କଟକ,(ବି.ବି.ବୁ୍ୟରୋ): ଏସ୍ସିବି କରୋନା ଆଇସୋଲେସନ୍ ୱାର୍ଡରୁ ଆଜି ଆଉ ଜଣେ ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । କରୋନା ଆକ୍ରାନ୍ତଙ୍କ ଘର କେନ୍ଦ୍ରାପଋା ଜିଲ୍ଲାରେ । ସନ୍ଦିଗ୍ଧ ରୋଗୀ ଭାବେ ସେ ଏସ୍ସିବିରେ ଭର୍ତ୍ତି ହୋଇଥିଲେ । ସଂପୃକ୍ତ ରୋଗୀଙ୍କ ସ୍ୱାବ୍ ନମୁନା ପଜିଟିଭ ଆସିଥିବା ଏସ୍ସିବି କରୋନା ନୋଡାଲ୍ ଅଫିସର୍ ପ୍ରଫେସର ଡାକ୍ତର ମନୋରଞ୍ଜନ ପ;ନାୟକ ସୂଚନା ଦେଇଛନ୍ତି । ସଂପୃକ୍ତ ରୋଗୀଙ୍କୁ କରୋନା ହସ୍ପିଟାଲ୍ରେ ଭର୍ତ୍ତି କରିବା ପାଇଁ ବ୍ୟବସ୍ଥା କରାଯାଉଥିବା ବେଳେ ତାଙ୍କର ଭ୍ରମଣ ଇତିହାସ ଓ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରାଯାଇଥିବା ଡାକ୍ତର ପଟ୍ଟନାୟକ କହିଛନ୍ତି । ଗତ ସପ୍ତାହକ ମଧ୍ୟରେ ଏସ୍ସିବିରେ ମୋଟ ୩ ଜଣ ପଜିଟିଭ ରୋଗୀ ଚିହ୍ନଟ ହେଲେଣି । ପ୍ରଥମେ ମେଡିକାଲ୍ର ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗରୁ ପୁରୀ ଜିଲ୍ଲାର ଜଣେ ମହିଳା କରୋନା ଚିହ୍ନଟ ହୋଇଥିବା ବେଳେ ଆଇସୋଲେସନ ୱାର୍ଡରୁ ଟାଙ୍ଗୀ କୁକୁଡାଙ୍ଗ ଅଞ୍ଚଳର ଜଣେ ରୋଗୀ କରୋନା ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଥିଲେ ।
ଅନ୍ୟପକ୍ଷରେ ଏସ୍ସିବି ମେଡିକାଲ୍ରେ କରୋନା ସଂଦିଗ୍ଧଙ୍କ ସ୍ୱାବ୍ ନମୁନା ପରୀକ୍ଷା ୩୦ ହଜାରରେ ପହଞ୍ଚିଛି । ମାର୍ଚ୍ଚ ୩୦ରୁ ଏସସିବିରେ କରୋନା ଟେଷ୍ଟ ଆରମ୍ଭ କରାଯାଇଥିଲା । ପ୍ରାରମ୍ଭରେ ଦିନକୁ ୮ରୁ ୧୦ଜଣ ରୋଗୀଙ୍କ ସ୍ୱାବ୍ ନମୁନା ପରୀକ୍ଷା କରାଯାଉଥିଲା । ଏବେ ଦିନକୁ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଉଛି । ଗତ ଶନିବାର ଏସ୍ସିବିରେ ୧ଶହ ନମୁନା ପରୀକ୍ଷା କରାଯାଇଥିଲା । ତେବେ ଦିନକୁ ୨ହଜାର ସ୍ୱାବ୍ ଟେଷ୍ଟ କରିବା ପାଇଁ ଉଦ୍ୟମ ଜାରି ରହିଥିବା ମେଡିକାଲ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ରାଜ୍ୟକୁ ବାହାର ରାଜ୍ୟରୁ ପ୍ରବାସୀ ଶ୍ରମିକଙ୍କ ସୁଅ ଛୁଟିବାରେ ଲାଗିଛି । ଆଜି ସନ୍ଧ୍ୟା ସୁଦ୍ଧା ୪ହଜାର ପ୍ରବାସୀ ଶ୍ରମିକ କଟକରେ ପହଞ୍ଚିଛନ୍ତି । ମାତ୍ର ବାହାର ରାଜ୍ୟରୁ ଆସୁଥିବା ସମସ୍ତ ପ୍ରବାସୀଙ୍କର ସ୍ୱାବ୍ ପରୀକ୍ଷା କରାଯିବ ନାହିଁ ବୋଲି କରୋନା ନୋଡାଲ ଅଫିସର ପ୍ରଫେସର ଡାକ୍ତର ମନୋରଞ୍ଜନ ପଟ୍ଟନାୟକ କହିଛନ୍ତି । କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ରହିଥିବା ଶ୍ରମିକମାନଙ୍କ ମଧ୍ୟରୁ ଯେଉଁମାନଙ୍କର ଲକ୍ଷଣ ପ୍ରକାଶ ପାଇବ କେବଳ ସେହିମାନଙ୍କର ନମୁନା ପରୀକ୍ଷା କରାଯିବ ବୋଲି ଡାକ୍ତର ପଟ୍ଟନାୟକ କହିଛନ୍ତି ।


Comments are closed, but trackbacks and pingbacks are open.