କଟକ,(ବି.ବି.ନୁ୍ୟଜ୍): ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ଚିକିତ୍ସା ରାଜ୍ୟ ସରକାରଙ୍କ ପାଇଁ ଏକ ଚାଲେଞ୍ଜ୍ ଥିଲା । ସେମାନଙ୍କୁ ଭଲ କରିବା ପାଇଁ ସରକାର ସଙ୍କଳ୍ପବଦ୍ଧ ଥିଲେ । ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯମଜ ଶିଶୁଙ୍କ ଚିକିତ୍ସା ପାଇଁ ଏକ କୋଟି ଟଙ୍କା ସହାୟତା ଦେଇଥିଲେ । ମୁଖ୍ୟମନ୍ତ୍ରୀ ଚାହୁଥିଲେ, ଜଗା- କାଳିଆ ଦୁଇ ଭାଇ ସୁସ୍ଥ ହୋଇ ଦିଲ୍ଲୀରୁ ଶୀଘ୍ର ଓଡ଼ିଶା ଫେରନ୍ତୁ । ଉଭୟଙ୍କ ପୂର୍ଣ୍ଣ ଆରୋଗ୍ୟ ଉପରେ ଏବେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଉଛନ୍ତି । ଜଗା-କାଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ତଥ୍ୟ ରଖିବା ଅବସରରେ ଆଜି ଏହା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ।

୨୦୧୭ ମସିହାରୁ ଦିଲ୍ଲୀସ୍ଥିତ ଏମ୍ସ୍ରେ ଚିକିତ୍ସିତ ହୋଇଆସୁଥିବା ଯମଜ ଶିଶୁ ଜଗା-କାଳିଆ ଆଜି କଟକରେ ପହଞ୍ଚିବା ପରେ ଉଭୟଙ୍କୁ ଏସ୍ସିବି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆଶୁଚିକିତ୍ସା କେନ୍ଦ୍ର ଉପର ମହଲାରେ ଥିବା ଏକ ସ୍ୱତନ୍ତ୍ର କ୍ୟାବିନ୍ରେ ଶିଶୁ ଦ୍ୱୟଙ୍କୁ ରଖାଯାଇ ଚିକିତ୍ସା କରାଯାଉଛି । ଜଗା-କାଳିଆଙ୍କ ସ୍ୱାସ୍ଥ୍ୟ ସେବା ତଥା ଚିକିତ୍ସା ସମ୍ପର୍କିତ ବିଭିନ୍ନ ବ୍ୟବସ୍ଥାକୁ ନେଇ ଏସ୍ସିବିରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟମନ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି, ଦୁଇ ଭାଇ ଓଡ଼ିଶା ଫେରିବା ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ଏଠାରେ ମଧ୍ୟ ଦୁଇ ଶିଶୁଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । ଏଥିପାଇଁ ଏସ୍ସିବିରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଗଠନ କରାଯାଇଛି । ଏମ୍ସ୍ର ଡାକ୍ତରଙ୍କ ପରାମର୍ଶକ୍ରମେ ଏବେ ଜଗା-କାଳିଆଙ୍କୁ ଚିକିତ୍ସା କରାଯିବା ସହ ଖାଦ୍ୟପାନୀୟ ମଧ୍ୟ ଯୋଗାଇ ଦିଆଯିବ । ଦୁଇ ଭାଇଙ୍କର ସ୍ୱାସ୍ଥ୍ୟାବସ୍ଥା ମୁଁ ପ୍ରତ୍ୟକ୍ଷ ଭାବେ ଆଜି ଅନୁଧ୍ୟାନ କରିଛି । ଜଗାର ଅବସ୍ଥା ଏବେ ଭଲ ଅଛି । ସେ ମୋ ସହ ହାତ ମିଳାଇଛି । ମାତ୍ର କାଳିଆର ଅବସ୍ଥା ଟିକେ ଖରାପ ଅଛି ବୋଲି ମୁଁ ଅନୁଭବ କରୁଛି । ଆଉ କିଛି ଦିନ ପରେ ଜାଗାକୁ ସ୍କୁଲ୍ ପଠାଯିବା ଲାଗି ସରକାରୀ ସ୍ତରରେ ବନେ୍ଦାବସ୍ତ ଚାଲିଛି । ସୁରକ୍ଷା ଦୃଷ୍ଟିରୁ ଏସ୍ସିବି ଡାକ୍ତରଖାନା ପାଖାପାଖି ଥିବା ସ୍କୁଲ୍କୁ ଜଗାକୁ ପାଠ ପଢ଼ିବାକୁ ଛଡ଼ାଯିବା ଲାଗି ଯୋଜନା ରହିଛି । ଆଉ କିଛି ସପ୍ତାହ ପରେ ଏନେଇ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏନ୍ଏଚ୍ଏମ୍ ନିଦେ୍ର୍ଧଶିକା ଶାଳିନୀ ପଣ୍ଡିତ, ଏମ୍ସ୍ରେ ସେମାନଙ୍କ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତର ଦୀପକ ଗୁପ୍ତା ଜଗା-କାଳିଆଙ୍କ ଭବିଷ୍ୟତ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ । ଜଗା- କାଳିଆ ଯମଜ ଶିଶୁଙ୍କର ଅପରେସନ୍ ଏବଂ ଅନ୍ୟ ଚିକିତ୍ସା ଦେଶରେ ବିରଳ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ମଧ୍ୟ ଏମ୍ସରେ ପହଞ୍ଚି ଦୁଇ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିଥିଲେ । ଜଗା ଅପେକ୍ଷା କାଳିଆର ସ୍ୱାସ୍ଥ୍ୟାବସ୍ଥାରେ ଅବନତି ରହିଛି । କାଳିଆର ମସ୍ତିଷ୍କ କମ୍ ବିକଶିତ ହୋଇଛି । ରକ୍ତ ସଞ୍ଚାଳନ ମଧ୍ୟ ଜଗାଠାରୁ କାଳିଆର କମ୍ ରହିଛି ବୋଲି ଏମ୍ସ ଡାକ୍ତର ଗୁପ୍ତା କହିଥିଲେ । କାଳିଆ ନିମୋନିଆରେ ବେଳେ ବେଳେ ଆକ୍ରାନ୍ତ ହୋଇପଡୁଥିବାରୁ ତାକୁ ଅଧିକାଂଶ ସମୟରେ ଜ୍ୱର ହେଉଛି । ଆସନ୍ତା ୬ ମାସ ପାଇଁ ଦୁଇ ଶିଶୁଙ୍କ ପାଇଁ ମେଡିସିନ୍ ଏବଂ ଖାଦ୍ୟ ପସ୍ତୁତ ହୋଇ ଏମ୍ସରୁ ଆସିଛି ବୋଲି ଡାକ୍ତର ଗୁପ୍ତା ସୂଚନା ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଏମ୍ସର ବିଶେଷଜ୍ଞ ଡାକ୍ତର ଗିରିଜା ରଥ, ଏସ୍ସିବି ମେଡିକାଲ୍ କଲେଜ୍ ଡିନ୍ ତଥା ପ୍ରିନ୍ସପାଲ୍ ପ୍ରଫେସର ଜୟଶ୍ରୀ ମହାନ୍ତି, ଡାକ୍ତରଖାନା ଅଧୀକ୍ଷକ ପ୍ରଫେସର ସି.ବି.କେ. ମହାନ୍ତି, ଡାକ୍ତରୀ ଟିମ୍ ମୁଖ୍ୟ ତଥା ନୁ୍ୟରୋ ସର୍ଜରୀ ବିଭାଗୀୟ ମୁଖ୍ୟ ପ୍ରଫେସର ସୁଧାଂଶୁ ମିଶ୍ର, ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଶୁଭକାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ଗତକାଲି ଏମ୍ସରୁ ଡିସ୍ଚାର୍ଜ ହୋଇଆସିଥିବା ଜଗା-କାଳିଆ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ସହାୟତାରେ ରାଜଧାନୀ ଏକ୍ସପ୍ରେସ୍ରେ ଆସି ଆଜି ଅପରାହ୍ନରେ କଟକ ରେଳ ଷ୍ଟେସନ୍ରେ ଓହ୍ଲାଇଥିଲେ । ଷ୍ଟେସନ୍ ନିକଟରୁ ଏସ୍ସିବିର ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ବିଶେଷଜ୍ଞମାନେ ଦୁଇ ଶିଶୁ ଏବଂ ସେମାନଙ୍କ ଅଭିଭାବକଙ୍କୁ ଧରି ଡାକ୍ତରଖାନାରେ ପହଞ୍ଚିଥିଲେ । ଆଶୁଚିକିତ୍ସା କେନ୍ଦ୍ରର ଉପର ମହଲାରେ ଥିବା ଏକ ସ୍ୱତନ୍ତ୍ର କ୍ୟାବିନ୍ରେ ସେମାନଙ୍କୁ ଭର୍ତ୍ତି କରାଯାଇଥିଲା । ଦୁଇ ଶିଶୁଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ସମେତ ଅଭିଜ୍ଞ ନର୍ସ ଓ ଅନ୍ୟାନ୍ୟ ପାରା ମେଡିକାଲ୍ ଷ୍ଟାଫ୍କୁ ମଧ୍ୟ ନିୟୋଜିତ କରାଯାଇଛି । ଚିକିତ୍ସା ପାଇଁ ଗଠିତ ହୋଇଥିବା ଡାକ୍ତରୀ ଟିମ୍ରେ ନୁ୍ୟରୋସର୍ଜରୀ ବିଭାଗ ମୁଖ୍ୟ ପ୍ରଫେସର ସୁଧାଂଶୁ ମିଶ୍ର ଅଧ୍ୟକ୍ଷ ରହିଛନ୍ତି । ଉକ୍ତ ଡାକ୍ତରୀ ଟିମ୍ରେ ସର୍ଜରୀ ବିଭାଗ ପ୍ରଫେସର କୈଳାସଚନ୍ଦ୍ର ମିଶ୍ର, ଶିଶୁ ରୋଗ ବିଭାଗ ମୁଖ୍ୟ ପ୍ରଫେସର ଜ୍ଞାନେନ୍ଦ୍ରନାଥ ବେହେରା, ନୁ୍ୟରୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଅଶୋକ ମଲ୍ଲିକ୍, ଡାକ୍ତରଖାନା ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା, ଶିଶୁ ଭବନ ଡାକ୍ତରଖାନା ଶିଶୁ ଶଲ୍ୟ (ପେଡିଆଟ୍ରିକ୍ ସର୍ଜରୀ) ମୁଖ୍ୟ, ନିଶ୍ଚେତନ (ଆନାସ୍ଥେସିଆ) ବିଭାଗ ମୁଖ୍ୟ, ପ୍ଲାଷ୍ଟିକ୍ ସର୍ଜରୀ ବିଭାଗ ମୁଖ୍ୟ, ଗ୍ୟାଷ୍ଟେ୍ରା ସର୍ଜରୀ ବିଭାଗ ମୁଖ୍ୟ, ଛାତି ଓ ଯକ୍ଷ୍ମା ରୋଗ ବିଭାଗ ମୁଖ୍ୟ, କାର୍ଡିଓଲୋଜି ବିଭାଗୀୟ ମୁଖ୍ୟ ଡାକ୍ତରଙ୍କ ସମେତ ଶିଶୁ ଭବନ ଡାକ୍ତରଖାନା ଅଧୀକ୍ଷକ ସଦସ୍ୟ ଥିବା ସୂଚନା ମିଳିଛି । ସେହିପରି ଜଗା-କାଳିଆଙ୍କୁ ଖାଦ୍ୟପାନୀୟ ଯୋଗାଇ ଦେବା ପାଇଁ ଡାଏଟିସିଆନ୍ଙ୍କୁ ମଧ୍ୟ ସ୍ୱତନ୍ତ୍ର ଭାବେ ନିୟୋଜିତ କରାଯାଇଛି । ଦୁଇ ଶିଶୁଙ୍କ ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗର ସଠିକ୍ ଚାଳନା ଲାଗି ଜଣେ ଫିଜିଓଥେରାପିଷ୍ଟଙ୍କୁ ନିୟୋଜିତ କରାଯାଇଛି ।
Comments are closed, but trackbacks and pingbacks are open.