ଓଡ଼ିଶାରେ ରାଷ୍ଟ୍ରପତି

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ରାଷ୍ଟ୍ରପତିଙ୍କ ସହିତ ଭାରତର ପ୍ରଥମ ମହିଳା ସବିତା କୋବିନ୍ଦ ମଧ୍ୟ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନ (ଆଇଏଏଫ୍ ବିବିଜେ)ରେ ଆଜି ସନ୍ଧ୍ୟାରେ ଭୁବନେଶ୍ୱର ଅନ୍ତର୍ଜାତୀୟ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବା ପରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସ୍ୱାଗତ କରିଥିଲେ ।
ଶନିବାର ସନ୍ଧ୍ୟା ୬.୨୫ରେ ରାଷ୍ଟପତି ବିମାନ ବନ୍ଦରରେ ଅବତରଣ କରିଥିଲା । ତା’ପରେ ତାଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରାଜ୍ୟପାଳ ଭବନକୁ ନିଆ ଯାଇଥିଲା । ୬ଟା ୪୫ ମିନିଟ୍ରେ ରାଷ୍ଟ୍ରପତିଙ୍କ କାର୍କେଡ୍ ପହଞ୍ଚିଥିଲା ରାଜ୍ୟପାଳ ଭବନରେ । ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରା ଯାଇଥିଲା । ରାଜ୍ୟପାଳ ଭବନରେ ସେ ରାତ୍ରିଯାପନ କରିବେ ।
ଆସନ୍ତାକାଲି ଅର୍ଥାତ୍ ୨୧ ତାରିଖ ପୂର୍ବାହ୍ନ ୯ଟାରେ ରାଷ୍ଟ୍ରପତି ଶ୍ରୀ କୋବିନ୍ଦଙ୍କ କାରକେଡ୍ ରାଜ୍ୟପାଳ ଭବନରରୁ ବାହାରି ୯ ଟା ୫ରେ ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ୯ ଟା ୧୫ରେ ଝାରସୁଗୁଡା ବିମାନ ବନ୍ଦର ଅଭିମୁଖେ ତାଙ୍କ ବିମାନ ଉଡ଼ାଣ ଭରିବ । ୯ ଟା ୫୫ରେ ବିମାନ ପହଞ୍ଚିବ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ । ସେଠାରୁ ବାୟୁସେନାର ସ୍ୱତନ୍ତ୍ର ହେଲିକ୍ୟାପ୍ଟର (ଆଇଏଏଫ୍-ଏମ୍ଆଇ୧୭)ରେ ରାଷ୍ଟ୍ରପତି ରାଉରକେଲା ଅଭିମୁଖେ ଯାତ୍ରା କରିବେ । ପୂର୍ବାହ୍ନ ୧୦ଟା ୩୫ରେ ରାଉରକେଲା ଏୟାରଷ୍ଟି୍ରପ୍ରେ ଅବତରଣ କଲା ପରେ ସେଠାରୁ ରାଷ୍ଟ୍ରପତି ରାଉରକେଲା ଏନ୍ଆଇଟି କ୍ୟାମ୍ପସ୍କୁ ଯିବେ । ଏନ୍ଆଇଟି ସମାବର୍ତ୍ତନ ଉତ୍ସବରେ ପୂର୍ବାହ୍ନ ୧୧ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ରହିବେ ।
ଏହାପରେ ୧୨ଟା ୧୦ ମିନିଟ୍ରେ ରାଉରକେଲା ହାଉସ୍ରେ ପହଞ୍ଚି ମଧ୍ୟାହ୍ନ ଭୋଜନ କରିବେ । ସେଠାରେ କିଛି ସମୟ ବିଶ୍ରାମ ନେଇ ୩ ଟା ୧୫ ମିନିଟ୍ରୁ ୩ ଟା ୩୦ ମିନିଟ୍ ପର୍ଯ୍ୟନ୍ତି କିଛି ବ୍ୟକ୍ତିଙ୍କ ସହ ସ୍ୱତନ୍ତ୍ର ସାକ୍ଷାତ କରିବା କାର୍ଯ୍ୟକ୍ରମ ରହିଛି । ଅପରାହ୍ଣ ୩ଟା ୩୦ରେ ରାଉରକେଲା ହାଉସ୍ରୁ ବାହାରି ଆରଏସ୍ପି ଅଭିମୁଖେ ଯିବେ । ୩ଟା ୪୫ରୁ ୪ଟା ୩୦ ଭିତରେ ରାଷ୍ଟ୍ରପତି ଆରଏସ୍ପି ପରିସରରେ ଥିବା ରାଉରକେଲା ସୁପର ସ୍ପେସିଆଲିଟି ହସ୍ପିଟାଲ୍କୁ ଉଦ୍ଘାଟନ କରିବା କାର୍ଯ୍ୟକ୍ରମ ରହିଛି । ସେଠାରୁ ୪ଟା ୩୦ରୁ ବାହାରି ୪ଟା ୪୦ ମିନିଟ୍ରେ ରାଉରକେଲା ଏୟାରଷ୍ଟି୍ରପ୍ରେ ପହଞ୍ଚିବେ । ୫ଟା ୩୦ରେ ଝାରସୁଗୁଡ଼ା ଏୟାରପୋର୍ଟରେ ପହଞ୍ଚିବେ । ୫ଟା ୪୦ରେ ଆଇଏଏଫ୍ ବିବିଜେ ବିମାନରେ ଭୁବନେଶ୍ୱର ଅଭିମୁଖେ ଉଡାଣ ଭରିବେ । ୬ ଟା ୧୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ସେଠାରୁ ରାଜଭବନରେ ଯିବେ ।
୨୨ ତାରିଖ ତାରିଖ ସକାଳୁ ଭୁବନେଶ୍ୱରରୁ ପୁରୀ ଶ୍ରୀ ଜଗନ୍ନାଥ ଦର୍ଶନରେ ବାହାରିବେ । ଭୁବନେଶ୍ୱର ବିମାନ ବନ୍ଦରରୁ ବାୟୁସେନାର ସ୍ୱତନ୍ତ୍ର ହେଲିକ୍ୟାପ୍ଟର ବାହାରି ତାଳବଣିଆ ହେଲିପ୍ୟାଡ ପହଞ୍ଚିବେ ସକାଳ ୮ଟା ୪୫ରେ । ସେଠାରୁ କାରକେଡ୍ରେ ଯିବେ ଶ୍ରୀମନ୍ଦିରକୁ । ସକାଳ ୯ଟା ୫ରେ ଶ୍ରୀମନ୍ଦିରରେ ପହଞ୍ଚିବେ । ପୂର୍ବାହ୍ନ ୧୦ଟା ୫ରେ ଶ୍ରୀମନ୍ଦିର ଛାଡ଼ି ହେଲିପ୍ୟାଡ୍ରେ ପହଞ୍ଚି କୋଣାର୍କ ଯାତ୍ରା କରିବେ । ୧୦ଟା ୨୫ରେ କୋଣାର୍କରେ ଅବତରଣ କରିବେ । ଦିନ ୧୦ଟା ୪୫ରୁ ୧୧ଟା ୧୫ ପର୍ଯ୍ୟନ୍ତ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବେ । ୧୧ଟା ୩୦ ମିନିଟରେ ଆଇଓସିଏଲ ଇଣ୍ଟରପ୍ରିଟେସନ ସେଣ୍ଟର ପରିଦର୍ଶନ କରିବେ । ମଧ୍ୟାହ୍ନ ୧୨ଟା ୫ରେ କୋଣାର୍କ ଯାତ୍ରୀ ନିବାସରେ ଭୋଜନ କରି ସେଠାରେ ସେ ଅପରାହ୍ଣ ୪ଟା ଯାଏ ବିଶ୍ରାମ କରିବେ । ୪ଟା ୧୫ରେ ହେଲିକ୍ୟାପ୍ଟରରେ ଭୁବନେଶ୍ୱର ଫେରିବେ । ସେଠାରୁ ଦିଲ୍ଳୀ ଫେରିଯିବା କାର୍ଯ୍ୟକ୍ରମ ରହିଛି । ଏନେଇ ଓଡ଼ିଶା ପୁଲିସ୍ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।
ରାଷ୍ଟ୍ରପତିଙ୍କ ଆଗମନକୁ ଆଖିରେ ରଖି କମିଶନରେଟ ପୁଲିସ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବିମାନ ବନ୍ଦରରୁ ରାଜଭବନ ଯାଏ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ରହିଛି । ୩୦ ପ୍ଲାଟୁନ ଫୋର୍ସ, ହୋମଗାର୍ଡ ଅନ୍ୟ ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି । ସୁରକ୍ଷା ତଦାରଖ ଲାଗି ୧୦୦ରୁ ଅଧିକ ଅଫିସର, ୮ ଜଣ ଅତିରିକ୍ତ ଏସପି, ୧୨ ଏସିପି, ୧୭ ଇନ୍ସପେକ୍ଟର ନିୟୋଜିତ ହୋଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons