କଟକ: ନାଗ ସାପ କାମୁଡ଼ାରେ ଗୁରୁତର ହୋଇପଡ଼ିଥିବା ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅଧୀନ ବାଲିଝର ଗାଁର ୯ ବର୍ଷର ବାଳିକା ମଞ୍ଜୁଳା ଗଣ୍ଡଙ୍କୁ ଏସ୍ସିବି ସର୍ଜରୀ ୱାର୍ଡରେ ଭର୍ତ୍ତି କରାଯାଇଛି । ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ଆଜି ମଧ୍ୟାହ୍ନରେ ନବରଙ୍ଗପୁରରୁ ମଞ୍ଜୁଳାଙ୍କୁ କଟକ ଅଣାଯାଇଥିଲା । ମଞ୍ଜୁଳାଙ୍କୁ ପ୍ରଥମେ ଏସ୍ସିବି କାଜୁଆଲ୍ଟିରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ସର୍ଜରୀ ୱାର୍ଡକୁ ତାଙ୍କୁ ସ୍ଥାନାନ୍ତର କରାଯାଇଛି । ଖୁବ୍ ଶୀଘ୍ର ତାଙ୍କ ଡାହାଣ ହାତରେ ଅପରେସନ୍ କରାଯିବ ଓ ଆବଶ୍ୟକ ସ୍ଥଳରେ ପ୍ଳାଷ୍ଟିକ୍ ସର୍ଜରୀରେ ଭର୍ତ୍ତି କରାଯିବ ବୋଲି ଏସ୍ସିବି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ମଞ୍ଜୁଳାଙ୍କୁ ମାସକ ତଳେ ନାଗ ସାପ ଦଂଶନ କରିଥିଲା । ପରିବାର ଲୋକେ ଅନ୍ଧବିଶ୍ୱାସର ଶିକାର ହୋଇ ନାବାଳିକାଙ୍କୁ ମେଡିକାଲ୍ର ଭର୍ତ୍ତି କରିବା ବଦଳରେ ଦଂଶନ କରିଥିବା ନାଗକୁ ବନ୍ଦୀ କରି ରଖି ଝିଅକୁ ତୁଟୁକା ଚିକିତ୍ସା କରାଉଥିଲେ । ତୁଟୁକା ଚିକିତ୍ସାରେ ନାବାଳିକା ଜଣକ ଆରୋଗ୍ୟ ହେବା ବଦଳରେ ତାଙ୍କ ଡାହାଣ ହାତ ପଚି ନଷ୍ଟ ହେବାକୁ ବସିଥିଲା । ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ମଞ୍ଜୁଳାଙ୍କୁ ଉଚ୍ଚତର ଚିକିତ୍ସା ମିଳିପାରୁ ନଥିଲା ।
ଏ ସମ୍ପର୍କରେ ଖବର ପ୍ରକାଶିତ ହେବା ପରେ ସ୍ଥାନୀୟ ପ୍ରଶାସନ ସହାୟତାରେ ନାବାଳିକାଙ୍କୁ ଏସ୍ସିବିରେ ଭର୍ତ୍ତି କରାଯାଇଛି । ଅପରେସନର ତୁରନ୍ତ ଆବଶ୍ୟକତା ଥିବାରୁ ନାବାଳିକାଙ୍କୁ ସର୍ଜରୀ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ନାବାଳିକାଙ୍କ ହାତରେ ଅପରେସନ୍ କରାଯିବ ବୋଲି ମେଡିକାଲ ପକ୍ଷରୁ କୁହାଯାଇଛି । ନାବାଳିକାଙ୍କୁ ସଂପୂର୍ଣ୍ଣ ମାଗଣା ଚିକିତ୍ସା ଯୋଗାଇ ଦେବା ପାଇଁ ମେଡିକାଲ୍ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ବିଭିନ୍ନ ବିଭାଗର ବିଶେଷଜ୍ଞଙ୍କୁ ନେଇ ଏକ ଟିମ୍ ଗଢାଯାଇଛି ।
ବାଲିଝର ଗାଁର ମଞ୍ଜୁଳାଙ୍କୁ ମାସକ ତଳେ ଏକ ନାଗସାପ କାମୁଡ଼ି ଦେଇଥିଲା । ଦେଶୀ ଚିକିତ୍ସା କରାଯିବାର ଦିନକ ପରେ ତାଙ୍କୁ ରାଇଘର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଶରୀରର ଅନ୍ୟ ଅଂଶକୁ ବିଷ ଚଢ଼ିଯିବା ଭୟରେ ପରିବାର ଲୋକେ ସାପ କାମୁଡ଼ି ଥିବା ମଞ୍ଜୁଳାଙ୍କ ଡାହାଣ ହାତକୁ ଏକ କପଡ଼ାରେ ବାନ୍ଧି ଦେଇଥିଲେ । ବିଷ ପ୍ରଭାବରେ ଡାହାଣ ହାତ ସଂପୂର୍ଣ୍ଣ ନୀଳ ପଡ଼ି ଯାଇଥିଲା । କିଛିଦିନ ପରେ ବିଷ ଜମି ହାତଟି ପଚି ଯାଇଥିଲା ।
ରାଇଘର ଡାକ୍ତରଖାନାରୁ ତାଙ୍କୁ ନବରଙ୍ଗପୁର ଏବଂ ପରେ କୋରାପୁଟ ସ୍ଥାନାନ୍ତର କରାଯାଇଥିଲା । ଅବସ୍ଥା ଗମ୍ଭୀର ଥିବାରୁ କୌଣସି ଏକ ବଡ଼ ମେଡିକାଲ୍ ନେଇଯିବାକୁ ଡାକ୍ତର ପରାମର୍ଶ ଦେଇଥିଲେ । କିନ୍ତୁ ଅର୍ଥ ଅଭାବରୁ ପରିବାର ଲୋକେ ମଞ୍ଜୁଳାଙ୍କୁ ଘରକୁ ନେଇଯାଇଥିଲେ । ଅନ୍ୟପକ୍ଷରେ ଅନ୍ଧବିଶ୍ୱାସର ଶିକାର ହୋଇଥିଲେ ପରିବାର ଲୋକେ । ମଞ୍ଜୁଳାଙ୍କୁ କାମୁଡ଼ିଥିବା ନାଗ ସାପଟିକୁ ବନ୍ଦୀ କରି ରଖିଥିଲେ । ସେମାନଙ୍କ ଭିତରେ ବିଶ୍ୱାସ ଥିଲା ଯେ, ଯଦି ନାଗ ସାପର କୌଣସି କାରଣରୁ ମୃତ୍ୟୁ ହୋଇଯିବ, ତା’ହେଲେ ଆହତ ଝିଅ ବଞ୍ଚିବା କଷ୍ଟକର । ତେଣୁ ସାପଟିକୁ ସେମାନେ ବନ୍ଦୀ କରି ରଖିଥିଲେ । ଖବର ପ୍ରକାଶ ପାଇବା ପରେ ବନ ବିଭାଗ ପହଞ୍ଚି ସାପକୁ ଉଦ୍ଧାର କରିଥିଲା ଓ ସ୍ୱାସ୍ଥ୍ୟ ପରୀକ୍ଷ।। ପରେ ତାକୁ ଜଙ୍ଗଲରେ ଛାଡ଼ିଥିଲା ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.