ଉଦାହରଣ ସୃଷ୍ଟି କଲେ ମହିଳା ଥାନାଧିକାରୀ: ଅସହାୟ ବୃଦ୍ଧାଙ୍କୁ ବଢାଇଲେ ସାହାଯ୍ୟର ହାତ, ନିଜେ ପରଷିଲେ ଖାଦ୍ୟ

Get real time updates directly on you device, subscribe now.

କଳାହାଣ୍ଡି: ସାରା ବିଶ୍ୱ ଏବେ କରୋନା ଭାଇରସ ବିରୋଧରେ ଲଢେଇ କରୁଛି । ଏଥିରେ ମେଡିକାଲ କର୍ମଚାରୀ, ପୋଲିସ ଆଦି ସମ୍ମୁଖ ଯୋଦ୍ଧା ଭାବେ ଏହି ଭାଇରସ କବଳରୁ ଦେଶବାସୀଙ୍କୁ ରକ୍ଷା କରୁଛନ୍ତି । ତେବେ ପୋଲିସ ବାହିନୀ ଲକଡାଉନ୍ ନିୟମ ବାବଦରେ ଲୋକଙ୍କୁ ସଚେତନ କରିବା ସହ ଆମାନିଆଙ୍କୁ ତାଗିଦ ମଧ୍ୟ କରୁଛି । ତେବେ ରାଜ୍ୟର କଳାହାଣ୍ଡି ଜିଲ୍ଲାରେ ଜଣେ ମହିଳା ପୋଲିସ ଅଧିକାରୀ ଏହି ଘଡିସନ୍ଧି ସମୟରେ ମାନବ ସେବା କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି ।
କର୍ତ୍ତବ୍ୟ ପାଳନ ସହ ମାନବ ସେବା କରି ଏବେ ଚର୍ଚ୍ଚାରେ ମହିଳା ଥାନା ଅଧିକାରୀ । କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଧିକାରୀ ରଶ୍ମିତା ପ୍ରଧାନ ନିଜ ଦାୟିତ୍ବ ଓ କର୍ତ୍ତବ୍ୟକୁ ନେଇ ଚର୍ଚ୍ଚାରେ ଅଛନ୍ତି। କୋରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଏବେ ସାରାଦେଶରେ ଜାରି ହୋଇଛି ତୃତୀୟ ପର୍ୟ୍ୟାୟ ଲକଡାଉନ। ଏହି ଲକଡାଉନକୁ ନେଇ ଗରିବଙ୍କୁ ସାହାଯ୍ୟ ସହଯୋଗ ପାଇଁ ସରକାର ବି ନେଇଛନ୍ତି ଅନେକ କିଛି ଆଗୁଆ ପଦକ୍ଷେପ। ତଥାପି ବି କିଛି ଅସହାୟ ଦି ମୁଠା ଦାନା ପାଇଁ କରୁଛନ୍ତି ଦିନରାତି ସଙ୍ଘର୍ଷ।
ଏହି ଅସହାୟଙ୍କୁ ସାହାଯ୍ୟ ପାଇଁ ସାମ୍ନାକୁ ଆସିଛନ୍ତି ରଶ୍ମିତା । ଲକଡାଉନ ନିୟନ୍ତ୍ରଣ ଦାୟିତ୍ୱରେ ଥିବା ଜୟପାଟଣା ଥାନା ଅଧିକାରୀ ରଶ୍ମିତା ନିଜ କୋହକୁ ସମ୍ଭାଳି ନପାରି ନିଜ କର୍ତ୍ତବ୍ୟରୁ ଉର୍ଦ୍ଧ୍ବକୁ ଆସି ମାନବିକତା ଦୃଷ୍ଟିରୁ ଜଣେ ଅସହାୟ ବୃଦ୍ଧାଙ୍କୁ ସାହାଯ୍ୟ କରିଛନ୍ତି । ସେ ବୃଦ୍ଧାଙ୍କୁ ନିଜେ ଖାଇବା ପରଷି ଦେଇଛନ୍ତି। ଯାହା ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଏହାର ଭିଡ଼ିଓ ଓ ଫଟୋ ସୋସିଆଲ ମିଡ଼ିଆରେ ଏବେ ଭାଇରାଲ ହେବାରେ ଲାଗିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons