ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଓଡ଼ିଶା ଭଳି ରାଜ୍ୟରେ ବହୁ ସଂଖ୍ୟାରେ ପଛୁଆବର୍ଗ (ଓବିସି ଓ ଏସଇବିସି) ଲୋକ ବାସ କରୁଛନ୍ତି । ମାତ୍ର ସେମାନଙ୍କ ପ୍ରକୃତ ସଂଖ୍ୟା ଜଣାନଥିବାରୁ ସେମାନଙ୍କ ବିକାଶ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରି ହେଉନି । ଏହାକୁ ଧ୍ୟାନରେ ରଖି ଓଡ଼ିଶା କ୍ୟାବିନେଟ୍ ରାଜ୍ୟରେ ଜନଗଣନା ବେଳେ ପଛୁଆବର୍ଗଙ୍କ ଗଣତି କରିବାକୁ ନିଷ୍ପତ୍ତି ନେଇ କେନ୍ଦ୍ରକୁ ଅନୁରୋଧ କରିଛି । କେନ୍ଦ୍ର ସରକାର ଏହାକୁ ବିିଚାର କରି ଅନୁମୋଦନ କରିବାକୁ ରାଜ୍ୟସଭାରେ ସାଂସଦ ଡ.ସସ୍ମିତ ପାତ୍ର ଅନୁରୋଧ କରିଛନ୍ତି ।
ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଅଂଶଗ୍ରହଣ କରି ଡ.ପାତ୍ର କହିଲେ, ପ୍ରାକୃତିକ ବିପର୍ଯ୍ୟୟର ଶିକାର ହେଉଥିବା ରାଜ୍ୟ ପ୍ରତି କେନ୍ଦ୍ର ସରକାର ସ୍ୱତନ୍ତ୍ର ଦୃଷ୍ଟି ଦିଅନ୍ତୁ । ଅଧିକ ଅନୁଦାନ ଦେବାକୁ ବ୍ୟବସ୍ଥା କରନ୍ତୁ । ଓଡ଼ିଶା ବାରମ୍ବାର ଦୁର୍ବପାକର ଶିକାର ହେଉଥିବାରୁ ୯୦:୧୦ ହାରରେ କେନ୍ଦ୍ର ଅନୁଦାନ ଦେଉ । ଏହା ହେଲେ ରାଷ୍ଟ୍ରପତି ଯେଉଁ ଦୁର୍ବିପାକ ମୁକାବିଲା ନେଇ ପ୍ରସ୍ତାବ ରଖିଛନ୍ତି ତାହା ସଫଳ ହୋଇପାରିବ ।
ସସ୍ମିତ କହିଲେ, ଓଡ଼ିଶା ସରକାର ସ୍ୱଚ୍ଛ ଶକ୍ତି ସେସ୍ ପାଇଁ ବାରମ୍ବାର ଦାବି କରିଆସୁଛନ୍ତି । କିନ୍ତୁ କେନ୍ଦ୍ର ସରକାର ଏହା ପ୍ରତି କର୍ଣ୍ଣପାତ କରୁନାହାନ୍ତି । କେନ୍ଦ୍ର ଏ ସେସ୍ ବାବଦକୁ ଓଡ଼ିଶା କେନ୍ଦ୍ରକୁ ୨୦ ହଜାର କୋଟି ଟଙ୍କା ଦେଉଛି । କୋଇଲା ଉତ୍ତୋଳନ ଅଞ୍ଚଳରେ ପରିବେଶ ପ୍ରଦୂଷଣ ସହ ନାନା ସମସ୍ୟା ଉପୁଜୁଛି । ମାତ୍ର ଏ ଆଦାୟ ସେସରୁ କିଛି ରାଜ୍ୟକୁ ମିଳୁନି । ଏହାଛଡ଼ା କୋଇଲା ରୟାଲ୍ଟି ସଂଶୋଧନ ହୋଇନଥିବାରୁ ଓଡ଼ିଶା ବାର୍ଷିକ ୨ ହଜାର କୋଟି ହରାଉଛି । ଏହାଦ୍ୱାରା ରାଜ୍ୟର ବିକାଶ କେମିତି ହେବ ବୋଲି ସେ ପାଲଟା ପ୍ରଶ୍ନ କରିଥିଲେ । ଏ ଦିଗରେ କେନ୍ଦ୍ର ବିଚାର କରିବାକୁ ଡ. ପାତ୍ର ଅନୁରୋଧ କରିଥିଲେ ।
ଡ. ପାତ୍ର ଆହୁରି କହିଲେ, ବିଜେଡି ସରକାର ‘ ସବ କା ସାଥ୍, ସବ କା ବିକାଶ ଓ ସବ କା ବିଶ୍ୱାସ’ ମନ୍ତ୍ରରେ ବିଶ୍ୱାସ କରେ । ମାତ୍ର କେନ୍ଦ୍ର ସରକାର ବଜେଟରେ ଓଡ଼ିଶାର କୌଣସି ପର୍ଯ୍ୟଟନସ୍ଥଳୀକୁ ‘ଆଇକନିକ୍ ସାଇଟସ୍’ରେ ସ୍ଥାନିତ କରିନାହାନ୍ତି । ଓଡ଼ିଶାରେ ୬୪ଟି ବର୍ଗର ଜନଜାତି ବାସ କରୁଥିଲେ ମଧ୍ୟ ଜନଜାତି ସଂଗ୍ରହାଳୟ ଖୋଲିବାକୁ ବିଚାର କରାଯାଇନି । ଏ ଦିଗ ପ୍ରତି ଧ୍ୟାନ ଦେଇ କେନ୍ଦ୍ର ବିଚାର କରିବା ନେଇ ସସ୍ମିତ ଗୃହର ଦୃଷ୍ଟି ଆକର୍ଷଣ କରିଥିଲେ । ସେ କହିଲେ, ରେଳବାଇ ଓଡ଼ିଶାରୁ ସର୍ବାଧିକ ରାଜସ୍ୱ ସଂଗ୍ରହ କରୁଛି । ରାଜ୍ୟରେ ରେଳ ପ୍ରକଳ୍ପ ପ୍ରତି ବିଶେଷ ଧ୍ୟାନ ଦିଆଯାଉ ନାହିଁ । ସମସ୍ତ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା ସକାଶେ କେନ୍ଦ୍ର ଆନ୍ତରିକତା ଦେଖାଉ । ସଂଘୀୟ ବ୍ୟବସ୍ଥାରେ ଓଡ଼ିଶାରେ ରେଳବାଇ ବିକାଶକୁ ଅଗ୍ରାଧିକାର ଦିଆଯିବା ଉପରେ ଡ. ପାତ୍ର ଗୁରୁତ୍ୱ ଦେଇଥିଲେ । ମାଓବାଦୀ ଅଧୁ୍ୟଷିତ ଅଞ୍ଚଳରେ ୧୦ ହଜାର ଗାଁ ଏଯାଏ ଟେଲିସେବାରୁ ବଞ୍ଚିତ ରହିଛି । ଏ ଗାଁ ଗୁଡ଼ିକ କିଭଳି ଟେଲିସେବା ପାଇପାରିବେ ସେ ଦିଗରେ କେନ୍ଦ୍ର ବିଚାର କରିବାକୁ ସସ୍ମିତ ଦାବି କରିବା ସହ ବିଜେଡି ପକ୍ଷରୁ ଧନ୍ୟବାଦ ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ ।
Comments are closed, but trackbacks and pingbacks are open.