ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୧୧ରେ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିବେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କଠୁ ସେମାନଙ୍କ ରାଜ୍ୟର ଲକ୍ଡାଉନ୍ ସ୍ଥିତି ପଚାରି ବୁଝିବେ। ଏହା ସହିତ ଲକ୍ଡାଉନ୍ ଅବଧି ବଢିବ କି ନାହିଁ ସେ ସମ୍ବନ୍ଧରେ ନିର୍ଦ୍ଦେଶ ମଧ୍ୟ ଦେଇ ପାରନ୍ତି। ଉଲ୍ଲେଖଯୋଗ୍ୟ କରୋନା ଭାଇରସ୍ ସଂକ୍ରମଣ ରୋକିବାକୁ ପୂରା ଦେଶରେ ୨୧ ଦିନିଆ ଲକ୍ଡାଉନ୍ ଜାରି ହୋଇଛି। ଏହାର ଅବଧି ଏପ୍ରିଲ ୧୪ରେ ଶେଷ ହେବାକୁ ଯାଉଛି।
ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ସଂସଦରେ ପ୍ରତିନିଧିତ୍ଵ କରୁଥିବା ରାଜନୈତିକ ପାର୍ଟିର ନେତାଙ୍କ ସହିତ ସର୍ବଦଳୀୟ ବୈଠକରେ ଲକଡାଉନ ପ୍ରସଙ୍ଗରେ ଆଲୋଚନା କରି ଏପ୍ରିଲ ୧୪ ପରେ ଲକ୍ଡାଉନ୍ ଏକ ସଙ୍ଗେ ଉଠିବ ନାହିଁ ବୋଲି ସଙ୍କେତ ଦେଇଥିଲେ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ବୈଠକ ଆୟୋଜିତ ହୋଇଛି। ଏଥିରେ ପ୍ରାୟତଃ ସମସ୍ତ ବିରୋଧୀ ଦଳର ନେତା ଯୋଗ ଦେଇଥିଲେ।
ପ୍ରଧାନମନ୍ତ୍ରୀଙ୍କ ବୈଠକରେ ପ୍ରାୟତଃ ସବୁ ବିରୋଧୀ ଦଳର ନେତା ସାମିଲ ହୋଇ ନିଜ ନିଜର ମତ ରଖିଛନ୍ତି। ଏହି ବୈଠକରେ ସରକାର ଦ୍ଵାରା କରୋନା ସଙ୍କଟର ମୁକାବିଲା ପାଇଁ ପଦକ୍ଷେପ ବିଷୟରେ ସୂଚନା ଦେବା ସହ ନେତାଙ୍କଠୁ ରାୟ ମାଗିଛନ୍ତି। ଏହି ସମୟରେ କିଛି ନେତା ଆଂଶିକ ଭାବେ ଲକ୍ଡାଉନ୍ ହଟାଇବାକୁ ଦାବି ରଖିଥିଲେ। ଏବେ ୧୧ ତାରିଖରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନାରେ ଲକ୍ଡାଉନ୍ ନେଇ ବଡ ନିଷ୍ପତ୍ତି ହୋଇପାରେ।
ବୈଠକ ପରେ ବିଜେଡି ନେତା ପିନାକି ମିଶ୍ର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆମକୁ କହିଛନ୍ତି ଯେ, କରୋନା ପରେ ଜୀବନ ପୂର୍ବପରି ଆଉ ରହିବ ନାହିଁ। ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ଏପ୍ରିଲ ୧୪ ପରେ ଏକ ସଙ୍ଗେ ଲକ୍ଡାଉନ୍ ଉଠିବ ନାହିଁ।
ଏହି ବୈଠକରେ କଂଗ୍ରେସର ଗୁଲାମ ନବି ଆଜାଦ, ଟିଏମସିର ସୁଦୀପ ବନ୍ଦୋପାଧ୍ୟାୟ, ଶିବସେନାର ସଞ୍ଜୟ ରାଉତ, ବିଜେଡିର ପିନାକି ମିଶ୍ର, ଏନସିପିର ଶରଦ ପାଓ୍ଵାର, ଏସପିର ରାମଗୋପାଲ ଯାଦବ, ଶିରୋମଣି ଅକାଳି ଦଳର ସୁଖବୀର ସିଂହ ବାଦଲ, ବିଏସପିର ସତିଶ ଚନ୍ଦ୍ର ମିଶ୍ର, ଓ୍ଵାଇଏସଆର କଂଗ୍ରେସର ବିଜୟ ସାଇ ରେଡ୍ଡ ଓ ମିଥୁନ ରେଡ୍ଡୀ, ଜେଡିୟୁର ରାଜୀବ ରଞ୍ଜନ ସିଂହ ସମେତ ଅନେକ ନେତା ଭାଗ ନେଇଥିଲେ।


Comments are closed, but trackbacks and pingbacks are open.