ନୂଆଦିଲ୍ଲୀ: ଧିରେ ଧିରେ ଲୋକପ୍ରିୟତା ହରାଉଥିବା ଟେଷ୍ଟ କ୍ରିକେଟ୍ର ରୋମାଞ୍ଚ ଫେରାଇ ଆଣିବା ପାଇଁ ଆଇସିସି ନିକଟରେ ଟେଷ୍ଟ ଚାମ୍ପିଅନ୍ସିପ୍ର ଆୟୋଜନ କରିଛି । ଟେଷ୍ଟ କ୍ରିକେଟ୍କୁ ରୋମାଞ୍ଚକର କରିବା ପାଇଁ ଉନ୍ନତ ପିଚ୍ର ଆବଶ୍ୟକତା ରହିଥିବା କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଚଳିତ ଆସେସ୍ର ପ୍ରତ୍ୟେକ ଟେଷ୍ଟ ତୀବ୍ର ସଂଘର୍ଷପୂର୍ଣ୍ଣ ହେବା ପଛରେ ପିଚ୍ ମୁଖ୍ୟ ଭୂମିକା ଗ୍ରହଣ କରିଛି । ବିଶେଷ କରି ଲର୍ଡ୍ସ ଟେଷ୍ଟରେ ଷ୍ଟିଭେନ ସ୍ମିଥ୍ ଓ ଜୋଫ୍ରା ଆର୍ଚରଙ୍କ ମଧ୍ୟରେ ଲଢେଇ ଦର୍ଶକଙ୍କୁ ବାନ୍ଧି ରଖିଥିଲା । ଅବଶ୍ୟ ସ୍ମିଥ୍ ଆହତ ହେବା ଘଟଣା ଦୁଃଖ ଦାୟକ ରହିଥିଲା । ହେଲେ ଉଭୟଙ୍କ ମଧ୍ୟରେ ଲଢେଇକୁ ଦର୍ଶକ ସହଜରେ ଭୁଲି ପାରିବେ ନାହିଁ । ପେସ୍ ବୋଲରଙ୍କୁ ପିଚ୍ ସହାୟତା କରୁଥିବାରୁ ବ୍ୟାଟ୍ସମ୍ୟାନ୍ ଓ ବୋଲରଙ୍କ ମଧ୍ୟରେ ଜୋରଦାର ସଂଘର୍ଷ ଦେଖିବାକୁ ମିଳିଥିଲା । ଠିକ୍ ଏହିଭଳି ପିଚ୍ ପ୍ରସ୍ତୁତ କରିବା ପାଇଁ ପ୍ରତ୍ୟେକ ଦେଶ ଯତ୍ନବାନ ହେବା ଆବଶ୍ୟକ । ଏଭଳି ପିଚ୍ ପ୍ରସ୍ତୁତ ହେଲେ ପ୍ରତ୍ୟେକ ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ହୋଇପାରିବ ।
Comments are closed, but trackbacks and pingbacks are open.