ଓଡ଼ିଶା ସରକାର ଓ ଡିଏସ୍ପିଏଲ୍ ମଧ୍ୟରେ ଚୁକ୍ତି ସ୍ୱାକ୍ଷର

Get real time updates directly on you device, subscribe now.

ଭୁବନେଶ୍ୱର, (ବି.ବି.ବୁ୍ୟରୋ): ଓଡ଼ିଶାରେ ଫୁଟବଲର ପ୍ରଚାର ପ୍ରସାର ଏବଂ ବିକାଶ ଦିଗରେ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀ ସକ୍ସର ପ୍ରାଇଭେଟ୍ ଲିମିଟେଡ୍ (ଡିଏସ୍ପିଏଲ୍) ସହ ସରକାର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷର କରି ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ ୍) ସହ ଯୋଡ଼ି ହୋଇଛନ୍ତି । ଫଳରେ ଆଗାମୀ ସିଜନରୁ ଆଇଏସ୍ଏଲ୍ରେ ଓଡ଼ିଶାର ନିଜସ୍ୱ କ୍ଲବ୍ ଓଡ଼ିଶା ଫୁଟବଲ୍ କ୍ଲବ୍ (ଏଫ୍ସି) ଖେଳିବାକୁ ଯାଉଛି । ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଉପସ୍ଥିତିରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଡିଏସ୍ପିଏଲ୍ ଚୁକ୍ତି ସ୍ୱାକ୍ଷରିତ ହୋଇଛି ।
ଆଇଏସ୍ଏଲ୍ର ଦିଲ୍ଲୀ ଡାଇନାମୋସର ନାମ ବଦଳି ହୋଇଛି ଓଡ଼ିଶା ଏଫ୍ସି । ଦିଲ୍ଲୀ ଫ୍ରାଞ୍ଚାଇଜ ରାଜ୍ୟ ସରକାରଙ୍କ ସହ ଯୋଡ଼ି ହେବା ପରେ ପୂର୍ବ ନାମ ପରିବର୍ତ୍ତନ ହୋଇଛି । ଏଥର ଆଇଏସ୍ଏଲ୍ରେ ଓଡ଼ିଶା ଏଫ୍ସି ନୂଆ ଭୂମିକାରେ ଅବତୀର୍ଣ୍ଣ ହେବାକୁ ଯାଉଛି । ରାଜ୍ୟ ସରକାର ଓ ଡିଏସ୍ପିଏଲ୍ ମଧ୍ୟରେ ଚୁକ୍ତି ଅନୁସାରେ ରାଜ୍ୟରେ ଫୁଟବଲର ପ୍ରଚାର ପ୍ରସାର ସାଙ୍ଗରୁ ତୃଣମୂଳ ସ୍ତରରୁ କ୍ରୀଡ଼ାର ବିକାଶ କ୍ଷେତ୍ରରେ କାର୍ଯ୍ୟ କରିବ । ଏହା ବଦଳରେ ରାଜ୍ୟ ସରକାର କ୍ଲବ୍କୁ କଳିଙ୍ଗ ଷ୍ଟାଡିୟମରେ ଗଢ଼ି ଉଠିଥିବା ଅନ୍ତର୍ଜାତୀୟ ଭିତ୍ତିଭୂମି ଯୋଗାଇ ଦେବେ । ସେଠାରେ ଦଳ ଘରୋଇ ମ୍ୟାଚ୍ ଖେଳିବା ସହ ଅଭ୍ୟାସ କରିବ । ଏହାପରେ କ୍ଲବ୍କୁ ଅନ୍ୟାନ୍ୟ ସହାୟତା ପ୍ରଦାନ କରିବାରେ ସରକାର ସହଯୋଗ କରିବେ ।

ଚୁକ୍ତି ସ୍ୱାକ୍ଷର ହେବା ପରେ ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶା ଫୁଟବଲ୍ କ୍ଲବ୍ ଏବଂ ଆଇଏସ୍ଏଲ୍କୁ ସ୍ୱାଗତ ଜଣାଉଛି । ରାଜ୍ୟରେ ଫୁଟବଲର ପ୍ରଚାର ପ୍ରସାର ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିକାଶ । ମୁଁ ନିଶ୍ଚିତ ଯେ ଏହି ଭାଗିଦାରୀ ଆମ ରାଜ୍ୟର କ୍ରୀଡ଼ାବିତଙ୍କୁ ଫୁଟବଲ୍ ଭଳି ଏକ ଚମକ୍ରାର କ୍ରୀଡ଼ା ପ୍ରତି ଅନୁପ୍ରାଣିତ କରିବ ।’
ଦିଲ୍ଲୀ ଡାଇନାମୋସ ଗତ ସଂସ୍କରଣ ପର୍ଯ୍ୟନ୍ତ ଦିଲ୍ଲୀର ଜବହାରଲାଲ୍ ନେହରୁ ଷ୍ଟାଡିୟମକୁ ଘରୋଇ ଭେନୁ୍ୟ ଭାବେ ବ୍ୟବହାର କରି ଆସୁଥିଲା । କିନ୍ତୁ ଏଥିପାଇଁ ଦଳକୁ ବହୁ ଆର୍ଥିକ ବୋଝ ମୁଣ୍ଡାଇବାକୁ ପଡ଼ୁଥିଲା । ଯାହାର ଭରଣା କରିବା କଷ୍ଟକର ଥିଲା । ମାତ୍ର ଦିଲ୍ଲୀ ତୁଳନାରେ ଭୁବନେଶ୍ୱରରେ ଦଳର ଖର୍ଚ୍ଚ କମିଯିବ ବୋଲି ଟିମ୍ ମ୍ୟାନେଜମେଣ୍ଟ ଆଶା ରଖିଛି ।
ନେହରୁ ଷ୍ଟାଡିୟମରେ ବିଶାଳ ଗ୍ୟାଲେରୀ । ଡାଇନାମୋସର ପ୍ରତି ଘରୋଇ ମ୍ୟାଚ୍ରେ ବହୁ କମ୍ ଦର୍ଶକ ହୋଇଥାନ୍ତି । ମାତ୍ର ଦିଲ୍ଲୀ ତୁଳନାରେ ଭୁବନେଶ୍ୱରରେ ମାହୋଲ ଭଲ ରହିଛି । କାରଣ ସୁପରକପ୍ ସମୟରେ ପ୍ରତି ମ୍ୟାଚ୍ରେ ଦର୍ଶକଙ୍କ ଭିଡ଼ ଲାଗି ରହିଥାଏ । ତେଣୁ ଡାଇନାମୋସକୁ ଏଠାରେ ପ୍ରଶଂସକଙ୍କ ସମର୍ଥନ ମିଳିବ ବୋଲି ଆଶା ରଖିଛି ।

ଆଇଏସ୍ଏଲ୍ରେ ଡାଇନାମୋସର ପ୍ରଦର୍ଶନ ଏତେ ଭଲ ନାହିଁ । ଗତ ସଂସ୍କରଣରେ ଦଳ ୧୮ଟି ମ୍ୟାଚ୍ରୁ ମାତ୍ର ୪ଟିରେ ଜିତି ପାରିଥିଲା ଏବଂ ୬ଟି ଡ୍ର’ ସହ ମୋଟ୍ ୧୮ ପଏଣ୍ଟ ହାସଲ କରି ଅଷ୍ଟମ ସ୍ଥାନରେ ରହିଥିଲା । ସେହିପରି ଦଳ ଇଣ୍ଡିଆନ ସୁପର କପ୍ର ଦୁଇଟି ଯାକ ସଂସ୍କରଣ ଖେଳିଛି । ପ୍ରଥମ ସଂସ୍କରଣରେ ଯୋଗ୍ୟତା ପର୍ଯ୍ୟାୟରୁ ବିଦା ହୋଇଥିବାବେଳେ ଦ୍ୱିତୀୟ ସଂସ୍କରଣରେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲା । ଗତ ସଂସ୍କରଣରେ ଦଳ ପ୍ରଥମ ଦୁଇଟି ମ୍ୟାଚ୍ରେ ୱାକଓଭର ପାଇ କ୍ୱାର୍ଟରରେ ପ୍ରବେଶ କରିପାରିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons