ଓଟିରେ ଗର୍ଭବତୀ, ଡାକ୍ତରାଣୀ ଛୁ

Get real time updates directly on you device, subscribe now.

ଜୟପୁର,(ବି.ବି.ବୁ୍ୟରୋ): ପୁଣି ବିବାଦରେ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସସ୍ମିତା ଦାସ । ତାଙ୍କୁ ନେଇ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କିଛି ସମୟ ପାଇଁ ପ୍ରକାଶ ପାଇଥିଲା ଉତ୍ତେଜନା । ପ୍ରସବ ପାଇଁ ଆସିଥିବା ମହିଳାଙ୍କୁ ନିଆଯାଇଥିଲା ଓଟିକୁ । ଆପ୍ରୋନ୍ ପିନ୍ଧାଇ ଦିଆଯାଇଥିଲା । ଆଉ ଏତିକି ବେଳେ ଛୁ ମାରିଥିଲେ ଡାକ୍ତର ଦାସ । ମାତ୍ର ଜଣଙ୍କ ପ୍ରସବ ପରେ ଅନ୍ୟମାନଙ୍କ ଅସ୍ତେ୍ରାପଚାର ବନ୍ଦ ରହିବାରୁ ଗର୍ଭବତୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଥିଲା । ସମୟ ଦେଇ ଅପରେସନ କରାନଯିବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା । ଦୀର୍ଘ ୩ ଘଣ୍ଟା ପରେ ସମସ୍ତ ରୋଗୀଙ୍କ ଅପରେସନ କରାଯାଇଥିଲା ।
ଅସ୍ତେ୍ରାପଚାର ମାଧ୍ୟମରେ ଆଜି ଜିଲ୍ଲା ହସପିଟାଲରେ ୫ ଜଣ ମହିଳାଙ୍କ ପ୍ରସବ ହେବାର ଥିଲା । ସମସ୍ତଙ୍କ ଅପରେସନ ୧୦ଟା ପରେ କରାଯିବ ବୋଲି କୁହାଯାଇଥିଲା । ଡାକ୍ତର ସସ୍ମିତା ଏବଂ ନିଶ୍ଚେତକ ବିଶେଷଜ୍ଞ ଡାକ୍ତର ଆଶିଷ ପାଣିଗ୍ରାହୀ ଅସ୍ତେ୍ରାପଚାର ଆରମ୍ଭ କରିଥିଲେ । ପ୍ରଥମ ଅପରେସନ ସରିବା ପରେ ଦ୍ୱିତୀୟ ଲାଗି ପ୍ରସ୍ତୁତି ସରିଥିଲା । ଅପରେସନ ଲାଗି ଦ୍ୱିତୀୟ ମହିଳାଙ୍କୁ ନିଆଯାଇଥିଲା ଓଟିକୁ । ତାଙ୍କୁ ଆପ୍ରୋନ ପିନ୍ଧାଇ ଦିଆଯାଇଥିଲା । କିନ୍ତୁ ପୂର୍ବାହ୍ନ ସାଢେ ୧୧ ଟା ବେଳକୁ ହଠାତ୍ ଡାକ୍ତର ଦାସ ଓଟିରୁ ବାହାରି ଚାଲିଯାଇଥିଲେ । ବହୁ ସମୟ ଅପେକ୍ଷା କରିବା ପରେ ବି ଫେରିନଥିଲେ । ଅପରେସନ ହେବ ବୋଲି ମହିଳାମାନେ କେହି କିଛି ଖାଇନଥିଲେ । ଫଳରେ ସେମାନେ ଅସୁସ୍ଥ ଅନୁଭବ କରିଥିଲେ । ଯାହାକୁ ନେଇ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ଭିତରେ ଅସନ୍ତୋଷ ବଢିଥିଲା । ଓଟି ବାହାରେ ସେମାନେ ପାଟିତୁଣ୍ଡ କରିଥିଲେ । ପାଟି ଶୁଣି ଡାକ୍ତର ପାଣିଗ୍ରାହୀ ଓଟିରୁ ବାହରି ସମ୍ପର୍କୀୟଙ୍କୁ ବୁଝାଇଥିଲେ । ଅପରାହ୍ନ ୨ଟା ବେଳେ ବଳକା ଥିବା ମହିଳାଙ୍କ ଅପରେସନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ଉତ୍ତେଜନା କମିଥିଲା । ଅପରାହ୍ନ ୨ଟା ପରେ ବଳକା ୪ଜଣଙ୍କ ଅସ୍ତେ୍ରାପଚାର କରାଯାଇଥିଲା ।
ଅଧାରୁ ଅସ୍ତେ୍ରାପଚାର ବନ୍ଦ ରଖାଯିବା ସମ୍ପର୍କରେ ଜିଲ୍ଲା ମେଡିକାଲ ଅଧିକାରୀ ଡାକ୍ତର ପ୍ରମୋଦ କୁମାର ସାମନ୍ତରାୟ କହିଛନ୍ତି, ଜିଲ୍ଲା ହସପିଟାଲରେ ଜଣେ ମାତ୍ର ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଅଛନ୍ତି । ସାଢେ ୧୧ଟା ବେଳେ ହଠାତ୍ ଜଣେ ରୋଗୀର ଦେହ ଖରାପ ହୋଇଗଲା । ତେଣୁ ଡାକ୍ତର ଦାସ ତାଙ୍କୁ ଦେଖିବାକୁ ଯାଇଥିଲେ । ଏହାବାଦ୍ ଗାଇନିକ୍ ଆଉଟ୍ ଡୋରରେ ସକାଳୁ ରୋଗୀଙ୍କ ଲମ୍ବା ଲାଇନ୍ ଲାଗିଥିଲା । ସେମାନଙ୍କ ଚିକିତ୍ସା ବି ଜରୁରୀ ଥିଲା । ଅନ୍ୟପକ୍ଷରେ ଡାକ୍ତର ପାଣିଗ୍ରାହୀ ପୂର୍ବଦିନ ନାଇଟ୍ ଡୁ୍ୟଟି କରିଥିଲେ । ଡାକ୍ତର ଅଭାବରୁ ଘରକୁ ନଫେରି ଅପରେସନରେ ସହଯୋଗ କରିଥିଲେ । ୨୯ ତାରିଖ ରାତି ୯ରୁ ଆଜି ମଧ୍ୟାହ୍ନ ୧୨ଟା ଯାଏଁ ସେ ରୋଗୀ ସେବା କରିଥିଲେ । ତାଙ୍କର ବି ବିଶ୍ରାମ ନେବା ଜରୁରୀ ଥିଲା । ଫଳରେ ଅପରେସନ ଅଧାରୁ ବନ୍ଦ କରିବାକୁ ପଡିଲା । ରୋଗୀ ସଂଖ୍ୟା ବଢୁଥିବା ବେଳେ ଡାକ୍ତରଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି । ବର୍ତ୍ତମାନ ମାତ୍ର ୧୯ ଜଣ ଡାକ୍ତର ରୋଗୀ ସେବା ଯୋଗାଇ ଦେଉଛନ୍ତି । ଫଳରେ ଏଭଳି ଅସୁବିଧା ହେଉଛି ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons