ଭୁବନେଶ୍ୱର, (ବି.ବି.ବୁ୍ୟରୋ): ଓଡ଼ିଶା ପାଇଁ ଖୁସି ଖବର । କମ୍ପିବ କଳିଙ୍ଗ ଷ୍ଟାଡିୟମ୍ । ଝୁମିବ ରାଉରକେଲା । ହକି ପ୍ରେମରେ ପଡ଼ିବ ସାରା ଓଡ଼ିଶା । କ୍ରମାଗତ ଦ୍ୱିତୀୟ ଥର ପାଇଁ ଓଡ଼ିଶାରେ ଆୟୋଜିତ ହେବ ପୁରୁଷ ହକି ବିଶ୍ୱକପ୍ । ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ସହ ଏଥର ରାଉରକେଲାର ପାନପୋଷ ସ୍ପୋର୍ଟ୍ସ ହଷ୍ଟେଲ ଷ୍ଟାଡିୟମ୍ ୨୦୨୩ ବିଶ୍ୱକପ୍ ଆୟୋଜନରେ ସାମିଲ ହେବ । ପ୍ରଥମ ଥର ପାଇଁ ଏ ଦୁଇଟି ଭେନୁ୍ୟରେ ଖେଳାଯିବ ବିଶ୍ୱକପର ମ୍ୟାଚ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଳିଙ୍ଗ ଷ୍ଟାଡିୟମ୍ରେ ଅନୁÂିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏ ଘୋଷଣା ପରେ ଏବେ ସାରା ରାଜ୍ୟର କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଓ ଖୁସି ।

ସ୍ପୋର୍ଟସ କ୍ୟାପିଟାଲ ଭାବେ ମାନ୍ୟତା ପାଇଥିବା ଓଡ଼ିଶା ପୁଣି ନୂଆ ରେକର୍ଡ ପ୍ରତିÂା କରିବାକୁ ଯାଉଛି । ବିଶ୍ୱକପ ହକିର ସଫଳ ଆୟୋଜନ ପାଇଁ ହକି ଇଣ୍ଡିଆର ପ୍ରଥମ ପସନ୍ଦରେ ରହିଛି ଓଡ଼ିଶା । ବିଶ୍ୱକପ୍ର ଏହି ୧୫ତମ ସଂସ୍କରଣ ୨୦୨୩ ଜାନୁଆରୀ ମାସ ୧୩ତାରିଖରୁ ଆରମ୍ଭ ହୋଇ ୨୯ ତାରିଖରେ ଶେଷ ହେବ । ଏଥର ରାଜଧାନୀ ଭୁବନେଶ୍ୱର ସହ ହକିର ଅନ୍ତୁଡ଼ିଶାଳ ସୁନ୍ଦରଗଡ଼ର ରାଉରକେଲାକୁ ମଧ୍ୟ ଅଗ୍ରାଧିକାର ମିଳିଛି । ଲଗାତର ଦୁଇଟି ବିଶ୍ୱକପ ହକିର ଆୟୋଜନ କରି ହକି ଇତିହାସ ପୃÂାରେ ଓଡ଼ିଶା ନିଜ ନାଁ କୁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ କରିବାକୁ ଯାଉଛି ।
ଗତବର୍ଷ ମଧ୍ୟ ଓଡ଼ିଶାରେ ପୁରୁଷ ହକି ବିଶ୍ୱକପ୍ର ସଫଳ ଆୟୋଜନ ହୋଇଥିଲା । କଳିଙ୍ଗରେ ଯେଉଁଭଳି ଢଙ୍ଗରେ ଏ ବିଶ୍ୱକପ ଆୟୋଜନ ହୋଇଥିଲା ତାହା କେବଳ ହକି ଇଣ୍ଡିଆ ନୁହଁ ଆନ୍ତର୍ଜାତିକ ଖେଳାଳିଙ୍କ ମନ ଜିଣି ନେଇଥିଲା । ତେଣୁ ଆସନ୍ତା ୨୦୨୩ ପୁରୁଷ ବିଶ୍ୱକପ ହକି ପାଇଁ ହକି ଇଣ୍ଡିଆ ଓଡ଼ିଶାକୁ ବିଶ୍ୱକପ୍ ଭେନୁ୍ୟ ଭାବେ ଗ୍ରହଣ କରିବାକୁ ପ୍ରସ୍ତାବ ଦେଇଥିଲା । ରାଜ୍ୟ ସରକାର ଆଗ୍ରହର ସହ ହକି ଇଣ୍ଡିଆ ପ୍ରସ୍ତାବ ଗ୍ରହଣ କରିନେଇଥିଲେ । କଳିଙ୍ଗ ଷ୍ଟାଡିୟମ୍ ସହ ରାଉରକେଲା ସ୍ଥିତ ପାନପୋଷ ଷ୍ଟାଡିୟମ୍କୁ ଦ୍ୱିତୀୟ ଭେନୁ୍ୟ ଭାବେ ନେବା ପାଇଁ ହକି ଇଣ୍ଡିଆକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବ ଦେଇଥିଲେ । ଏହା ପଛରେ ମୂଳ ଉଦେ୍ଧଶ୍ୟ ଥିଲା, ହକିର ଏ ଅନ୍ତୁଡ଼ିଶାଳକୁ ବିଶ୍ୱ ଦରବାରରେ ପରିଚିତ କରାଇବା । ଅନ୍ତର୍ଜାତୀୟ ହକି ସଙ୍ଘ ସଭାପତି ନରିନ୍ଦର ବାତ୍ରା ମୁଖ୍ୟମନ୍ତ୍ରୀଙ୍କ ଏ ପ୍ରସ୍ତାବରେ ରାଜି ହୋଇ ଯାଇଥିଲେ ।
ଗତ ବର୍ଷ କଳିଙ୍ଗ ଷ୍ଟାଡିୟମ୍ରେ ପୁରୁଷ ହକି ବିଶ୍ୱକପ୍ ଆୟୋଜିତ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟର ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ଆଜି ଏକ ଉତ୍ସବର ଆୟୋଜନ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ୨୦୨୩ ବିଶ୍ୱକପ୍ ଆୟୋଜନ ସମ୍ପର୍କରେ ଘୋଷଣା କରିଥିଲେ । ଘୋଷଣା ପରେ ମୁଖ୍ୟମନ୍ତ୍ରୀ ତାଙ୍କର ଚିରପରିଚିତ ଢଙ୍ଗରେ ପଚାରିଥିଲେ, ଆପଣମାନେ ଖୁସି ତ? ଉପସ୍ଥିତ ଅତିଥି ଓ ଦର୍ଶକମାନେ ହଁ ..ଆମେ ଖୁସି ବୋଲି ଉତ୍ତର ରଖିଥିଲେ । ନବୀନ କହିଲେ, ମୁଁ ବି ଖୁସି । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନରିନ୍ଦର ବାତ୍ରାଙ୍କ ସମେତ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ହକି ଇଣ୍ଡିଆ ସଭାପତି ମହମ୍ମଦ ମୁସ୍ତାକ ଅହମଦ, ପୂର୍ବତନ ହକି ଖେଳାଳି ପଦ୍ମଶ୍ରୀ ଦିଲ୍ଲୀପ ତୀର୍କି, କ୍ରୀଡ଼ା ସଚିବ ବିଶାଳ ଦେବ ଓ ଆର ଭିନିଲ କ୍ରଷ୍ଣା ଏହି ଉତ୍ସବରେ ଯୋଗ ଦେଇଥିଲେ । କଳିଙ୍ଗ ଷ୍ଟାଡିୟମ୍ରେ ଅଭ୍ୟାସ କରୁଥିବା ଭାରତୀୟ ପୁରୁଷ ହକି ଦଳ ମଧ୍ୟ ଏହି ଉତ୍ସବ ଅବସରରେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଅବସରରେ ୨୦୧୮ ହକି ବିଶ୍ୱକପ୍ ଆୟୋଜନ ସମ୍ବନ୍ଧୀୟ ଏକ ସ୍ମରଣିକା ଓ ଡକୁମେଣ୍ଟାରୀ ଲୋକାର୍ପିତ ହୋଇଥିଲା ।
ଏହି ଅବସରରେ ସୁନ୍ଦରଗଡ଼ର ସମସ୍ତ ବ୍ଲକ୍ରେ ୧୭ଟି ଆଷ୍ଟେ୍ରାଷ୍ଟଫ୍ ହକି ଟ୍ରେନିଂ ସେଣ୍ଟର ନିର୍ମାଣ ପାଇଁ ଭିତ୍ତି ପ୍ରସ୍ଥର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ବର୍ଷକ ମଧ୍ୟରେ ସମସ୍ତ ଟ୍ରେନିଂ ସେଣ୍ଟର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ମୁଖ୍ୟମନ୍ତ୍ରୀ ଉତ୍ସବ ଅବସରରେ ଘୋଷଣା କରିଥିଲେ । ହକି ଇଣ୍ଡିଆର ସହଯୋଗରେ ତୃଣମୂଳ ସ୍ତରରୁ ହକିର ବିକାଶ ପାଇଁ ସୁନ୍ଦରଗଡ଼ରେ ବିଭିନ୍ନ ଶିବିରର ଶୁଭାରମ୍ଭ କରିବାକୁ ଘୋଷଣା କରାଯାଇଥିଲା । ଏହା ବ୍ୟତୀତ କଳିଙ୍ଗ ଷ୍ଟାଡିୟମ୍ରେ ହକି ହାଇପରଫର୍ମାନ୍ସ ସେଣ୍ଟର ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ମୁଖ୍ୟମନ୍ତ୍ରୀ ବିଶ୍ୱକପ୍ ଆୟୋଜନ ବିଷୟରେ ଘୋଷଣା କରିବା ମାତ୍ରେ ୧୫,୦୦୦ ଦର୍ଶକରେ ପୂର୍ଣ୍ଣ ଷ୍ଟାଡିୟମ୍ରେ କୋଳାହଳରେ କମ୍ପି ଉଠିଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ‘ଓଡ଼ିଶା ସର୍ବଦା ହକିର ଅନ୍ତୁଡ଼ିଶାଳ ରୂପେ ପରିଗଣିତ । ଗତବର୍ଷ ପୁରୁଷ ହକି ବିଶ୍ୱକପ୍କୁ ସଫଳତାର ସହ ଆୟୋଜନ କରି ଆମେ ସମଗ୍ର ବିଶ୍ୱରେ ଆମ ରାଜ୍ୟର ଏକ ସତନ୍ତ୍ର ଚିତ୍ର ପ୍ରଦର୍ଶିତ କରିଥିଲୁ । ଆମ ରାଜ୍ୟର ଜନତାଙ୍କର ହକି ପ୍ରତି ବହୁ ପୂର୍ବରୁ ମୋହ ରହି ଆସିଛି । ଓଡ଼ିଶାବାସୀଙ୍କ ଭାବନା