ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଜମି ଖଜଣା ଦାଖଲ କରିବା ପାଇଁ ସରକାରୀ ଦପ୍ତରକୁ ଯିବା ଦରକାର ନାହିଁ । ଘରେ ବସି ଅନଲାଇନ୍ରେ ପୈଠ କରିପାରିବେ ଜମି ଖଜଣା । ରସିଦ୍ ବି ମିଳିଯିବ ସଙ୍ଗେସଙ୍ଗେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ।
ସ୍ୱଚ୍ଛତା ପାଇଁ ୫-ଟି ମନ୍ତ୍ରକୁ ଫୋକସ୍ କରୁଥିବା ରାଜ୍ୟ ସରକାର ଏହି ପରିପ୍ରେକ୍ଷୀରେ ଜମି ଖଜଣା ବ୍ୟବସ୍ଥାକୁ ଅନଲାଇନ୍ରେ ସଂଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ଦ୍ୱାରା ଚାଷୀମାନେ ଉପକୃତ ହେବେ । ଖଜଣା ପୈଠ କରିବା ପାଇଁ ଲୋକଙ୍କୁ ଆଉ ଅଫିସ ଯିବାକୁ ପଡ଼ିବ ନାହିଁ ।
ଲୋକସଭା ଭବନରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିବାବେଳେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ପ୍ରଥମ ଚାଷୀ ଭାବେ ଭୁବନେଶ୍ୱର ତହସିଲରର ମନୋଜ କୁମାର ଦାସ ଜମି ଖଜଣା ଅନଲାଇନରେ ପୈଠ କରିଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କ ସହ କଥା ହୋଇଥିଲେ । ସେହିପରି ଗଞ୍ଜାମ, ସୁନ୍ଦରଗଡ଼, ନବରଙ୍ଗପୁର, ପୁରୀର କେତେକ ଚାଷୀ ଅନଲାଇନ୍ରେ ଜମି ଖଜଣା ଦେଇଥିଲେ । ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ସେମାନଙ୍କ ସହ କଥା ହେବା ସହ ମତାମତ ପଚାରି ବୁଝିଥିଲେ । ଏଭଳି ବ୍ୟବସ୍ଥା ନେଇ ଚାଷୀମାନେ ଖୁସି ବ୍ୟକ୍ତ କରିଥିଲେ । ଏଭଳି ବ୍ୟବସ୍ଥା ଆରମ୍ଭ କରିଥିବାରୁ ରାଜସ୍ୱ ବିଭାଗକୁ ପ୍ରଶଂସା କରିଥିଲେ ମୁଖ୍ୟମନ୍ତ୍ରୀ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ.ପାଣ୍ଡିଆନ୍ କହିଲେ, ଆସନ୍ତା ୨୦୨୦ ଅଗଷ୍ଟ ସୁଦ୍ଧା ସମସ୍ତ ସରକାରୀ ସେବା ଅନଲାଇନ୍ରେ ଉପଲବ୍ଧ ହେବ । ମୁଖ୍ୟମନ୍ତ୍ରୀଙ୍କ ୫-ଟି କାର୍ଯ୍ୟକ୍ରମ ଆଧାରରେ ଏସବୁ କରାଯିବ ।
Comments are closed, but trackbacks and pingbacks are open.