ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଘରେ ପଶୁ ପଶୁ ଚାଳ ବାଜିବା ଭଳି ଗଣଶିକ୍ଷା ବିଭାଗର ଏକକ ପରୀକ୍ଷା ଯୋଜନା ଆରମ୍ଭରୁ ଫେଲ୍ ମାରିଛି । ଆଜି ପ୍ରଥମ ଥର ପାଇଁ ସାରା ରାଜ୍ୟରେ ଏକକ ପରୀକ୍ଷା ଆରମ୍ଭ ହୋଇଥିବାବେଳେ ବହୁ ସ୍କୁଲରେ ପ୍ରଶ୍ନ ପତ୍ର ପହଞ୍ଚିନାହିଁ । ଯଦିବା କିଛି ସ୍କୁଲରେ ପ୍ରଶ୍ନପତ୍ର ପହଞ୍ଚିଛି, ସ୍କୁଲରେ ଥିବା ଛାତ୍ରଛାତ୍ରୀଙ୍କ ତୁଳନାରେ ପ୍ରଶ୍ନପତ୍ର କମ୍ ରହିଛି । ଯାହାକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅପବାଦ ମୁଣ୍ଡାଇବା ସହ କଳାପଟା (ବ୍ଲାକ୍ ବୋଡର଼୍)ରେ ପ୍ରଶ୍ନପତ୍ର ଲେଖିବାକୁ ନିଦେ୍ର୍ଧଶ ଦେଇଥିଲା । ରାଜ୍ୟର ୧୭ଟି ଜିଲ୍ଲାର ବିଭିନ୍ନ ସ୍କୁଲରେ ଛାତ୍ରଛାତ୍ରୀମାନେ କଳାପଟାରେ ପ୍ରଶ୍ନ ପତ୍ର ଦେଖି ପରୀକ୍ଷା ଦେଇଥିବା ଜଣାପଡ଼ିଛି ।
ଉଲ୍ଲେଖଯୋଗ୍ୟ ପ୍ରଥମ ଥର ପାଇଁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏକ ପ୍ରକାର ପ୍ରଶ୍ନପତ୍ର କରିବା ସହ ଏକ ସମୟରେ ପରୀକ୍ଷା କରିବାକୁ ବିଭାଗ ନିଷ୍ପତ୍ତି ନେଇଥିଲା । ସେହି ଅନୁସାରେ ବିଭାଗ ଯୋଜନା ମଧ୍ୟ ପ୍ରସ୍ତୁତ କରିଥିଲା । ଆବଶ୍ୟକ ସଂଖ୍ୟାରେ ପ୍ରଶ୍ନପତ୍ର ମୂଦ୍ରିତ ମଧ୍ୟ ହୋଇଥିଲା । ପ୍ରଶ୍ନପତ୍ର ପ୍ୟାକିଂ ଓ ଆବଶ୍ୟକ ସଂଖ୍ୟା ଅନୁସାରେ ପହଞ୍ଚାଇବାରେ ବିଭାଗ ଫେଲ୍ ମାରିଲା । ଏବେ ରାଜ୍ୟରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ୩୬ ହଜାର ୭୦ଟି ସ୍କୁଲ ରହିଛି । ସେହିପରି ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ୧୮୭୧୨ଟି ସ୍କୁଲ, କେବଳ ଷÂ ଓ ସପ୍ତମ ଶ୍ରେଣୀ ଥିବା ୩ ହଜାର ୩୦୭ଟି ସ୍କୁଲ ଓ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ୭ ହଜାର୧୯୦ଟି ସେକେଣ୍ଡାରୀ ସ୍କୁଲ ରହିଛି । ଏହି ସ୍କୁଲଗୁଡ଼ିକରେ ପାଖାପାଖି ୬୦ ଲକ୍ଷ ଛାତ୍ରଛାତ୍ରୀ ପଢୁଛନ୍ତି । ସମସ୍ତଙ୍କ ନିକଟରେ ପ୍ରଶ୍ନପତ୍ର ପହଞ୍ଚାଇବାକୁ ବିଭାଗ ଯୋଜନା ପ୍ରସ୍ତୁତ କରିଥିଲେ ମଧ୍ୟ କାର୍ଯ୍ୟକାରୀ କରିବା ବେଳକୁ ଫେଲ୍ ମାରିଛି । କେଉଁଠି ଜେରକ୍ସ କରି ପ୍ରଶ୍ନପତ୍ର ଦେଇଛନ୍ତି ତ କେଉଁଠି କଳାପଟାରେ ପ୍ରଶ୍ନ ଲେଖିଛନ୍ତି । ଏହି ଏକକ ପ୍ରଶ୍ନପତ୍ର ଯୋଜନାକୁ ପୂର୍ବରୁ ବହୁ ଶିକ୍ଷକ ସଂଘ ବିରୋଧ କରିଛନ୍ତି । ମାତ୍ର ବିଭାଗୀୟ ମନ୍ତ୍ରୀ ସମୀର ଦାଶ କହିଛନ୍ତି, ଚଳିତ ବର୍ଷ ଆମେ ପ୍ରଥମ ଥର ପାଇଁ ଏକକ ପରୀକ୍ଷା ବ୍ୟବସ୍ଥା ଆରମ୍ଭ କରିଛୁ । ତେଣୁ କିଛି ସ୍ଥାନରେ ଭୁଲ ରହୁଛି । ଆସନ୍ତା ବର୍ଷରୁ ପୂରା ବ୍ୟବସ୍ଥା ଠିକ୍ଠାକ୍ ହେବ ବୋଲି ମନ୍ତ୍ରୀ ଶ୍ରୀ ଦାଶ ପ୍ରତିଶ୍ରୁତି ଦେଇଛନ୍ତି ।
ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି, ଆମେ ପ୍ରଶ୍ନପତ୍ର ଦେଖି ପରୀକ୍ଷା ଦେଇଥିଲେ ଭଲ ହୋଇଥାନ୍ତା । କେଉଁ ପ୍ରଶ୍ନ କଠିନ ଓ କେଉଁଠି ସହଜ ତାହା ଜାଣି ଉତ୍ତର ଦେଇଥାନ୍ତୁ । ଏ ବାବଦରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ର ସାଧାରଣ ସମ୍ପାଦକ ପ୍ରକାଶ ମହାନ୍ତି କହିଛନ୍ତି, ପିଲାଙ୍କ ପରୀକ୍ଷା ହେଉଛି ଏକ ସ୍ପର୍ଶକାତର ବିଷୟ । ଯାହାକୁ ନେଇ ସରକାର ପରୀକ୍ଷା ନିରୀକ୍ଷା କରିବା ଅନୁଚିତ । ଫଳରେ ଛାତ୍ରଛାତ୍ରୀଙ୍କ ମାନସିକତା ଉପରେ କୁପ୍ରଭାବ ପଡ଼ିବ । ଯୋଜନାର ଉପଯୁକ୍ତ ଆକଳନ ନ କରି ଆଗେଇବା ଯୋଗୁଁ ସମସ୍ତ ତ୍ରୁଟି ଦେଖା ଦେଇଛି । ରାଜ୍ୟର ବହୁ ସ୍କୁଲରେ ଆବଶ୍ୟକ ସଂଖ୍ୟାରେ ପ୍ରଶ୍ନପତ୍ର ପହଞ୍ଚି ପାରିନଥିବାରୁ ଛାତ୍ରଛାତ୍ରୀ କଳାପଟା ଦେଖି ଉତ୍ତର ଦେଇଛନ୍ତି । ଓଷ୍ଟା ଗତ ୭୩ ବର୍ଷ ହେବ ପ୍ରଶ୍ନପତ୍ର ପ୍ରସ୍ତୁତ କରୁଛି । ସରକାର ଏ ବାବଦରେ ଓଷ୍ଟା ଭଳି ଅନ୍ୟ ବୁଦ୍ଧିଜୀବୀଙ୍କ ପରାମର୍ଶ ନେବା ଉଚିତ୍ । ନଚେତ୍ ବିଫଳତା ପାଇଁ ଦୋଷ ମୁଣ୍ଡାନ୍ତୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
Comments are closed, but trackbacks and pingbacks are open.