ନୂଆଦିଲ୍ଲୀ: ବୁଧବାର ଲୋକସଭାରେ ଏସପିଜି ସଂଶୋଧନ ବିଲ୍ ଗୃହୀତ ହୋଇଛି । ଏଥିରେ ଥିବା ବ୍ୟବସ୍ଥା ଅନୁଯାୟୀ, କେବଳ କାର୍ଯ୍ୟରତ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ସରକାରୀ ବାସଭବନରେ ରହୁଥିବା ତାଙ୍କର ପରିବାର ସଦସ୍ୟଙ୍କୁ ଏଭଳି ସୁରକ୍ଷା ଯୋଗାଇ ଦିଆଯିବ । ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ସହ ରହୁଥିବା ପରିବାର ସଦସ୍ୟଙ୍କୁ କେବଳ ୫ ବର୍ଷ ପାଇଁ ଏସପିଜି ସୁରକ୍ଷା ପ୍ରଦାନ କରାଯିବ । ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପରିବାର ସଦସ୍ୟମାନେ ତାଙ୍କ ସହ ସରକାରୀ ବାସଭବନରେ ରହୁନଥିଲେ ସେମାନଙ୍କୁ ଏପରି ସୁରକ୍ଷା ଦିଆଯିବ ନାହିଁ ।
ଆଜି ଉକ୍ତ ବିଲ୍ ଉପରେ ବିତର୍କରେ ଭାଗ ନେଇ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସ୍ପଷ୍ଟ କରିଛନ୍ତି ଯେ ‘ସରକାର ଗାନ୍ଧୀ ପରିବାରର ସୁରକ୍ଷା ପ୍ରତ୍ୟାହାର କରିନାହାନ୍ତି । କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଏବଂ ତାଙ୍କ ସନ୍ତାନ ରାହୁଲ ଓ ପ୍ରିୟଙ୍କାଙ୍କ ସୁରକ୍ଷା ବ୍ୟବସ୍ଥାରେ କେବଳ ପରିବର୍ତ୍ତନ କରାଯାଇଛି । ଏସପିଜି ବଦଳରେ ସେମାନଙ୍କୁ ଏବେ ଜେଡ୍ ପ୍ଲସ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଛି ।
‘ ଏଭଳି ଏକ ଧାରଣା ସୃଷ୍ଟି କରାଯାଉଛି କି ସରକାର ଉଦେ୍ଧଶ୍ୟମୂଳକ ଭାବେ ଗାନ୍ଧୀ ପରିବାରକୁ ଟାର୍ଗେଟ କରୁଛନ୍ତି । କିନ୍ତୁ ପ୍ରକୃତରେ ବର୍ତ୍ତମାନର ସରକାର ଏପରି କରୁନାହାନ୍ତି । ହେଲେ ଅତୀତରେ କଂଗ୍ରେସ ସରକାର ଅନେକ ଥର ଏପରି କରିବାର ନଜିର ରହିଛି । ସେହିପରି ଏସପିଜି ଆଇନରେ ପ୍ରଥମ ଥର ପାଇଁ ସଂଶୋଧନ କରାଯାଉନାହିଁ । ପୂର୍ବରୁ ବି କଂଗ୍ରେସ ସରକାର ଅନେକ ଥର ଏଥିରେ ସଂଶୋଧନ କରିଛନ୍ତି । ଅତୀତରେ ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖର, ଆଇ କେ ଗୁଜରାଲ, ଏଚ ଡି ଦେବେଗୌଡା ଏବଂ ମନମୋହନ ସିଂ ଆଦିଙ୍କର ଏସପିଜି ସୁରକ୍ଷା ବ୍ୟବସ୍ଥା ବି ପ୍ରତ୍ୟାହାର କରାଯାଇଥିଲା । କିନ୍ତୁ ସେତେବେଳେ ତାହାକୁ ନେଇ କେହି ଆପତ୍ତି ଉଠାଇନଥିଲେ । ଏବେ ଗାନ୍ଧୀ ପରିବାର ସଦସ୍ୟଙ୍କର ଏସପିଜି ସୁରକ୍ଷା ପ୍ରତ୍ୟାହାର କରାଗଲାବେଳେ ସେମାନେ ଏହାକୁ ନେଇ କାହିଁକି ଆପତ୍ତି ଉଠାଉଛନ୍ତି?’ ଶାହଙ୍କ ବୟାନ ପରେ କଂଗ୍ରେସ ସଦସ୍ୟମାନେ ଅସନ୍ତୋଷ ପ୍ରକାଶ କରି ଗୃହ ବାହାରକୁ ଚାଲିଯାଇଥିଲେ ।
ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ର ସରକାର କିଛି ଦିନ ତଳେ ସୋନିଆ, ରାହୁଲ ଏବଂ ପ୍ରିୟଙ୍କାଙ୍କ ଠାରୁ ଏସପିଜି ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରିନେଇଥିଲେ । ତା’ର କେଇ ଦିନ ପରେ ସରକାର ଏହି ସଂଶୋଧନ ବିଲ୍ ସଂସଦରେ ଆଗତ କରିଛନ୍ତି ।
Comments are closed, but trackbacks and pingbacks are open.