ଓଡ଼ିଆ ଆଇଏଏସ୍ ଗିରୀଶ ଚନ୍ଦ୍ର ମୁର୍ମୁ ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଓଡ଼ିଆ ଆଇଏଏସ୍ ଗିରୀଶ ଚନ୍ଦ୍ର ମୁର୍ମୁ ହେବେ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କାଶ୍ମୀରର ପ୍ରଥମ ଉପରାଜ୍ୟପାଳ । ଏ ସମ୍ପର୍କରେ ଆଜି ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ମୟୁରଭଞ୍ଜ ଜିଲ୍ଲାର ବାସିନ୍ଦା ଶ୍ରୀ ମୁର୍ମୁ ୧୯୮୫ ବ୍ୟାଚର ଗୁଜରାଟ କ୍ୟାଡରର ଆଇଏଏସ । ସେ ପୂର୍ବରୁ ଗୁଜରାଟର ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରିସାରିଛନ୍ତି । ନରେନ୍ଦ୍ର ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ମୁର୍ମୁଙ୍କୁ ଏହି ପଦବି ମିଳିଥିଲା । ସେ ଏବେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଅଧୀନରେ ବ୍ୟୟ ବିଭାଗର ସଚିବ ଭାବେ କାର୍ଯ୍ୟରତ ଅଛନ୍ତି । ଜମ୍ମୁ-କାଶ୍ମୀର ଭଳି ସମ୍ବେଦନଶୀଳ ଅଞ୍ଚଳର ଉପରାଜ୍ୟପାଳ ଭାବେ କାମ କରିବା ନିଶ୍ଚିତ ଭାବେ ତାଙ୍କ ପାଇଁ ଚାଲେଞ୍ଜିଂ ହେବ । କିନ୍ତୁ ଏହା ମଧ୍ୟ ଏକ ଗୌରବର ବିଷୟ ଯେ ଏହି ପଦ ପାଇଁ ମୋଦି ସରକାର ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ।
ପୂର୍ବରୁ ଜମ୍ମୁ-କାଶ୍ମୀରର ରାଜ୍ୟପାଳ ଥିବା ସତ୍ୟପାଲ ମଲ୍ଲିକଙ୍କୁ ଗୋଆ ରାଜ୍ୟପାଳ ଭାବେ ବଦଳି କରାଯାଇଛି ।
ସେହିପରି ଲଦାଖର ଉପରାଜ୍ୟପାଳ ଭାବେ ତ୍ରିପୁରା କ୍ୟାଡରର ଆଇଏଏସ୍ ରାଧାକ୍ରିଷ୍ଣ ମାଥୁରଙ୍କୁ ନିଯୁକ୍ତି ଦିଆଯାଇଛି । ୟୁପିର ବାସିନ୍ଦା ଶ୍ରୀ ମାଥୁର ୧୯୭୭ ବ୍ୟାଚର ଆଇଏଏସ ଅଧିକାରୀ ।୨୦୧୩ରେ ସେ କେନ୍ଦ୍ର ପ୍ରତିରକ୍ଷା ସଚିବ ଭାବେ ଅବସ୍ଥାପିତ ହୋଇଥିଲେ ଏବଂ ଦୁଇ ବର୍ଷ ପାଇଁ ଏହି ପଦବିରେ କାର୍ଯ୍ୟ କରିଥିଲେ । ସେ କେନ୍ଦ୍ର ସୂଚନା ଆୟୋଗର ମୁଖ୍ୟ ଭାବେ କାର୍ଯ୍ୟ କରି ୨୦୧୮ ନଭେମ୍ବରରେ ଅବସର ଗ୍ରହଣ କରିଥିଲେ ।
ଉଲ୍ଲେଖଯୋଗ୍ୟ, ଗତ ଅଗଷ୍ଟ ୫ରେ ଏହି ଦୁଇଟି ଅଞ୍ଚଳକୁ କେନ୍ଦ୍ର ଦ୍ୱାରା ପୃଥକ୍ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିଲା । ଅକ୍ଟୋବର ୩୧ରେ ଏହି ଦୁଇ ଅଞ୍ଚଳ ବିଧିବଦ୍ଧ ଭାବେ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ପାଇବେ । କିନ୍ତୁ ତା’ର ମାତ୍ର କେଇ ଦିନ ପୂର୍ବରୁ ସରକାର ଏହି ଦୁଇ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନୂଆ ଉପରାଜ୍ୟପାଳ ନିଯୁକ୍ତ କରିଛନ୍ତି ।
ସୂଚନାଯୋଗ୍ୟ, ମୋଦି ସରକାର ଅମଳରେ ଏବେ ବହୁ ଓଡ଼ିଆ ନେତା ଓ ଅଧିକାରୀ ଦେଶର ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବିରେ ଅବସ୍ଥାପିତ ହୋଇଛନ୍ତି । ଗିରୀଶ ମୁର୍ମୁ ଏବେ ଜମ୍ମୁ-କାଶ୍ମୀରର ଉପରାଜ୍ୟପାଳ ଭାବେ ନିଯୁକ୍ତି ପାଇଥିଲାବେଳେ ତାଙ୍କ ପୂର୍ବରୁ ଦୌପଦୀ ମୁର୍ମୁଙ୍କୁ ଝାଡ଼ଖଣ୍ଡର ଏବଂ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ପ୍ରଶାସନିକ ଅଧିକାରୀ ପି କେ ମିଶ୍ର ଏବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଧାନ ସଚିବ ଭାବେ କାର୍ଯ୍ୟରତ ଥିଲାବେଳେ ଆଉ ଜଣେ ଆଇଏଏସ ଅଧିକାରୀ ଶକ୍ତିକାନ୍ତ ଦାଶ ଏବେ ଆରବିଆଇର ଗଭର୍ଣ୍ଣର ଭାବେ ନିୟୋଜିତ ଅଛନ୍ତି । କେତେକ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ବରିÂ ପଦବିଗୁଡିକରେ ବି ଓଡ଼ିଆ ଅଧିକାରୀମାନଙ୍କୁ ଅବସ୍ଥାପିତ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons