ପୁରୁଷୋତ୍ତମପୁର, (ବି.ବି.ନୁ୍ୟଜ୍): ପୁରୁଷୋତ୍ତମପୁର- ବ୍ରହ୍ମପୁର ରାଜ୍ୟ ରାଜପଥରେ ତାରାତାରିଣୀ ଛକ ନିକଟସ୍ଥ ପେଟ୍ରୋଲ୍ ପମ୍ପ୍ ସମ୍ମୁଖରେ ଶନିବାର ମଧ୍ୟାହ୍ନରେ ଘଟିଛି ଦୁର୍ଘଟଣା । ଏକ ଘରୋଇ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୩୦ରୁ ଊଦ୍ଧ୍ୱର୍ ଯାତ୍ରୀ ଆହତ ହୋଇଛନ୍ତି । ଗୁରୁତର ୮ ଯାତ୍ରୀଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ପୁଲିସ ସୂତ୍ରରୁ ଖବର ମିଳିଛି । ସେମାନଙ୍କ ମଧ୍ୟରେ ଜଣେ ଶିଶୁ, ୩ ନାବାଳିକା ଓ ୨ ବୃଦ୍ଧ ରହିଛନ୍ତି । ଅନ୍ୟ ୨୨ ଜଣ ସାମାନ୍ୟ ଆହତ ଯାତ୍ରୀଙ୍କୁ ପୁରୁଷୋତ୍ତମପୁର ଓ ଭାଟକୁମରଡ଼ା ଡାକ୍ତରଖାନାରେ ଚିକିତ୍ସା କରାଯାଇ ଥିଲା ।
ଯାତ୍ରୀବାହୀ ଘରୋଇ ବସ୍ କାମାକ୍ଷୀ (ଓଆର୍୦୭ୟୁ-୧୩୫୫) ପୂର୍ବାହ୍ନ ୧୧ଟା ୪୫ରେ ପୁରୁଷୋତ୍ତମ ଠାରୁ ବ୍ରହ୍ମପୁର ଅଭିମୁଖେ ବାହାରିଥିଲା । ପେଟ୍ରୋଲ୍ ପମ୍ପ୍ ନିକଟରେ ଜଣେ ବାଇକ୍ ଆରୋହୀଙ୍କୁ ରକ୍ଷା କରିବାକୁ ଯାଇ ରାସ୍ତାପାଶ୍ୱର୍ ଏକ ବିଦୁ୍ୟତ୍ ଖୁଣ୍ଟରେ ପିଟି ହୋଇ ଓଲଟି ଯାଇଥିବା କହିଛନ୍ତି କେତେକ ପ୍ରତ୍ୟକ୍ଷଦର୍ଶୀ । ପୁରୁଷୋତ୍ତମପୁର ଥାନା ଅଧିକାରୀ ଜଗନ୍ନାଥ ମଲିକ ସଦଳବଳେ ପହଞ୍ଚି ଦମକଳ ବାହିନୀ ସହାୟତାରେ ଆହତ ଯାତ୍ରୀଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । ସାମାନ୍ୟ ଆହତ ଯାତ୍ରୀମାନେ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି । ଦୁର୍ଘଟଣାଗ୍ରସ୍ତ ବସ୍ ରାସ୍ତାକଡ଼ରେ ପଡ଼ି ରହିଛି । ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର ହୋଇଥିବା ଯାତ୍ରୀଙ୍କ ମଧ୍ୟରେ ବର୍ଷା ଗୌଡ଼ (୧୨), ମୋନାଲିସା ଦାସ (୧୬), ବଂଶୀ ଦାସ (୬୦), ପ୍ରିୟଙ୍କା ସେଠୀ (୨୩), ପ୍ରଜ୍ଞା ସେଠୀ (୩), ଶିବାନୀ ଗୌଡ଼ (୧୬), ବିଶ୍ୱନାଥ ଡାକୁଆ (୪୦), ବିପ୍ର ସେଠୀ (୬୦) ରହିଛନ୍ତି । ଅନ୍ୟ ଆହତଙ୍କ ମଧ୍ୟରେ ସରିତା ସେଠୀ (୬), ସନ୍ତୋଷିନୀ ଦାଶ (୨୦), ଲିଲି ପଲେଇ (୩୦), ଆସୁ ଦାଶ (୩୦), ରୁମାନି ନାୟକ (୪), ବାସନ୍ତୀ ନାୟକ (୪), ମହେନ୍ଦ୍ର ନାୟକ (୧୬), ଲକ୍ଷ୍ମୀ ବେହେରା (୫୦), ତ୍ରିଫୁଳା ଦାଶ(୬), ସୁନିତା ସେଠୀ, ଲକ୍ଷ୍ମୀ ବେହେରା, ପ୍ରିୟ ସେଠୀ ପ୍ରମୁଖ ରହିଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି । ପୁଲିସ୍ ତଦନ୍ତ ଆରମ୍ଭ କରିଥିବା ବେଳେ ଡ୍ରାଇଭର୍ ଫେରାର ରହିଥିବା ପୁଲିସ କହିଛି ।
Comments are closed, but trackbacks and pingbacks are open.