ଉଦ୍ଧବ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ

Get real time updates directly on you device, subscribe now.

ମୁମ୍ବାଇ: ମହାରାଷ୍ଟ୍ରରେ ମେଣ୍ଟ ସରକାର ଗଠନ କରିବା ନେଇ ଶିବସେନା-ଏନ୍ସିପି-କଂଗ୍ରେସ ମଧ୍ୟରେ ସହମତି ପ୍ରକାଶ ପାଇଛି । ଶିବସେନା ନେତୃତ୍ୱରେ ରାଜ୍ୟରେ ନୂଆ ସରକାର ଗଠନ ହେବ । ଦଳର ମୁଖ୍ୟ ଉଦ୍ଧବ ଠାକ୍ରେ ମୁଖ୍ୟମନ୍ତ୍ରୀ ହେବେ । ତିନି ଦଳ ମଧ୍ୟରେ ଶୁକ୍ରବାର ବସିଥିବା ବୈଠକରେ ପ୍ରାୟତଃ ଏହି ନିଷ୍ପତ୍ତି ହୋଇଛି ।
ତିନି ଦଳର ନେତାମାନେ କେନ୍ଦ୍ରୀୟ ମୁମ୍ବାଇର ନେହରୁ ସେଣ୍ଟର ଠାରେ ଏକାଠି ହୋଇଥିଲେ । ସରକାର ଗଠନ ସହ କ୍ଷମତା ବଣ୍ଟନ ଓ ସାଧାରଣ ସର୍ବନିମ୍ନ କର୍ମସୂଚୀ (ସିଏମ୍ପି)କୁ ଚୂଡ଼ାନ୍ତ କରିବା ଉପରେ ସେମାନେ ଆଲୋଚନା କରିଥିଲେ । ପ୍ରାୟ ଦୁଇଘଣ୍ଟା ଧରି ବୈଠକ ଚାଲିଥିଲା । ବୈଠକ ପରେ ଏନ୍ସିପି ମୁଖ୍ୟ ଶରଦ ପାୱାର କହିଛନ୍ତି ଯେ ତିନି ଦଳ ଭିତରେ ସରକାର ଗଠନ ନେଇ ସହମତି ପ୍ରକାଶ ପାଇଛି । ନେତୃତ୍ୱକୁ ନେଇ କୌଣସି ସମସ୍ୟା ନାହିଁ । ଉଦ୍ଧବ ନୂଆ ସରକାରର ନେତୃତ୍ୱ ନେବା ସେମାନେ ଚାହାନ୍ତି । ତେଣୁ ଉଦ୍ଧବଙ୍କ ନାମ ଉପରେ ବୈଠକରେ ସହମତି ହୋଇଛି । ଶନିବାର ମଧ୍ୟ ସେମାନଙ୍କ ଭିତରେ ସରକାରର ରୂପରେଖ ନେଇ ପୁଣି ଆଲୋଚନା ହେବ । ଶନିବାର ୩ ଦଳ ପକ୍ଷରୁ ମିଳିତ ସାମ୍ବାଦିକ ସମ୍ମିଳନୀ ଡକାଯିବ । ସେଠାରେ ସେମାନେ କେବେ ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀଙ୍କୁ ଭେଟିବେ ତାହା ଜଣାଇବେ ବୋଲି ପାୱାର କହିଛନ୍ତି ।
ବୈଠକରେ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ରେଙ୍କ ବ୍ୟତୀତ ଦଳର ନେତା ଏକନାଥ ସିନେ୍ଦ, ସୁଭାଷ ଦେଶାଇ ଓ ସଞ୍ଜୟ ରାଉତ, ଏନ୍ସିପି ମୁଖ୍ୟ ଶରଦ ପାୱାରଙ୍କ ସମେତ ଦଳୀୟ ନେତା ପ୍ରଫୁଲ ପଟେଲ, ଜୟନ୍ତ ପାଟିଲ ଓ ଅଜିତ ପାୱାର ଏବଂ କଂଗ୍ରେସ ନେତା ଅହମ୍ମଦ ପଟେଲ, ମଲିକାର୍ଜୁନ ଖଡଗେ, କେ.ସି. ବେଣୁଗୋପାଳ, ଅବିନାଶ ପାଣ୍ଡେ, ବାଲାସାହେବ ଥୋରାଟ ଓ ପୃଥ୍ୱୀରାଜ ଚୌହାନ ପ୍ରମୁଖ ଯୋଗଦେଇଥିଲେ । ବୈଠକ ପରେ ଏନ୍ସିପି ଓ କଂଗ୍ରେସ ପକ୍ଷରୁ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ ଡକାଯାଇଥିଲା । ଏଥିରେ କଂଗ୍ରେସ ନେତା ପୃଥ୍ୱୀରାଜ ଚୌହାନ ଓ ଏନ୍ସିପି ନେତା ଜୟନ୍ତ ପାଟିଲ ଯୋଗଦେଇଥିଲେ । ସେମାନେ କହିଥିଲେ କି କେତେକ ପ୍ରସଙ୍ଗରେ ସହମତି ହୋଇପାରିନାହିଁ । ଫଳରେ ବୈଠକ ଅଧୁରା ରହିଛି । ଶନିବାର ପୁଣି ସେମାନେ ଏକାଠି ବସି ଆଲୋଚନା କରିବେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons