
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବିଜୁ ବାବୁଙ୍କ ନୀତି, ଆଦର୍ଶ ଓ ଚିନ୍ତାଧାରା ଆମର ପ୍ରତିଟି ପଦକ୍ଷେପରେ ପ୍ରତିଫଳିତ ହେଉଛି । ଓଡ଼ିଶା ଆଗେଇଛି । ତଥାପି ଆହୁରି ଅନେକ ପଥ ଅତିକ୍ରମ କରିବାକୁ ଅଛି । ସମସ୍ତେ ମିଳିମିଶି ଶପଥ ନେବା, ବିଜୁ ବାବୁଙ୍କ ଆଦର୍ଶରେ ରାଜ୍ୟବାସୀଙ୍କ ସେବାରେ ନିଜକୁ ସମର୍ପି ଦେବା । ଓଡ଼ିଶାର ସ୍ୱାଭିମାନ ପାଇଁ ଲଢେ଼ଇ ଜାରି ରଖିବା । ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଏପରି ଆହ୍ୱାନ ଦେଇଛନ୍ତି ।ସକାଳେ ଫରେଷ୍ଟ ପାର୍କ ସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ନବୀନ । ଏହା ପରେ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ବିଜୁ ଜୟନ୍ତୀ ସମାରୋହକୁ ଭର୍ଚୁଆଲ୍ ମାଧ୍ୟମରେ ସମ୍ବୋଧିତ କରିଥିଲେ । ଏଥିରେ ନବୀନ କହିଲେ, ଓଡ଼ିଶାର ଅତୀତ ଗୌରବକୁ ଫେରାଇ ଆଣିବା ଥିଲା ବିଜୁ ବାବୁଙ୍କ ଲକ୍ଷ୍ୟ । ଓଡ଼ିଶାକୁ ବିକାଶର ଶିଖରରେ ପହଞ୍ଚାଇବା ପାଇଁ ସେ ସବୁବେଳେ ପ୍ରୟାସ ଚଳାଇଥିଲେ । ସେବା ଓ ସ୍ୱାଭିମାନ ଥିଲା ତାଙ୍କ ଆଦର୍ଶ । ଏହି ଆଦର୍ଶରେ ବିଜେଡି ଦଳର ଲକ୍ଷ ଲକ୍ଷ କର୍ମୀ କାମ କରି ଚାଲିଛନ୍ତି ।ବିଜୁବାବୁଙ୍କ ଜୟନ୍ତୀ ଅବସରରେ ଦଳୀୟ କର୍ମକର୍ତ୍ତାମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ନିଜ ବକ୍ତବ୍ୟ ମାଧ୍ୟମରେ ବିକାଶ ମାଧ୍ୟମରେ ରାଜ୍ୟରେ ଆସିଥିବା ପରିବର୍ତ୍ତନ ସମ୍ପର୍କରେ ସେ ବଖାଣିଥିଲେ । ନବୀନ କହିଲେ, ଆଜି ଯେତେବେଳେ ଗାଁର କଚ୍ଚା ଘରେ ରହୁଥିବା ପରିବାରର ଘର ପକ୍କା ହେଉଛି, ତା’ ଘରକୁ ପାଇପ ପାଣି ଆସୁଛି, ବିଜୁଳି ଆଲୁଅରେ ତା’ ଘର ଉଜ୍ୱଳ ଦିଶୁଛି, ସେତେବେଳେ ତା’ ମୁହଁରେ ହସ ଆସୁଛି । ଏହା ହେଉଛି ଆମ ପାଇଁ ସବୁଠୁ ବଡ଼ ପୁରସ୍କାର ।
ନବୀନ ଆହୁରି କହିଲେ, ଆଜି ଯେତେବେଳେ ମା’ ଟିଏ ପଞ୍ଚାୟତ ଅଫିସରେ ବସି ଗାଁର ବିକାଶ କଥା ଚିନ୍ତା କରୁଛି, ମିଶନ ଶକ୍ତିର ମା’ଟିଏ ଯେତେବେଳେ ଋଣ ଆଣି ପରିଶ୍ରମ କରି ବେପାର ବୃଦ୍ଧି କରୁଛି ଓ ତା’ ପରିବାର ପାଇଁ ସମୃଦ୍ଧି ଆଣୁଛି, ସେତେବେଳେ ବିକାଶର ଚିତ୍ର ଚମକୁଛି । ସରକାରୀ ସ୍କୁଲରେ ପଢ଼ୁଥିବା ପିଲା ପାଇଁ ଯେତେବେଳେ ସୁଯୋଗ ସୃଷ୍ଟି ହେଉଛି, ସେତେବେଳେ ଯୁବ ସମାଜର ସ୍ୱପ୍ନ ଦିଗନ୍ତ ପ୍ରସାରୀ ହେଉଛି । କ୍ରୀଡ଼ା କ୍ଷେତ୍ରରେ ନୂଆ ସୁଯୋଗ ଆସିବା ଯୋଗୁ ଯୁବବର୍ଗଙ୍କ ପ୍ରତିଭାର ବିକାଶ ପାଇଁ ରାସ୍ତା ଦେଖାଉଛି । ଏହି ବିକାଶ ପଥରେ ଆହୁରି ଅନେକ ବାଟ ଯିବାକୁ ଅଛି । ବିଜୁ ବାବୁଙ୍କ ଆଦର୍ଶରେ ୪ କୋଟି ଓଡ଼ିଶାବାସୀଙ୍କ ସେବା ପାଇଁ ଶପଥ ନେବାକୁ ନବୀନ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଉପସଭାପତି ଦେବୀପ୍ରସାଦ ମିଶ୍ର, ପ୍ରମିଳା ମଲ୍ଲିକ, ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ସଞ୍ଜୟ ଦାସବର୍ମା, ଡ଼. ପ୍ରସନ୍ନ ପାଟ୍ଟଶାଣୀ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଅରୁପ ପଟ୍ଟନାୟକ, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ତଥା ଭୁବନେଶ୍ୱର ଜିଲ୍ଲା ସଭାପତି ସୁଶାନ୍ତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ବିଜୁ ଜୟନ୍ତୀ ଅବସରରେ ଆଜି କଟକ ଆନନ୍ଦ ଭବନରୁ ଭୁବନେଶ୍ୱର ପର୍ଯ୍ୟନ୍ତ ବିଶାଳ ସାଇକେଲ ଶୋଭାଯାତ୍ରା କରାଯାଇଥିଲା । ଏଥିରେ ବହୁ ନେତା ଓ କର୍ମୀ ସାମିଲ ହୋଇଥିଲେ । ଏହାବାଦ୍ ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀରେ କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ବିଜୁ ଜୟନ୍ତୀ ପାଳିତ ହୋଇଛି ।
Comments are closed, but trackbacks and pingbacks are open.