । ଦୁଆର ଘଡ଼ା ନାଟଗୋଡ଼ ଉପରେ ଲାଗିବାକୁ ଥିବା ୮ ଟି ଗାରେଡ଼ିରୁ ୩ଟି ଚଉପଟ ହୋଇଛି । ଦୁଆର ଘଡ଼ାର ମଗରମୁଖ ନିର୍ମାଣ ଚାଲିଛି । ରଥତ୍ରୟର ୪ଟି ଲେଖାଏଁ ଅଂଳା ଚଉପଟ କାମ ଶେଷ ହୋଇଛି । ଦୁଆର ଘଡ଼ା ମଝିରେ ଲାଗିବ ଅଂଳା । ସିଂହାସନରେ ରୂପକାର ଡାଳିଲତା ଖୋଦେଇ କରୁଛନ୍ତି । ରୂପକାରଙ୍କ ଦ୍ୱାରା ପଟା ଗୁଜରେ ଗଜ ବିରାଳ ଓ ସିଂହ ବିରାଳ ସହ ନାଟ ଗୋଡ଼ରେ ରାହୁମୁଣ୍ଡ କାର୍ଯ୍ୟ ଚାଲିଛି ।ରଥଖଳାରେ ରୂପକାର, ଦୋଳବେଦିରେ କମାର ଓ ବଡ଼ଦାଣ୍ଡରେ କରତୀ ସେବକଙ୍କ ସମେତ ମୋଟ ୧୯୭ ଜଣ ରଥ କାମରେ ବ୍ୟସ୍ତ ଅଛନ୍ତି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.