ସହ ହକି ଜଡ଼ିତ ରହିଛି । ଭୁବନେଶ୍ୱର ଓ ରାଉରକେଲାରେ ରହିଥିବା ବିଶ୍ୱ ସ୍ତରୀୟ ସୁବିଧା ସୁଯୋଗକୁ ଆଧାର କରି ଆମେ ହକି ବିଶ୍ୱକପ୍ ଆୟୋଜନ କରିବାକୁ ଯାଉଛୁ । କ୍ରମାନ୍ୱୟରେ ଦୁଇ ଦୁଇଟି ବିଶ୍ୱକପ୍ ଆୟୋଜନ କରିବାକୁ ଯାଉଥିବାରୁ ଗର୍ବରେ ମୋ ହୃଦ୍ସ୍ପନ୍ଦନ ଦ୍ୱିଗୁଣିତ ହୋଇଯାଇଛି ।’

ଏଫ୍ଆଇଏଚ୍ ସଭାପତି ଶ୍ରୀ ବାତ୍ରା କହିଥିଲେ ଯେ, ହକିର ପ୍ରଚାର ଓ ପ୍ରସାର ପାଇଁ ଓଡ଼ିଶା ସରକାରଙ୍କ ନିରନ୍ତର ସହଯୋଗକୁ ଆମେ ସମ୍ମାନ ଜଣାଉଛୁ । ରାଜ୍ୟରେ ହକିର ଲୋକପ୍ରିୟତା ବଢାଇବା ଓ ଆଗାମୀ ପିଢୀଙ୍କୁ ହକି ପ୍ରତି ଆକର୍ଷିତ କରିବା ପାଇଁ ଦୀର୍ଘ ଦିନ ଧରି ଅଭିଯାନ ଚଳାଇଥିବା ମୁଖ୍ୟମନ୍ତ୍ରୀଙ୍କୁ ମୁଁ ଏଫ୍ଆଇଏଚ୍ ପକ୍ଷରୁ ଧନ୍ୟବାଦ ଦେଉଛି ।
ହକି ବିଶ୍ୱକପ୍ର ୧୫ତମ ସଂସ୍କରଣର ଆୟୋଜନ ପାଇଁ ପ୍ରଥମେ ବେଲ୍ଜିୟମ୍, ଜର୍ମାନୀ, ମାଲେସିଆ ଓ ସ୍ପେନ୍ ବିଡ୍ ଦାଖଲ କରିଥିଲେ । ୨୦୧୮ ଡିସେମ୍ବରରେ ଅନ୍ତର୍ଜାତୀୟ ହକି ସଙ୍ଘ(ଆଇଏଫ୍ଏଚ୍) ପରବର୍ତ୍ତୀ ବିଶ୍ୱକପ୍ ଆୟୋଜନ ପାଇଁ ସମୟ ସୀମା ଧାର୍ଯ୍ୟ କରିବା ପରେ ଜର୍ମାନୀ ଓ ସ୍ପେନ୍ ଓହରି ଯାଇଥିଲେ । ୨୦୨୨ ଜୁଲାଇ ମାସ ୧ରୁ ୧୭ ତାରିଖ କିମ୍ବା ୨୦୨୩ ଜାନୁଆରୀ ୧୩ରୁ ୨୯ ତାରିଖ ମଧ୍ୟରେ ବିଶ୍ୱକପ୍ ଆୟୋଜନ ପାଇଁ ଆଇଏଚ୍ଏଫ୍ ନିଷ୍ପତ୍ତି ନେଇଥିଲା । ଜର୍ମାନୀ ଓ ସ୍ପେନ୍ ଆଇଏଚ୍ଏଫ୍ର ଏହି ସର୍ତ୍ତ ଗ୍ରହଣ କରିନଥିଲେ । ଶେଷରେ ଭାରତ ୨୦୨୩ରେ ବିଶ୍ୱକପ୍ ଆୟୋଜନ ପାଇଁ ବିଡ୍ ଦାଖଲ କରିଥିଲା । ଆୟୋଜନକୁ ନେଇ ବେଲ୍ଜିୟମ୍, ମାଲେସିଆ ଓ ସ୍ପେନ୍ ମଧ୍ୟରେ ବେଶ୍ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା । ଶେଷରେ ଆଇଏଚ୍ଏଫ୍ ଭାରତକୁ ଆୟୋଜନ ଅଧିକାର ପ୍ରଦାନ କରିଥିଲା ।


Comments are closed, but trackbacks and pingbacks are open.