ଓଡିଶାକୁ ବାହାର ରାଜ୍ୟରୁ ଆସିଛନ୍ତି ୭୮ ହଜାରରୁ ଅଧିକ ଲୋକ, ଗଞ୍ଜାମ ଜିଲ୍ଲାରେ ସର୍ବାଧିକ

Get real time updates directly on you device, subscribe now.

ଭୁବନେଶ୍ଵର : କୋଭିଡ୍-୧୯ର ପ୍ରକୋପ ଦୁନିଆ ସହିତ ଭାରତରେ ମଧ୍ୟ ଜାରି ରହିଛି। ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୬୦୦ ଟପିଛି। ଦେଶର ଅନ୍ୟ ରାଜ୍ୟର ସ୍ଥିତିକୁ ଦେଖିଲେ ଓଡିଶାର ସ୍ଥିତି ଅପେକ୍ଷାକୃତ ଭଲ ଥିବା କୁହାଯାଇ ପାରିବ। ଅନ୍ୟପଟେ ଏହି ଅବଧି ମଧ୍ୟରେ ବାହାର ରାଜ୍ୟଗୁଡିକରୁ ଓଡିଶାର ବିଭିନ୍ନ ଜିଲ୍ଲାକୁ ସମୁଦାୟ ୭୮ ହଜାର ୨୩୩ ଜଣ ବ୍ୟକ୍ତି ଆସିଛନ୍ତି।
ଏହି ବ୍ୟକ୍ତିମାନଙ୍କୁ କରୋନା ଭୂତାଣୁ ସଂକ୍ରମଣରୁ ମୁକ୍ତ ରଖିବା ସହିତ ସେମାନଙ୍କର ସ୍ଵାସ୍ଥ୍ୟବସ୍ଥା ସଂପର୍କରେ ସଠିକ୍ ଜାଣିବା ପାଇଁ ସଙ୍ଗରୋଧର ଆବଶ୍ୟକତା ରହିଛି। ନଚେତ୍ ଏମାନଙ୍କ ମଧ୍ୟରୁ କେହି କରୋନା ପଜିଟିଭ୍ ହେଲେ ସ୍ଥିତି ସଙ୍ଗୀନ ହେବାକୁ ଏଡାଇ ଦିଆଯାଇନପାରେ। ଏହାକୁ ଦୃଷ୍ଟିରେ ରଖି ସେମାନଙ୍କୁ ହୋମ୍ କ୍ଵାରେନଟାଇନରେ ରହିବା ପାଇଁ ସାଧ୍ୟମତେ ପ୍ରୋତ୍ସାହିତ କରିବାକୁ ଗ୍ରାମପଞ୍ଚାୟତ ସରପଞ୍ଚମାନଙ୍କୁ ଦାୟିତ୍ଵ ଦିଆଯାଇଛି। ଅନୁରୂପ ଭାବେ ରାଜ୍ୟର ସମସ୍ତ ପଞ୍ଚାୟତ ସମିତି ଓ ଜିଲ୍ଲା କର୍ତ୍ତୃପକ୍ଷଙ୍କୁ ହୋମ୍ କ୍ଵାରେନଟାଇନ ମାର୍ଗଦର୍ଶିକା କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ପ୍ରକାଶ।
ସୂଚନା ଓ ଲୋକ ସଂପର୍କ ବିଭାଗ ଅନୁଯାୟୀ ଗଞ୍ଜାମ ଜିଲ୍ଲାକୁ ବାହାରୁ ସର୍ବାଧିକ ୧୧୦୫୪ ଜଣ ବ୍ୟକ୍ତି ଆସିଥିବା ବେଳେ ନବରଙ୍ଗପୁର ଜିଲ୍ଲାକୁ ସର୍ବନିମ୍ନ ୪୦୭ ଜଣ ବ୍ୟକ୍ତି ଆସିଛନ୍ତି। ସେହି ପରି ବାଲେଶ୍ଵର ଜିଲ୍ଲାକୁ ୬୪୪୨, କଳାହାଣ୍ଡି ଜିଲ୍ଲାକୁ ୪୪୪୮, କେନ୍ଦ୍ରାପଡା ଜିଲ୍ଲାକୁ ୪୩୧୮, ଫୁଲବାଣୀ ଜିଲ୍ଲାକୁ ୪୩୦୬, ପୁରୀ ଜିଲ୍ଲାକୁ ୩୬୮୮ ଓ କଟକ ଜିଲ୍ଲାକୁ ୩୬୦୪ ଜଣ, ମାଲକାନଗିରି ଜିଲ୍ଲାକୁ ୩୮୫୨ ଓ ମୟୂରଭଞ୍ଜ ଜିଲ୍ଲାକୁ ୩୩୨୬ ଜଣ ବ୍ୟକ୍ତି ଆସିଛନ୍ତି।
ସେହି ପରି ବଲାଙ୍ଗୀର ଜିଲ୍ଲାକୁ ୨୦୭୪, ଯାଜପୁର ଜିଲ୍ଲାକୁ ୨୦୨୮, ଅନୁଗୋଳ ଜିଲ୍ଲାକୁ ୧୦୭୬, ବରଗଡ ଜିଲ୍ଲାକୁ ୧୫୭୬, ଖୋର୍ଦ୍ଧା ଜିଲ୍ଲାକୁ ୨୪୧୨, ଢେଙ୍କାନାଳ ଜିଲ୍ଲାକୁ ୧୯୭୨, କେନ୍ଦୁଝର ଜିଲ୍ଲାକୁ ୧୯୪୫, କୋରାପୁଟ ଜିଲ୍ଲାକୁ ୨୨୩୮, ନୂଆପଡା ଜିଲ୍ଲାକୁ ୧୯୧୦, ନୟାଗଡ ଜିଲ୍ଲାକୁ ୨୧୧୫, ରାୟଗଡା ଜିଲ୍ଲାକୁ ୨୩୬୯, ସମ୍ବଲପୁର ଜିଲ୍ଲାକୁ ୧୦୨୦, ସୋନପୁର ଜିଲ୍ଲାକୁ ୧୧୦୨, ସୁନ୍ଦରଗଡ ଜିଲ୍ଲାକୁ ୧୨୦୧ ଜଣ ବ୍ୟକ୍ତି ଆସିଛନ୍ତି। ବୌଦ୍ଧ ଜିଲ୍ଲାକୁକ ୧୦୧୩, ଦେବଗଡ ଜିଲ୍ଲାକୁ ୫୭୦ ଓ ଝାରସୁଗୁଡା ଜିଲ୍ଲାକୁ ୫୬୮ ଜଣ ବ୍ୟକ୍ତି ଆସିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons