ଓପିଏସସି ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କଲେ ସତ୍ୟଜିତ୍ ମହାନ୍ତି

Get real time updates directly on you device, subscribe now.

କଟକ,(ବି.ବି.ବୁ୍ୟରୋ): ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍ସି)ର ଅଧ୍ୟକ୍ଷ ଭାବେ ଅବସରପ୍ରାପ୍ତ ଆଇପିଏସ୍ ଅଫିସର ଡ. ସତ୍ୟଜିତ୍ ମହାନ୍ତି ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । କଟକସ୍ଥିତ ଲୋକସେବା ଆୟୋଗ କାର୍ଯ୍ୟାଳୟରେ ଡ. ମହାନ୍ତି ଆଜି ପୂର୍ବାହ୍ନରେ ପହଞ୍ଚି ଅନ୍ୟ ସଦସ୍ୟମାନଙ୍କ ଉପସ୍ଥିତିିରେ ଦାୟିତ୍ୱ ନେଇଛନ୍ତି । ଏହି ଅବସରରେ ଓପିଏସ୍ସି ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନବ ନିଯୁକ୍ତ ଅଧ୍ୟକ୍ଷଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା । ଏଥିସହିତ ଓପିଏସ୍ସିର ସଦସ୍ୟ ଏବଂ ଅନ୍ୟ ଉପରିସ୍ଥ ଅଧିକାରୀମାନେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।
ଦାୟିତ୍ୱ ନେବା ଅବସରରେ ଡ. ମହାନ୍ତି କହିଛନ୍ତି, ଓପିଏସ୍ସି ଏକ ସାମ୍ବିଧାନିକ ବ୍ୟବସ୍ଥା । ଏଥିରେ ବହୁ ଅଭିଜ୍ଞ ଅଧିକାରୀ, ଶିକ୍ଷାବିତ୍ମାନେ ସଦସ୍ୟ ରହିଛନ୍ତି । ସମସ୍ତଙ୍କ ସହଯୋଗ ନେଇ ନିଜ ଦାୟିତ୍ୱକୁ ସୂଚାରୁରୂପେ ତୁଲାଇବାକୁ ମୁଁ ପ୍ରାଥମିକତା ଦେବି ବୋଲି ଡ. ମହାନ୍ତି କହିଛନ୍ତି । ଅନ୍ୟପକ୍ଷରେ ଉଚ୍ଚତର ଶିକ୍ଷା, ଚିକିତ୍ସା ବ୍ୟବସ୍ଥାରେ ଗୁଣାତ୍ମକ ମାନ ବୃଦ୍ଧି ପାଇଁ ରାଜ୍ୟ ସରକାର ଅଧିକ ଅଧ୍ୟାପକ ପଦବି ଏବଂ ନୂଆ ଡାକ୍ତର ପଦବି ସୃଷ୍ଟି ପାଇଁ ନିଷ୍ପତ୍ତି ନେଇଛନ୍ତି । ଉକ୍ତ ପଦବିରେ ନିଯୁକ୍ତି ଲାଗି ଓପିଏସ୍ସି ଦ୍ୱାରା ହେବାକୁ ଥିବା ଏହିସବୁ ପରୀକ୍ଷା ପ୍ରତି ସ୍ୱତନ୍ତ୍ର ନଜର ରହିବା ସହ ଏ ଦିଗରେ ତ୍ୱରିତ ପଦକ୍ଷେପ ନିଆଯିବ ବୋଲି ଡ. ମହାନ୍ତି କହିଛନ୍ତି । ସେହିପରି ଆଗାମୀ ଦିନରେ ଓପିଏସ୍ ଦ୍ୱାରା ପରିଚାଳିତ ପରୀକ୍ଷାଗୁଡ଼ିକ ନିୟମିତ ବ୍ୟବଧାନରେ କରାଇବା ସହ ଇଣ୍ଟରଭୁ୍ୟ ବ୍ୟବସ୍ଥାରେ ସ୍ୱଚ୍ଛତା ବଜାୟ ରଖିବା ଏବଂ ଲୋକସେବାରେ ନିଯୁକ୍ତି କ୍ଷେତ୍ରରେ କିପରି ମେଧାବୀ ପ୍ରାର୍ଥୀମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇପାରିବ ସେ ଦିଗରେ ପ୍ରାଧାନ୍ୟ ଦିଆଯିବ ବୋଲି କହିଛନ୍ତି । ଲୋକ ସେବା ଆୟୋଗ ଚାକିରି ଆଶାୟୀଙ୍କ କିପରି ଅଧିକ ବିଶ୍ୱାସଭାଜନ ହୋଇପାରିବ ସେଥିପ୍ରତି ମଧ୍ୟ ଧ୍ୟାନ ଦିଆଯିବ ବୋଲି ନବ ନିଯୁକ୍ତ ଅଧ୍ୟକ୍ଷ ଡ. ମହାନ୍ତି କହିଛନ୍ତି । ଆଜି ଓପିଏସ୍ସି କାର୍ଯ୍ୟାଳୟ ପରିସରରେ ଡ. ମହାନ୍ତି ଦାୟିତ୍ୱ ନେବା ସମୟରେ ଅବସରପ୍ରାପ୍ତ ଆଇଏସ୍ ଅଫିସର ବିଭୁତି ପ;ନାୟକ, ପ୍ରଫେସର ସୁଧାଂଶୁ ରଥ, ଅବସରପ୍ରାପ୍ତ ଆଇଏଏସ୍ ନିରଞ୍ଜନ ସାହୁ ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ, ଭାରତୀୟ ପୁଲିସ୍ ସେବା ଚାକିରିରୁ ଗତକାଲି ସ୍ୱେଚ୍ଛାକୃତ ଭାବେ ଡ. ମହାନ୍ତି ଅବସର ନେଇଥିଲେ । ୧୯୮୮ ବ୍ୟାଚ୍ର ଆଇପିଏସ୍ ଅଫିସର ଡ. ମହାନ୍ତି ରାଜ୍ୟ ସରକାରଙ୍କ ପୁଲିସ୍ ବାହିନୀରେ ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱକୁ ସଠିକ୍ ଭାବେ ନିର୍ବାହ କରି ଚାକିରି କାଳରେ ଚର୍ଚ୍ଚାରେ ରହିଥିଲେ । ଅଗ୍ନିଶମ, ଗୃହ ରକ୍ଷୀ ଏବଂ ବେସାମରିକ ବାହିନୀ ଡିଜି ପଦବିରୁ ଗତକାଲି ସେ ଅବସର ନେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons