ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଏଣିକି ସ୍କୁଲଗୁଡିକରେ ଗଣିତ, ଇଂରାଜୀ ଏବଂ ବିଜ୍ଞାନ ବିଷୟକୁ ଅଧିକ ଗୁରୁତ୍ୱ ଦିଆଯିବ । ସ୍କୁଲ ମାନଙ୍କରେ ଏହି ବିଷୟ ପାଇଁ ପ୍ରତି ପରିୟଡ ୪୫ ମିନିଟ୍ ସମୟରେ ପରିବର୍ତ୍ତନ ହେବ । ଉପରୋକ୍ତ ବିଷୟର ପିରିୟଡ୍ ଅବଧି ଦେଢଘଣ୍ଟା ରହିବ । ଶିକ୍ଷକମାନେ ନିୟମିତ ପରୀକ୍ଷା କରିବା ସହିତ ପିଲାଙ୍କ ଅଗ୍ରଗତିର ଅନୁଧ୍ୟାନ କରିବେ । ଗତ ମାଟ୍ରିକ ପରୀକ୍ଷାରେ ୮୨ଟି ସ୍କୁଲରେ ଶୂନ୍ୟ ଫଳାଫଳ ହେବା ପରେ ବିଦ୍ୟ।।ଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।
ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ମେଧା ବୃଦ୍ଧି କରିବା ଲାଗି ଲାଗୁ ହେବ ୫ ‘ଇ’ ଫର୍ମୁଲା । ଏନଗେଜମେଣ୍ଟ୍, ଏକ୍ସପ୍ଲୋର୍, ଏକ୍ସପ୍ଲେନ୍, ଏଲାବୋରେଟ୍ ଓ ଇଭାଲ୍ୟୁସନ୍ । ଏହି ୫ ‘ଇ’ ଫର୍ମୁଲା ଲାଗୁ କରିବାକୁ ଯାଇ ପାଠପଢା ଢାଞ୍ଚାରେ ମଧ୍ୟ ଅଣାଯିବ ପରିବର୍ତ୍ତନ । ବିଶେଷ କରି ବିଭାଗ ପକ୍ଷରୁ ଗଣିତ, ଇଂରାଜୀ ଏବଂ ବିଜ୍ଞାନ ବିଷୟ ଉପରେ ବିଭାଗ ଅଧିକ ଗୁରୁତ୍ୱ ଦେବେ । ଏହି ତିନୋଟି ବିଷୟରେ ଛାତ୍ରଛାତ୍ରୀ ସାଧାରଣତଃ ଦୁର୍ବଳ ରହୁଥିବାରୁ ମାଟ୍ରିକ୍ ରେଜଲ୍ଟ୍ ଖରାପ ହେଉଛି । ତେଣୁ ଏସବୁ ବିଷୟଗୁଡିକୁ ପିଲାମାନେ କିଭଳି ଭଲ ଭାବେ ବୁଝିପାରିବେ, ସେଥି ପାଇଁ କ୍ଲାସଗୁଡିକୁ ୪୫ ମିନିଟ୍ ବଦଳରେ ଦେଢ ଘଣ୍ଟିଆ କରିବାକୁ ବିଭାଗ ନିଷ୍ପତ୍ତି କରିଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ସେହିପରି ପ୍ରାଥମିକ ସ୍ତରରୁ ଇଂରାଜୀ ଶିକ୍ଷାକୁ ଗୁରୁତ୍ୱ ଦିଆଯିବ । ପାଇଲଟ୍ ବେସିସ୍ରେ ଜିଲ୍ଲାସ୍ତରରେ ଗୋଟିଏ ସ୍କୁଲକୁ ବଛାଯିବ । ସେହି ସ୍କୁଲରେ ଇଂରାଜୀ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯିବା ପରେ ଏହି ବ୍ୟବସ୍ଥା ବ୍ଲକ୍ ସ୍ତରରେ ଲାଗୁ କରାଯିବ ବୋଲି ସେ କହିଛନ୍ତି ।
ଏହି ବ୍ୟବସ୍ଥା କେବଳ ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଲାଗୁ କରାଯିବ । କିଛି ଭାଷାଭିତ୍ତିକ ବିଷୟର ସମୟସୀମା ପୂର୍ବପରି ୪୫ ମିନିଟ ଲେଖାଏଁ ରହିବ । ଉଲ୍ଲେଖଯୋଗ୍ୟ ରାଜ୍ୟରେ ମୋଟ ୮୫ ହଜାର ସ୍କୁଲ ରହିଛି । ସେଥିରୁ ପ୍ରାଥମିକ ସ୍କୁଲ ସଂଖ୍ୟା ୩୬ ହଜାର ୭୦ଟି ଥିବା ବେଳେ ୨୨ ହଜାର ୧୯ ଟି ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲ ରହିଛି । ପୂର୍ବରୁ ଶ୍ରେଣୀରେ ପ୍ରତ୍ୟେକ ବିଷୟକୁ ୪୫ ମିନିଟ ପଢାଯାଉଥିବା ବେଳେ ଦୈନିକ ୬ଟି କ୍ଲାସ କରାଯାଉଥିଲା । କିନ୍ତୁ ଗଲା ୩ଟି ଶିକ୍ଷାବର୍ଷର ଆକଳନରୁ ଯେଉଁ ତଥ୍ୟ ମିଳିଛି ତାହା ସ୍କୁଲ ଗଣଶିକ୍ଷା ବିଭାଗର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସର୍ବାଧିକ ପିଲା ଗଣିତ, ଇଂରାଜୀ ଏବଂ ବିଜ୍ଞାନରେ ଫେଲ ହେଉଛନ୍ତି । ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଥିବା ପିଲାଙ୍କ ଆକଳନ ଏବଂ ଫେଲ ହୋଇଥିବା ମୋଟ ପିଲାଙ୍କ ପରିସଂଖ୍ୟାନକୁ ଦୃଷ୍ଟି ଦେଲେ ଏହି ତିନୋଟି ବିଷୟରେ ସର୍ବାଧିକ ପିଲାଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ରହୁଛି । ଏହା ସହିତ ଛାତ୍ରଛାତ୍ରୀମାନେ ଅନେକ ସମୟରେ ୫ରୁ ୧୦ ମିନିଟ ବିଳମ୍ୱରେ ଆସୁଥିବା ବେଳେ ପିଲାଙ୍କ ଉପସ୍ଥାନ ମିଶାଇ ୧୫ ରୁ ୨୦ ମିନିଟ୍ ନଷ୍ଟ ହୋଇଥାଏ । ଫଳରେ ୪୫ ମିନିଟ୍ କ୍ଲାସରେ ୨୦ ରୁ ୨୫ ମିନିଟ୍ ପଢାଯାଇଥାଏ । ତେଣୁ ସ୍କୁଲ ଗୁଡିକରେ କ୍ଲାସ ସଂଖ୍ୟା ହ୍ରାସ କରାଯାଇ ଏହି ତିନୋଟି ବିଷୟରେ ଅଧିକ ସମୟ ଦିଆଯିବ । ଦେଢ ଘଣ୍ଟା କ୍ଲାସ ମଝିରେ ୧୦ ମିନିଟ ବ୍ରେକ୍ ଦିଆଯିବ । ସେହି ସମୟ ମଧ୍ୟରେ ପିଲାଙ୍କ ଉପସ୍ଥାନ ନିଆଯିବ । ଚଳିତ ବର୍ଷରୁ ରାଜ୍ୟର ସମସ୍ତ ସ୍କୁଲ ଗୁଡିକରେ ଏକାଡେମିକ କ୍ୟାଲେଣ୍ଡର୍ ପ୍ରସ୍ତୁତ କରାଯାଇଛି । ସୋମବାରରୁ ଶନିବାର ପର୍ଯ୍ୟନ୍ତ ସମସ୍ତ ପରିୟଡ୍ରେ ପରିବର୍ତ୍ତନ କରାଯିବ । ପରୀକ୍ଷା ମୂଳକ ଭାବେ ୬ ମାସ ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ଲାଗୁ କରାଯିବ । ଯଦି କିଛି ସମସ୍ୟା ଉପୁଜେ ତେବେ ପରବର୍ତ୍ତୀ ବ୍ୟବସ୍ଥାରେ ମଧ୍ୟ ପରିବର୍ତ୍ତନ କରାଯିବ । ରାଜ୍ୟର ସବୁ ଜିଲ୍ଲାରେ ଶିକ୍ଷାଧିକାରୀଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି ।
Comments are closed, but trackbacks and pingbacks are open.