ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆଗାମୀ ଦିନରେ ଭାରତ-ଋଷ ସମ୍ପର୍କ ନୂଆ ଉଚ୍ଚତା ଛୁଇଁବ । ମଙ୍ଗଳବାର ଋଷ ଗଣମାଧ୍ୟମର ଏକ ପ୍ରତିନିଧି ମଣ୍ଡଳି ସହ ଆଲୋଚନା କରିବା ଅବସରରେ ଏହା କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଗଣମାଧ୍ୟମ ପ୍ରତିନିଧିମଣ୍ଡଳୀ ସହ ସାକ୍ଷାତ୍ ଆଲୋଚନା ବେଳେ ଶ୍ରୀ ପ୍ରଧାନ କହିଛନ୍ତି, ୨୦୧୯ରେ ଭାରତ ଓ ଋଷ ଦ୍ୱିପାକ୍ଷିକ ସମ୍ପର୍କ ନୂଆ ସ୍ତରକୁ ଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦୁଇ ଦେଶ ମଧ୍ୟରେ ରଣନୈତିକ ସହଯୋଗ ସୁଦୃଢ଼ ହୋଇଛି । ଭାରତୀୟ ଇସ୍ପାତ କ୍ଷେତ୍ରକୁ ମଜବୁତ କରିବାରେ ଋଷର ମହତ୍ୱପୂର୍ଣ୍ଣ ଭୂମିକା ରହିଛି । ଋଷରୁ ଭାରତ ଉଚ୍ଚ କ୍ଷମତା ସମ୍ପନ୍ନ କୋକିଂ କୋଲ୍ ମଧ୍ୟ ଆମଦାନି କରିଥାଏ, ଯାହାକି ଭାରତୀୟ ଇସ୍ପାତ କ୍ଷେତ୍ରରେ ବେଶ୍ ସହାୟକ ହୋଇଥାଏ ବୋଲି ସେ କହିଛନ୍ତି ।
ଧର୍ମେନ୍ଦ୍ର କହିଛନ୍ତି, ଋଷର ମୋସ୍କୋ ଓ ଭ୍ଲାଡିଭୋଷ୍ଟକ ଗସ୍ତ ସମୟରେ ଉଭୟ ଦେଶ ମଧ୍ୟରେ କୋକିଂ କୋଲ୍ କ୍ଷେତ୍ରରେ ବ୍ୟବସାୟିକ ସମ୍ପର୍କ ମଜବୁତ ହୋଇପାରିବାର କ୍ଷମତା ରହିଥିବା ସେ ଅନୁଭବ କରିଥିଲେ । ତୈଳ ଓ ଗ୍ୟାସ୍ କ୍ଷେତ୍ରରେ ମଧ୍ୟ ଋଷ ସହ ଭାରତର ଉତ୍ତମ ସମ୍ପର୍କ ରହିଛି । ଏହା ଜରିଆରେ ହାଇଡ୍ରୋକାର୍ବନ କ୍ଷେତ୍ରକୁ ମଜବୁତ କରିବା ଉପରେ ଗୁରୁତ୍ୱ ଦିଆଯାଉଛି ।
ଉଭୟ ରାଷ୍ଟ୍ର ମଧ୍ୟରେ ଉର୍ଜ୍ଜା ସେତୁ ସଂଯୋଗ ସ୍ଥାପନ ହୋଇଛି । ତୈଳ ଓ ଗ୍ୟାସ୍ରେ ଋଷ ସବୁଠୁ ଅଧିକ ଉପôାଦନ କରୁଥିବା ବେଳେ ଭାରତର ବିଶ୍ୱର ତୃତୀୟ ବୃହତ ଉର୍ଜ୍ଜା ଉପଭୋକ୍ତା ରାଷ୍ଟ୍ର । ଭାରତର ତୈଳ ଓ ଗ୍ୟାସ୍ ଆବଶ୍ୟକତା ପୂରଣ କରିବାରେ ଋଷର ଭୂମିକା ରହିଥିବା ସେ କହିଛନ୍ତି । ଆଗାମୀ ସମୟରେ ଭାରତ ଗ୍ୟାସ୍ ଆଧାରିତ ଅର୍ଥ ବ୍ୟବସ୍ଥା ହେବାକୁ ଯାଉଛି । ପ୍ରାକୃତିକ ଗ୍ୟାସ୍ ଯୋଗାଣ ଓ ଏହି ଭିତ୍ତିଭୂମିର ବିକାଶ ପାଇଁ ଦେଶରେ ୬୦ ବିଲିୟନ ଡଲାର ପୁଞ୍ଜିନିବେଶ କରାଯାଇଛି । ଋଷରୁ ଏଲ୍ଏନ୍ଜି ଆମଦାନି ହେଉଥିବାରୁ ଉର୍ଜ୍ଜା ସୁରକ୍ଷାରେ ସ୍ଥିରତା ରହୁଛି ।
ଅପରପକ୍ଷରେ ଋଷର ଏଲ୍ଏନ୍ଜି ଓ ଅଶୋଧିତ ତୈଳ ପାଇଁ ଭାରତ ନୂଆ ସମୁଦ୍ର ପଥ ସନ୍ଧାନରେ ରହିଛି । ଏହି ପଥ ଋଷରୁ ରପ୍ତାନି ହେଉଥିବା ଏଲ୍ଏନ୍ଜି ଦରକୁ ଆହୁରି ହ୍ରାସ କରିବା ସହ ସମୟ ବଞ୍ଚାଇବ । ଋଷ ଓ ପୂର୍ବ ଭାରତ ମଧ୍ୟରେ ଏକ ସମୁଦ୍ର ପଥ ତିଆରି ହେଲେ କୋକିଂ କୋଲ୍ ଯୋଗାଣରେ ମଧ୍ୟ ସହାୟକ ହୋଇପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଏ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଭାରତୀୟ ତୈଳ ଓ ଗ୍ୟାସ୍ କ୍ଷେତ୍ରରେ ବିଶେଷ କରି ଗ୍ୟାସ୍ ବ୍ୟବସାୟ, ଗ୍ୟାସ୍ ଭିତ୍ତିଭୂମି ଓ ପେଟ୍ରୋକେମିକାଲ୍ କ୍ଷେତ୍ରରେ ପୁଞ୍ଜିନିବେଶ କରିବା ପାଇଁ ଋଷର କମ୍ପାନିମାନଙ୍କୁ ଆମନ୍ତ୍ରଣ କରିଛନ୍ତି ।
Comments are closed, but trackbacks and pingbacks are open.