ନୂଆଦିଲ୍ଲୀ : ଇଣ୍ଡିଆ ଗେଟ୍ ନିକଟସ୍ଥ ଲନ ଠାରେ ହୁନର ହାଟ ମେଳା ଆରମ୍ଭ ହୋଇଛି । ଗତ ଗୁରୁବାର ଏହି ମେଳାକୁ କେନ୍ଦ୍ର ରେଳ ମନ୍ତ୍ରୀ ପିଉସ ଗୋୟେଲ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ମନ୍ତ୍ରୀ ମୁକ୍ତାର ଆବାସ ନକଭି ଶୁଭାରମ୍ଭ କରିଥିଲେ । ଆସନ୍ତା ଫେବ୍ରୁଆରୀ ୨୩ରେ ଏହି ମେଳା ସମାପ୍ତ ହେବ ।
ବିଭିନ୍ନ ରାଜ୍ୟର କଳା, ସଂସ୍କୃତି ଓ ବିଭିନ୍ନ କାରୁକାର୍ଯ୍ୟ ଏହି ମେଳାରେ ସ୍ଥାନ ପାଇଛି । ଭାରତର ବିବିଧତାକୁ ପ୍ରଦର୍ଶିତ କରିବା ସକାଶେ ରାଜ୍ୟମାନେ ନିଜ ନିଜର ଷ୍ଟଲ ସ୍ଥାପନ କରିଛନ୍ତି । ବିଭିନ୍ନ ରାଜ୍ୟର କଳାକାରମାନେ ମଧ୍ୟ ଏହି ମେଳାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରୁଛନ୍ତି । ଏହାଛଡା ରାଜ୍ୟମାନେ ନିଜ ନିଜର ସ୍ଥାନୀୟ ଖାଦ୍ୟ ଲୋକପ୍ରିୟ କରିବା ସକାଶେ ଷ୍ଟଲ ମଧ୍ୟ ସ୍ଥାପନ କରିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପରାହ୍ନରେ ଏହି ମେଳାକୁ ଦେଖିବାକୁ ପାଇଁ ଆସିଥିଲେ । ସେ ବିଭିନ୍ନ ରାଜ୍ୟର ଷ୍ଟଲମାନଙ୍କୁ ବୁଲି ଦେଖିଥିଲେ । ମୋଦି ମଧ୍ୟ ଓଡିଶା ଷ୍ଟଲକୁ ଯାଇ ସଠାରେ ପ୍ରଦର୍ଶିତ ହୋଇଥିବା ପିପିଲି ଚାନ୍ଦୁଆ ଓ ଓଡିଶାର ବିଭିନ୍ନ କଳା ଓ କାରୁକାର୍ଯ୍ୟ ଦେଖିଥିଲେ । ସେ ରାଜ୍ୟ କଳାକାରମାନଙ୍କ ପ୍ରତିଭାକୁ ବିଶେଷ ଭାବେ ପ୍ରଶଂସା କରିଥିଲେ । ଓଡିଶା ଷ୍ଟଲ ଠାରେ ଉପସ୍ଥିତ ପ୍ରତିନିଧିମାନେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇଥିଲେ ।
ମୋଦି ଏହି ମେଳାକୁ ଆସିବା ମାତ୍ରେ ସେଠାରେ ତାଙ୍କୁ ପାରମ୍ପରିକ ରୀତିରେ ସ୍ୱାଗତ କରାଯାଇଥିଲା । ଅନେକ କଳାକାର ମୋଦିଙ୍କୁ ନିଜ ନିଜ କାରୁକାର୍ଯ୍ୟ ନେଇ ବିବରଣୀ ଦେଇଥିଲେ । ମୋଦି ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ କଳାକାରମାନଙ୍କ ସହ ବିତାଇଥିଲେ । ସେଠାରେ ସେ ମଧ୍ୟ ସେମାନଙ୍କ ସହ ବିହାରର ‘ଲିଟି ଚୋଖା’ ସମେତ ସୁସ୍ୱାଦୁ ଖାଦ୍ୟ ସେବନ କରିଥିଲେ । ସେ ମଧ୍ୟ ସେମାନଙ୍କ ସହ ମାଟି ପାତ୍ରରେ ଚା’ ପିଇଥିଲେ ।
Comments are closed, but trackbacks and pingbacks are open.