ଏଟିଏମରୁ ୨୦ହଜାର ପାଇ ବ୍ୟାଙ୍କ ଜିମା ଦେଲେ

Get real time updates directly on you device, subscribe now.

ଭଦ୍ରକ,(ବି.ବି.ନୁ୍ୟଜ୍): ଟଙ୍କା ଲୋଭରେ ସମସ୍ତେ ପଡ଼ିନଥାନ୍ତି । ଏମିତି ବି କିଛି ଅଛନ୍ତି, ଯେଉଁମାନଙ୍କର ସଚ୍ଚୋଟପଣିଆକୁ ଟଙ୍କା ମୋହ ହେରାଇପାରିନି । ଏହାର ଏକ ଉଦାହରଣ ଭାବେ ଭଦ୍ରକ ସହରର ଯୁବ ବ୍ୟବସାୟୀ ନଳିନୀ ପଣ୍ଡାଙ୍କୁ ନିଆଯାଇପାରେ । ଟଙ୍କାର ମୋହ ତାଙ୍କୁ ଗ୍ରାସ କରି ପାରିଲାନି । ତାଙ୍କ ଦୋକାନ ନିକଟ ଏଟିଏମ୍ରେ ଜଣେ ଗ୍ରାହକ ଭୁଲବଶତଃ ୨୦ ହଜାର ଟଙ୍କା ଛାଡ଼ି ଯାଇଥିଲେ । ସେହି ବ୍ୟକ୍ତିଙ୍କୁ ଠାବ କରିବାକୁ ଉଦ୍ୟମ କରି ନଳିନୀ ସଫଳ ନହେବାରୁ ପରିଶେଷରେ ଟଙ୍କାତକ ବ୍ୟାଙ୍କରେ ଜମା ଦେଇଛନ୍ତି ।
ଭଦ୍ରକ ବ୍ଲକ ବଣିଆ ଗ୍ରାମର ଜୟୀରାମ ପଣ୍ଡାଙ୍କ ପୁଅ ନଳିନୀ । ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଛକରେ ଏକ ମୋବାଇଲ ଦୋକାନ କରିଛନ୍ତି । ୬ବର୍ଷ ଧରି ସେ ଏହି ଦୋକାନ ଚଳାଇ ଆସୁଛନ୍ତି । ଗତ ୨୩ ତାରିଖ ଦିନ ତାଙ୍କ ଦୋକାନ ନିକଟରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସ୍ବିଆଇ) ଶାଖା ଏଟିଏମ୍ରୁ କେହି ଜଣେ ଜମାକାରୀ କିଛି ଟଙ୍କା ଉଠାଇଥିଲେ । ସେହି ଟଙ୍କାତକ ଏଟିଏମରୁ ବାହାରି ରହିଥିବାବେଳେ ସେ ଭୁଲବଶତଃ ଛାଡ଼ି ଚାଲିଯାଇଥିଲେ । ଏହା ନଳିନୀଙ୍କ ନଜରରେ ପଡ଼ିଥିଲା । ସେ ଉକ୍ତ ଟଙ୍କାତକ ଆଣି ଗଣିବାରୁ ୨୦ ହଜାର ଟଙ୍କା ବୋଲି ଜାଣିବାକୁ ପାଇଥିଲେ । ଟଙ୍କାତକ ନିକଟରେ ରଖିବା ସହ ନିଜ ଦୋକାନରେ ଲଗାଇଥିବା ସିସି ଟିଭି କ୍ୟାମେରା ଫୁଟେଜ ଦେଖି ଟଙ୍କା ଛାଡ଼ିଯାଇଥିବା ବ୍ୟକ୍ତିଙ୍କୁ ଠାବ କରିବାକୁ ଉଦ୍ୟମ କରିଥିଲେ । ଏଥିରେ ଅସଫଳ ହେବାରୁ ଫେସ ବୁକ୍ ଜରିଆରେ ଏହି ଘଟଣାକୁ ଭାଇରାଲ୍ କରିବା ସହ ଉପଯୁକ୍ତ ପ୍ରମାଣ ଦେଖାଇ ଟଙ୍କା ନେଇଯିବାକୁ ମଧ୍ୟ ଅନୁରୋଧ ଜଣାଇଥିଲେ । ତେବେ ଦୁଇ ଦିନ ଅପେକ୍ଷା କରିବା ପରେ ମଧ୍ୟ କୌଣସି ବ୍ୟକ୍ତି ଟଙ୍କା ନେବାକୁ ଆସି ନଥିଲେ । ଶେଷରେ ନଳିନୀ ପାଇଥିବା ଟଙ୍କାକୁ ନେଇ ଅପର୍ତ୍ତିବନ୍ଧା ଛକ ନିକଟସ୍ଥ ଏସ୍ବିଆଇ ମୁଖ୍ୟ ଶାଖାର ମ୍ୟାନେଜରଙ୍କୁ ଭେଟିଲେ । ମ୍ୟାନେଜରଙ୍କ ଜିମା ଟଙ୍କାତକ ଦେଇଛନ୍ତି । ନଳିନୀଙ୍କ ଏପରି ସଚ୍ଚୋଟପଣିଆ ସାଧାରଣରେ ଚର୍ଚ୍ଚିତ ହୋଇଛି । ବିଶେଷତଃ ସୋସିଆଲ ମିଡିଆ ଯୋଗେ ତାଙ୍କ ନିକଟକୁଶୁଭେଚ୍ଛା ସୁଅ ଛୁଟିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons