ବାରିପଦା,(ବି.ବି.ନୁ୍ୟଜ): ବାରିପଦା ପିଏ ଆଇଟିଡିଏର ସହକାରୀ ନିର୍ବାହୀ ଯନ୍ତ୍ରୀ ଗଣପତି ଜେନାଙ୍କୁ ଦୁର୍ବ୍ୟବହାର ଓ ଧମକ ଦେବା ଶେଷରେ ବାରିପଦା ବିଧାୟକ ପ୍ରକାଶ ସୋରେନଙ୍କ ପାଇଁ ମହଙ୍ଗା ପଡ଼ିଛି । ଏ ସମ୍ପର୍କରେ ଶ୍ରୀ ଜେନାଙ୍କ ଅଭିଯୋଗକ୍ରମେ ଟାଉନ୍ ଥାନା ପୁଲିସ ପ୍ରକାଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏସ୍ଡିଜେଏମ୍ କୋର୍ଟରେ ବିଚାରପତି ରୀନୋତି ମିଶ୍ର ୩୦ ହଜାର ଟଙ୍କା ମୁଚାଲିକାରେ ବିଧାୟକ ପ୍ରକାଶ ସୋରେନଙ୍କ ଜାମିନ୍ ମଞ୍ଜୁର କରିଥିଲେ । ବିଧାୟକଙ୍କ ପକ୍ଷରୁ ଓକିଲ ଅସୀତ ଓତାଙ୍କ ଜାମିନ୍ ପାଇଁ କୋର୍ଟରେ ଆବେଦନ କରିଥିଲେ ।
ଉଲ୍ଲେଖଯୋଗ୍ୟ ଯେ, ପିଏଆଇଟିଡିଏ ବାରିପଦାର ସହକାରୀ ନିର୍ବାହୀ ଯନ୍ତ୍ରୀ ଗଣପତି ଜେନାଙ୍କୁ ବିଧାୟକ ଦୁର୍ବ୍ୟବହାର କରିବା ସହ ଧମକ ଦେଇଥିବା ନେଇ ସେ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଗୁରୁବାର ରାତି ସାଢେ଼ ୭ଟାରେ ଟାଉନ ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ ଶୁକ୍ରବାର ପୁଲିସ ବିଧାୟକ ପ୍ରକାଶଙ୍କୁ ମଧ୍ୟାହ୍ନ ସାଢେ଼ ୧୨ଟାରେ ଗିରଫ କରିଥିଲା । ପ୍ରକାଶଙ୍କୁ ପୁଲିସ୍ ଗିରଫ କରିବା ଖବର ତ୍ୱରିତ ବେଗରେ ଚାରିଆଡେ଼ ପ୍ରଚାର ହୋଇଯାଇଥିଲା । ଏହାକୁ ନେଇ ରାଜନୀତି ଜୋର୍ ଧରିଥିଲା । ବିଧାୟକଙ୍କୁ ଗିରଫ ପ୍ରତିବାଦରେ ସଙ୍ଗେ ସଙ୍ଗେ ବିଜେପିର ତୁଙ୍ଗ ନେତାଙ୍କ ସମେତ ଶତାଧିକ କର୍ମୀ ଟାଉନ୍ ଥାନା ଆଗରେ ପହଞ୍ଚି ଧାରଣା ଦେବା ସହ ବିଭିନ୍ନ ନାରାବାଜି କରିଥିଲେ । ଦିନତମାମ ଏନେଇ ଏକ ହାଇ ପ୍ରୋଫାଇଲ୍ ଡ୍ରାମା ଚାଲିଥିଲା । ଆଇନଶୃଙ୍ଖଳା ଦୃଷ୍ଟିରୁ ଟାଉନ୍ ଥାନା ଆଗରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା । ସନ୍ଧ୍ୟା ସାଢେ଼ ୬ଟା ସମୟରେ ପୁଲିସ୍ ପ୍ରକାଶଙ୍କୁ ଥାନା ପଛ ଗେଟ୍ ଦେଇ ଏସଡିଜେଏମ୍ କୋର୍ଟ ଚାଲାଣ କରିଥିଲା । ଏହାପରେ ବିଧାୟକ ପ୍ରକାଶଙ୍କ ଓକିଲ କୋର୍ଟରେ ବିଧାୟକଙ୍କ ଜାମିନ୍ ମଞ୍ଜୁର ପାଇଁ ଆବେଦନ କରିଥିଲା ବେଳେ କୋର୍ଟ ବିଧାୟକଙ୍କ ଜାମିନ୍ ମଞ୍ଜୁର କରିଥିଲେ ।
ବାରିପଦା ଟାଉନ୍ ଥାନାରେ ସହକାରୀ ଯନ୍ତ୍ରୀ ପିଏଆଇଟିଡିଏ ବାରିପଦାଙ୍କ ଅଭିଯୋଗକୁ ଭିତ୍ତି କରି ବାରିପଦା ବିଧାୟକ ପ୍ରକାଶ ସୋରେନଙ୍କ ବିରୋଧରେ ପୁଲିସ୍ କେସ୍ ନମ୍ବର ୫୯୦ରେ ଦଫା ୨୯୪, ୩୪୧, ୩୨୩, ୩୨୪, ୫୦୬ ଏବଂ ୩୪ରେ ତଦନ୍ତ ଆରମ୍ଭ କରିଥିଲା । ପରବର୍ତ୍ତୀ ସମୟରେ ପୁଲିସ୍ ପ୍ରକାଶଙ୍କୁ ଗିରଫ କରି ତାଙ୍କ ବିରୋଧରେ ୩୪୧, ୩୨୩, ୩୨୪, ୩୩୨, ୨୯୪, ୫୦୬, ୩୫୩, ୩୫୫, ୩୮୫, ୧୨୦(ଖ) ଆଇପିସି ଧାରା ଲଗାଇଛି ।
ବାରିପଦା ଟାଉନ୍ ଥାନାରେ ଗତ ୩ ତାରିଖ ଗୁରୁବାର ରାତି ସାଢେ଼ ୭ଟା ସମୟରେ ବାରିପଦା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଗଣପତି ଜେନା ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ମୁତାବକ ବାରିପଦା ବିଧାୟକ ପ୍ରକାଶ ସୋରେନ୍ କୁଆଡେ ଶ୍ରୀ ଜେନାଙ୍କୁ ସ୍ଥାନୀୟ ଷ୍ଟେସନ ବଜାରସ୍ଥିତ ସର୍କିଟ୍ ହାଉସ୍କୁ ଡକାଇ ସେଠାରେ ତାଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହିତ ଧମକ ଦେଇଥିଲେ । ଏଥିସହ ବିଧାୟକ କୁଆଡେ଼ ତାଙ୍କ ସମର୍ଥକ କର୍ମୀଙ୍କୁ ୱାର୍କ ଅର୍ଡର ଦେବା ପାଇ କହିବା ସହ ୫ ଲକ୍ଷ ଟଙ୍କା ଦାବି କରିଥିଲେ । ନ ଦେଲେ ଜୀବନରୁ ମାରି ଦେବା ପାଇଁ ଧମକ ଦେଇଥିଲେ । ଖାଲି ସେତିକି ନୁହେଁ ବିଧାୟକ କୁଆଡେ ଶ୍ରୀ ଜେନାଙ୍କୁ ବର୍ବୋରଚିତ ଭାବେ ଲାଠିରେ ମାରିବା ସହ ଗୋଇଠା ମାରି ତାଙ୍କୁ କ୍ଷତାକ୍ତ କରିଥିଲେ । ଏହି ଅଭିଯୋଗକୁ ଆଧାର କରି ବାରିପଦା ଟାଉନ୍ ଥାନା ପୁଲିସ୍ ୫୯୦ ନମ୍ବର କେସ୍ରେ ତଦନ୍ତ ଆରମ୍ଭ କରିବା ସହ ଶୁକ୍ରବାର ୧୨ଟା ୩୦ରେ ବିଧାୟକଙ୍କୁ ଗିରଫ କରିଥିଲା ।
Comments are closed, but trackbacks and pingbacks are open.