ଏକ୍ଜିଟ ପୋଲ୍:ଦିଲ୍ଲୀରେ ପୁଣି ଆପ୍ ସରକାର

Get real time updates directly on you device, subscribe now.

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଦୁଇ-ତୃତୀୟାଂଶ ଆସନ ହାସଲ କରି ପୁଣିଥରେ କ୍ଷମତାକୁ ଫେରିବ ଆପ୍ (ଆମ୍ ଆଦମୀ ପାର୍ଟି) । ବିଧାନସଭା ନିର୍ବାଚନରେ ଆପ୍କୁ ୫୦ରୁ ଅଧିକ ଆସନ ମିଳିବ । ବିଜେପି ପୂର୍ବାପେକ୍ଷା ଭଲ ପ୍ରଦର୍ଶନ କରିବାକୁ ଯାଉଥିଲା ବେଳେ କଂଗ୍ରେସକୁ ପୂର୍ବଭଳି ନିରାଶର ସାମ୍ନା କରିବାକୁ ପଡ଼ିବ । ଶନିବାର ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ଶେଷ ହେବା ପରେ ବିଭିନ୍ନ ସଂସ୍ଥା ପକ୍ଷରୁ ପ୍ରକାଶିତ ଏକ୍ଜିଟ୍ ପୋଲ୍ରେ ଏହା ଦର୍ଶାଯାଇଛି ।
ନୁ୍ୟଜ୍ଏକ୍ସ-ପୋଲ୍ଷ୍ଟାର୍ଟ ଆକଳନ ଅନୁସାରେ ଦିଲ୍ଲୀ ବିଧାନସଭାର ମୋଟ ୭୦ ଆସନ ମଧ୍ୟରୁ ଆପ୍ ୫୦-୫୬ ଆସନ ପାଇବାକୁ ଥିବା ବେଳେ ବିଜେପି ୧୦ରୁ ୧୪ ଆସନ ପାଇବ । କିନ୍ତୁ କଂଗ୍ରେସ ଖାତା ଖୋଲିପାରିବ ନାହିଁ ବୋଲି ଏହି ସଂସ୍ଥା ଦର୍ଶାଇଛି । ରିପବ୍ଲିକ୍-ଜନ କି ବାତ୍ ଆକଳନ ଅନୁସାରେ ଆପ୍କୁ ୪୮-୬୧, ବିଜେପିକୁ ୯-୨୧ ଏବଂ କଂଗ୍ରେସକୁ ୦-୧ଟି ଆସନ ମିଳିବ । ଏବିପି-ସି ଭୋଟର ସର୍ଭେ ଦର୍ଶାଇଛି ଯେ ଆପ୍ ୪୯-୬୩ ଆସନ ପାଇବାକୁ ଥିଲା ବେଳେ ବିଜେପି ୫-୯ ଓ କଂଗ୍ରେସ ୦-୪ଟି ଆସନ ପାଇବାର ସମ୍ଭାବନା ରହିଛି । ସେହିଭଳି ଇଣ୍ଡିଆଟିଭି-ଆଇପିଏସ୍ଓଏସ୍ ସର୍ଭେ କହିଛି ଯେ ଆପ୍ ୪୪ ଓ ବିଜେପି ୨୬ ଆସନ ପାଇବ । କଂଗ୍ରେସକୁ ଗୋଟିଏ ହେଲେ ଆସନ ମିଳିବ ନାହିଁ ବୋଲି ଏହି ସଂସ୍ଥା ଉଲ୍ଲେଖ କରିଛି । ଟିଭି୯-ସିସେରୋ ପକ୍ଷରୁ କରାଯାଇଥିବା ଆକଳନ ଅନୁସାରେ ଆପ୍ ୫୪, ବିଜେପି ୧୫ ଓ କଂଗ୍ରେସକୁ ଗୋଟିଏ ଆସନ ମିଳିବ ।

ନୁ୍ୟଜ୍୨୪-ଜନ କି ବାତ ଏକ୍ଜିଟ ପୋଲ ଫଳାଫଳ କହିଛି ଯେ ଆପ୍ ୫୪, ବିଜେପି ୧୫ ଓ କଂଗ୍ରେସ ମାତ୍ର ଗୋଟିଏ ଆସନ ହାସଲ କରିବ । ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆର ଆକଳନ ଅନୁସାରେ ଆପକୁ ୫୯-୬୮ ଆସନ ମିଳିବାକୁ ଥିବା ବେଳେ ବିଜେପିକୁ ୨-୧୧ ଆସନ ମିଳିବ । କଂଗ୍ରେସ ଖାତା ଖୋଲିପାରିବ ନାହିଁ ବୋଲି ଏହି ସଂସ୍ଥା ଅନୁମାନ ଲଗାଇଛି । ସେହିଭଳି ସୁଦର୍ଶନ ନୁ୍ୟଜ୍ ଦର୍ଶାଇଛି ଯେ ଆପ୍କୁ ୪୦-୪୫ ଆସନ ମିଳିବ । ବିଜେପିକୁ ୨୪-୨୮ ଆସନ ମିଳିବାକୁ ଥିଲା ବେଳେ କଂଗ୍ରେସ ୨-୩ଟି ଆସନ ପାଇବ । ସବୁ ସଂସ୍ଥା ଆପ୍ ସପକ୍ଷରେ ରାୟ ଦେଇଛନ୍ତି । ତେବେ ଏହା କେତେଦୂର ସତ ସାବ୍ୟସ୍ତ ହେବ ତାହା ଆସନ୍ତା ୧୧ ତାରିଖ ଭୋଟ ଫଳ ପ୍ରକାଶ ପାଇବା ପରେ ସ୍ପଷ୍ଟ ହେବ ।
ଏକ୍ଜିଟ ପୋଲ ଫଳାଫଳ ପ୍ରକାଶ ପାଇବା ପରେ ଆପ୍ ଶିବିରରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ବରିÂ ଆପ୍ ନେତା ତଥା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ କହିଛନ୍ତି ଯେ ତାଙ୍କ ଦଳ ବିପୁଳ ଭୋଟରେ ବିଜୟ ଲାଭ କରିବ । କିଛିଦିନ ହେଲା ଦଳୀୟ କର୍ମୀମାନେ ୨୪ ଘଣ୍ଟିଆ କାର୍ଯ୍ୟ କରିଛନ୍ତି । ସେମାନଙ୍କ ପରିଶ୍ରମର ଫଳ ନିଶ୍ଚିତ ମିଳିବ । ସେହିଭଳି ଆପ୍ ପାଇଁ ନିର୍ବାଚନ ରଣନୀତି ପ୍ରସ୍ତୁତ କରିଥିବା ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର (ପିକେ) ମଧ୍ୟ ଏହି ଏକ୍ଜିଟ ପୋଲ୍ ଫଳାଫଳକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ।

ତେବେ ଏହି ଏକ୍ଜିଟ ପୋଲକୁ ଅଗ୍ରାହ୍ୟ କରିଛନ୍ତି ଦିଲ୍ଲୀ ବିଜେପି ଶାଖା ମୁଖ୍ୟ ମନୋଜ ତିୱାରୀ । ଟୁଇଟ୍ କରି ସେ କହିଛନ୍ତି ସବୁ ଆକଳନ ଫେଲ ମାରିବ । ବିଜେପି ୪୮ରୁ ଅଧିକ ଆସନ ପାଇ ସରକାର ଗଠନ କରିବ ବୋଲି ସେ ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି । ସେହିଭଳି ଦୟାକରି ଫଳାଫଳ ପ୍ରକାଶ ପାଇବା ପରେ ଇଭିଏମ୍କୁ ଦୋଷ ଦେବାର ବାହାନା ନ ଖୋଜିବାକୁ ସେ ବିରୋଧୀମାନଙ୍କୁ ମଧ୍ୟ ପରାମର୍ଶ ଦେଇଛନ୍ତି । ଗତ ବିଧାନସଭା ନିର୍ବାଚନରେ ଆପ୍ ୭୦ ଆସନରୁ ୬୭ଟି ଆସନ ପାଇ ସରକାର ଗଠନ କରିଥିଲା । ବିଜେପିକୁ ୩ଟି ଆସନ ମିଳିଥିଲା ବେଳେ କଂଗ୍ରେସ ଖାତା ଖୋଲିପାରି ନଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons