ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଓଡ଼ିଶାରେ ଉଦ୍ବେଗଜନକ ହାରରେ ବଢ଼ିବାରେ ଲାଗିଛି କରୋନା । ଆଜି ଗୋଟିଏ ଦିନରେ ୯ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗୋଟିଏ ପରେ ଗୋଟିଏ ଜିଲ୍ଲାରେ ପଞ୍ଝା ମାରି ଚାଲିଛି କରୋନା । ଏଯାଏଁ କରୋନା ଯେଉଁ ଜଗତସିଂହପୁର ଜିଲ୍ଲା ମାଟି ମାଡ଼ିନଥିଲା, ଆଜି ସେଇ ଜିଲ୍ଲାରୁ ଏକାଥରକେ ୪ଜଣ ପଜିଟିଭ୍ ବାହାରିଛନ୍ତି । ଏହି ୪ ଜଣ ଯାକ ସୁରଟ ଫେରନ୍ତା । ବେଶ୍ କିଛି ଦିନ ଧରି କେନ୍ଦ୍ରାପଡ଼ା କରୋନା ମୁକ୍ତ ଥିବାବେଳେ ପୁଣି ସେଇ ଜିଲ୍ଲାରୁ ଜଣେ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଯାବତ୍ ଓଡ଼ିଶାରେ କରୋନା ମୃତୁ୍ୟହାର କମ୍ ଥିବାବେଳେ ଆଜି ଆଉ ଗୋଟିଏ ମୁଣ୍ଡ ନେଇଛି ଏହି ମାରାତ୍ମକ ମହାମାରୀ । ଏମିତି କିଛି ଖବର ଆଜି ରାଜ୍ୟବାସୀଙ୍କୁ ବିଚଳିତ କରିଛି । ସରକାରଙ୍କ ଚିନ୍ତା ବି ବଢ଼ିଯାଇଛି ।
କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି । ଅନ୍ୟପକ୍ଷେ ବାହାର ରାଜ୍ୟରେ ଅଟକିଥିବା ପ୍ରବାସୀ ଓଡ଼ିଆ ଏବେ ରାଜ୍ୟକୁ ଫେରିବାକୁ ଲାଗିଛନ୍ତି । ସୁରଟରୁ ବହୁ ସଂଖ୍ୟାରେ ଓଡ଼ିଆ ଫେରୁଛନ୍ତି । ଅନ୍ୟ ରାଜ୍ୟରୁ ବି ଆସୁଛନ୍ତି । ମେ’ ୩ରୁ ଆଜି ସୁଦ୍ଧା ୩୫ ହଜାର ୫୪୦ଜଣ ପ୍ରବାସୀ ଓଡ଼ିଶା ଆସିଲେଣି । ଆଗକୁ ଆହୁରି ଲକ୍ଷଲକ୍ଷ ଆସିବେ । ଖାଲି ସେତିକି ନୁହେଁ, ବିଦେଶରୁ ବହୁ ସଂଖ୍ୟାରେ ପ୍ରବାସୀ ଓଡ଼ିଆ ଘରକୁ ଫେରିବାକୁ ପ୍ରସ୍ତୁତ ହେଲେଣି । ଏତେ ସଂଖ୍ୟାରେ ପ୍ରବାସୀ ଓଡ଼ିଆ ରାଜ୍ୟକୁ ଫେରିବା ଆସିବା ପରେ ସ୍ଥିତି କ’ଣ ହେବ, ତା’କୁ ନେଇ ଏବେଠାରୁ ଚିନ୍ତା ଘାରିଲାଣି ।
କରୋନାରେ ଜଣେ ଆକ୍ରାନ୍ତ ଆଜି ଆଖି ବୁଜିଛନ୍ତି । ଭୁବନେଶ୍ୱର ମଧୁସୂଦନନଗର ଅଞ୍ଚଳର ଏହି ୭୭ ବର୍ଷୀୟ ଆକ୍ରାନ୍ତଙ୍କ ମୃତୁ୍ୟ ପରେ ରାଜ୍ୟରେ କରୋନା ମୃତୁ୍ୟ ସଂଖ୍ୟା ୨ରେ ପହଞ୍ଚିଛି । ଏ ପଟେ ଆକ୍ରାନ୍ତଙ୍କ ଗ୍ରାଫ୍ ଉପରମୁହାଁ ହୋଇଛି । ରାଜ୍ୟରେ ଏବେ ୧୭ ଜିଲ୍ଲା କରୋନା ସଂକ୍ରମିତ । ମୋଟ ଆକ୍ରାନ୍ତ ସଂଖ୍ୟା ୧୮୫କୁ ଛୁଇଁଛି ।
ମୃତ ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେଇ ସ୍ୱାସ୍ଥ୍ୟ ବିଭାଗ କହିଛି, ମୃତକଙ୍କ ପରିବାରରେ ପୂର୍ବରୁ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଗତ ୨୮ ତାରିଖ ଦିନ ତାଙ୍କର ନମୁନା ପଜିଟିଭ୍ ଆସିଥିଲା । ପୂର୍ବରୁ ତାଙ୍କର ନମୁନା ପରୀକ୍ଷା ହୋଇଥିଲେ ମଧ୍ୟ ନେଗେଟିଭ୍ ଥିଲା । ଗତ ୨୮ ତାରିଖ ଦିନ ସେ ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ କିମ୍ସ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଆକ୍ରାନ୍ତ ବ୍ୟକ୍ତିଙ୍କ କରୋନା ପଜିଟିଭ୍ ସହ ଉଚ୍ଚ ରକ୍ତଚାପ, ମଧୁମେହ ଓ କିଡ୍ନି ସମସ୍ୟା ଥିଲା । ଆଡ୍ମିଶନ ପରେ ତାଙ୍କ ରକ୍ତଚାପ କମିଥିଲା । କିଛି ଦିନ ପରେ ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ହୋଇଥିଲା । ପରେ ତାଙ୍କର ପରିସ୍ରା କମିଥିଲା । ଗୋଟିଏ ଥର ଡାୟାଲେସିସ୍ ମଧ୍ୟ ହୋଇଥିଲା । ସବୁ ପରେ ମଧ୍ୟ ଡାକ୍ତର ତାଙ୍କୁ ବଞ୍ଚାଇ ପାରିନଥିଲେ । ଗତକାଲି ବିଳମ୍ବିତ ରାତିରେ ତାଙ୍କ ମୃତୁ୍ୟ ହୋଇଛି ।
ସରକାର କହିଛନ୍ତି, ଏହି ଘଟଣା ପରେ ଉଚ୍ଚ ରକ୍ତଚାପ, ମଧୁମେହ କିଡ୍ନି ଭଳି ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ଅଧିକ ଯତ୍ନ ନେବାକୁ ହେବ । ପରିବାରରେ ଥିବା ଏଭଳି ବ୍ୟକ୍ତିଙ୍କ ଜୀବନ ପ୍ରତି ଅଧିକ ବିପଦ ରହିଛି । ଏ ଦିଗରେ ଆମକୁ ସତର୍କ ରହିବାକୁ ହେବ ।
ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆଜି ୪ଟି ଟ୍ୱିଟ୍ କରି ଆକ୍ରାନ୍ତଙ୍କ ସମ୍ପର୍କରେ ସୂଚନା ଦେଇଛି । ଚିହ୍ନଟଙ୍କ ମଧ୍ୟରେ ୫ ଜଣଙ୍କ ସୁରଟ ଲିଙ୍କ୍ ଥିବା ବେଳେ ୪ ଜଣଙ୍କ ପଶ୍ଚିମବଙ୍ଗ ଲିଙ୍କ୍ ରହିଛି । ଆଜି ସକାଳେ ସରକାର ସୂଚନା ଦେଲେ, ଗଞ୍ଜାମ ଜିଲ୍ଲାର ୧୮ ବର୍ଷୀୟ ଯୁବକଙ୍କ କରୋନା ପଜିଟିଭ୍ ଆସିଛି । ସେ କିଛି ଦିନ ତଳେ ସୁରଟରୁ ଫେରିଥିଲେ । ଏହାକୁ ମିଶାଇ ଗଞ୍ଜାମ ଜିଲ୍ଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୪ ହୋଇଛି ।
ଦ୍ୱିତୀୟ ଅପଡେଟ୍ରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦୁଇ ଆକ୍ରାନ୍ତଙ୍କ ସମ୍ପର୍କରେ ସୂଚନା ଦେଇଥିଲା । ବାଲେଶ୍ୱର ଜିଲ୍ଲାରୁ ୪୮ ବର୍ଷୀୟ ପୁରୁଷଙ୍କ ରିପୋର୍ଟ କରୋନା ପଜିଟିଭ୍ ବାହାରିଛି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୨୫ ହୋଇଛି । ଏମାନଙ୍କ ମଧ୍ୟରୁ ୫ ଜଣ ସୁସ୍ଥ ହୋଇଥିବା ବେଳେ ୨୦ ଜଣ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଆଜି ପଜିଟିଭ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ପଶ୍ଚିମବଙ୍ଗ ଲିଙ୍କ୍ ରହିଛି ।
ସେହିପରି ଯାଜପୁରରୁ ମଧ୍ୟ ଜଣେ ୬୫ ବର୍ଷୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତୃତୀୟ ଅପଡେଟ୍ରେ ଯାଜପୁରରୁ ଆଉ ଜଣେ ୫୭ ବର୍ଷୀୟ ବ୍ୟକ୍ତି କରୋନା ଚିହ୍ନଟ ହୋଇଥିବା ସ୍ପଷ୍ଟ ହୋଇଛି । ଆଜି ଯାଜପୁର ଜିଲ୍ଲାରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଉଭୟ ପଶ୍ଚିମବଙ୍ଗ ଫେରନ୍ତା । ଜିଲ୍ଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୫୫ ହୋଇଛି ।
ବେଶି ଚିନ୍ତା ବଢ଼ାଇଛି ଜଗତସିଂହପୁର । ଏ ଜିଲ୍ଲାରୁ ପ୍ରଥମ ଥର ପାଇଁ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ ଏକାଥରରେ ୪ ଜଣ ପଜିଟିଭ୍ ବାହାରିଛନ୍ତି । ଆକ୍ରାନ୍ତ ୪ ଜଣ ଯାକ ସୁରଟ୍ରୁ ଫେରିଥିଲେ । ସେମାନଙ୍କ ବୟସ ୨୬, ୩୨, ୩୦ ଓ ୪୭ ବର୍ଷ । ଏ ସମସ୍ତେ ପୁରୁଷ । ଅନେକ ଦିନ ପରେ ଏ ପଟେ କେନ୍ଦ୍ରାପଡ଼ାରୁ ଆଜି ଆଉ ଏକ ନମୁନା ପଜିଟିଭ୍ ଆସିଛି । ଏହି ୬୦ ବର୍ଷୀୟ ବ୍ୟକ୍ତିଙ୍କ ପଶ୍ଚିମବଙ୍ଗ ଲିଙ୍କ୍ ରହିଛି ।
ଆଜି ସୁଦ୍ଧା ୧୮୫ ଟି ନମୁନା ପଜିଟିଭ୍ ଆସିଥିବା ବେଳେ ୬୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଗୋଟିଏ ଆଶା୍ୱସନାର କଥା ହେଉଛି, ଏମ୍ସରେ ଚିକିତ୍ସିତ ହେଉଥିବା ଭୁବନେଶ୍ୱର ସୂର୍ଯ୍ୟନଗର ଅଞ୍ଚଳର ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେ ଅନେକ ଗୁରୁତର ରୋଗରେ ପୀଡ଼ିତ ଥିଲେ । ତେବେ ସେ ସୁସ୍ଥ ହୋଇ ଘରକୁ ଡିସଚାର୍ଜ ହୋଇଥିବା ଏମ୍ସ ପକ୍ଷରୁ କୁହାଯାଇଛି ।
କରୋନା ସ୍ଥିତି ନେଇ ଆରଏମ୍ଆରସିର ଏକ ଟିମ୍ ରୋଗୀ ନିରୀକ୍ଷଣ ପାଇଁ ଯାଜପୁର ଜିଲ୍ଲା ଯାଇଛି । ଏହାବାଦ୍ ର୍ୟାପିଡ୍ ରେସପନ୍ସ ଟିମ୍ ଗଠନ କରିଛି ସ୍ୱାସ୍ଥ୍ୟ ବିଭାଗ । ଏହି ଟିମ୍ ଗଞ୍ଜାମ ଯାଇଛି । ସେହିଭଳି ଆଉ ଏକ ଟିମ୍ ବାଲେଶ୍ୱରକୁ ଯାଇଛି ।
ରାଜ୍ୟ ବାହାର ଫେରନ୍ତା ସହରାଞ୍ଚଳର ହୋଟେଲରେ ରହିପାରିବେ । କିନ୍ତୁ, ଗ୍ରାମାଞ୍ଚଳରେ ବାହାର ଫେରନ୍ତାଙ୍କ ପାଇଁ ସରକାରୀ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ । ତେବେ ଗର୍ଭବତୀ, ପ୍ରସୂତି, ତୃତୀୟ ଲିଙ୍ଗ, ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀ ହୋମ୍ କ୍ୱାରେଣ୍ଟାଇନ୍ରେ ରହିପାରିବେ । ଏଥିପାଇଁ ସ୍ଥାନୀୟ ପ୍ରଶାସନର ଅନୁମତି ଆବଶ୍ୟକ ।
Comments are closed, but trackbacks and pingbacks are open.