ଓଡ଼ିଆଙ୍କ କଲ୍ୟାଣ ପାଇଁ ବିଜେପିକୁ ଆହୁରି ସୁଦୃଢ଼ କରିବାକୁ ହେବ:ଧର୍ମେନ୍ଦ୍ର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ବିଜେପିକୁ ତୃଣମୂଳସ୍ତରରେ ଅଧିକ ବଳୁଆ କରିବାକୁ ହେବ । ଏଥିପାଇଁ ବିଜେପି ସହ ସବୁବର୍ଗର ଲୋକଙ୍କୁ ଯୋଡ଼ିବାକୁ ଦଳୀୟ କର୍ମକର୍ତ୍ତାଙ୍କୁ ଆହ୍ୱାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାରେ ବିଜେପି ବଡ଼ ରାଜନୈତିକ ଶକ୍ତି ଭାବେ ଠିଆ ହୋଇଛି । ସାଢ଼େ ୪ କୋଟି ଓଡ଼ିଆଙ୍କ କଲ୍ୟାଣ ପାଇଁ ବିଜେପିକୁ ଆହୁରି ଦୃଢ଼ କରିବାକୁ ହେବ । ଦଳୀୟ କାର୍ଯ୍ୟକର୍ତ୍ତା ଏଥିପ୍ରତି ଯତ୍ନବାନ ହେବାକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି ।
ସାମାଜିକ ଗଣମାଧ୍ୟମରେ ଆହ୍ୱାନ ଦେଇ ଧର୍ମେନ୍ଦ୍ର କହିଛନ୍ତି, ଜୁଲାଇ ୬ ରୁ ଆରମ୍ଭ ହୋଇଥିବା ବିଜେପି ସଦସ୍ୟତା ଅଭିଯାନର ନେତୃତ୍ୱ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ସଭାପତି ଅମିତ୍ ଶାହ ଏବଂ ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡା ନେଉଛନ୍ତି । ଆସନ୍ତା ଅଗଷ୍ଟ ୧୧ ଯାଏ ଚାଲିବାକୁ ଥିବା ଏହି ଅଭିଯାନର ଲକ୍ଷ୍ୟ ବିଜେପିକୁ ତୃଣମୂଳସ୍ତରରେ ମଜବୁତ କରିବା । ପୂର୍ବରୁ ଦଳରେ ସାମିଲ ହୋଇଥିବା ଏବଂ ନୂଆକରି ଦଳରେ ଯୋଗଦେଇଥିବା ଲୋକମାନେ ଏଥିପ୍ରତି ଅଗ୍ରାଧିକାର ଦେବା ଦରକାର ।
ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ବୁଥସ୍ତରରେ ସଦସ୍ୟତା କରିବା ସହ ପଞ୍ଚବଟି ନିର୍ମାଣ ପାଇଁ ଆହ୍ୱାନ ଦେଇଛନ୍ତି । ସଦସ୍ୟମାନେ ୫ଟି ଔଷଧୀୟ ଗୁଣଯୁକ୍ତ ଗଛ କିମ୍ବା ଉପକାରୀ ଗଛ ଲଗାଇବାକୁ ଦଳୀୟ କର୍ମକର୍ତ୍ତାଙ୍କୁ ଆହ୍ୱାନ ଦେଇଛନ୍ତି । ଏହା ମାଧ୍ୟମରେ ରାଜନୈତିକ ସଂଗଠନ ସହ ସାମାଜିକ ଆନ୍ଦୋଳନ ମଧ୍ୟ ତିଆରି ହେବ । ମୋଦିଙ୍କ ସୁଶାସନକୁ ଗୁଥ୍, ଗାଁ ଗଣ୍ଡା ଓ ପଞ୍ଚାୟତସ୍ତରରେ ପହଞ୍ଚାଇବାକୁ ହେଲେ ଦଳୀୟ ସଂଗଠନର ଦୃଢ଼ୀକରଣର ଆବଶ୍ୟକତା ଅଛି । ସଦସ୍ୟତା ଅଭିଯାନର ଧାର୍ଯ୍ୟ ସମୟ ସୀମା ମଧ୍ୟରେ ଦଳୀୟ କର୍ମକର୍ତ୍ତାମାନେ ଓଡ଼ିଶାର ୩୮ ହଜାର ବୁଥକୁ ଯାଇ ସଭ୍ୟ ସଂଗ୍ରହ କରିବା ସହ ମିସ କଲ, ଫର୍ମ ପୂରଣ ମାଧ୍ୟମରେ ଯୁବ, ମହିଳା, ଚାଷୀ, ପଛୁଆ ବର୍ଗ, ଦଳିତ, ଆଦିବାସୀ, ଶିକ୍ଷକ, ବୁଦ୍ଧିଜୀବୀ, ଲେଖକ, କଳାକାର, ବରିଷ୍ଠ ଓ ନୂଆପିଢ଼ୀର ଲୋକମାନଙ୍କୁ ଓଡ଼ିଆ ସମାଜ ସହ ଯୋଡ଼ିବାର ଗୋଟିଏ ଅପୂର୍ବ ସୁଯୋଗ ମିଳିଛି ।
ଦଳୀୟ କର୍ମକର୍ତ୍ତାଙ୍କୁ ଆହ୍ୱାନ ଦେଇ ଧର୍ମେନ୍ଦ୍ର କହିଛନ୍ତି, ବୁଥସ୍ତରରେ କର୍ମକର୍ତ୍ତାମାନେ ନିଜ ଅଞ୍ଚଳରେ ବୁଥକୁ ମଜବୁତ କରନ୍ତୁ । ଚଳିତ ନିର୍ବାଚନରେ ବିଜେପିକୁ ମିଳିଥିବା ଭୋଟ ତୁଳନାରେ ଆଗାମୀ ଦିନରେ କିଭଳି ଭୋଟ ସଂଖ୍ୟା ବୃଦ୍ଧି ହେବ, କେଉଁ ବର୍ଗର ଲୋକଙ୍କୁ ଯୋଡ଼ିଲେ ବୁଥ୍ରେ ଭୋଟସଂଖ୍ୟା ବଢ଼ିବ ତାକୁ ଦୃଷ୍ଟିରେ ରଖି ସଦସ୍ୟତା ଅଭିଯାନକୁ ଆଗେଇ ନିଅନ୍ତୁ । ମୋବାଇଲରୁ ୮୯୮୦୮୦୮୦୮୦ ନମ୍ବରରେ ମିସ୍ କଲ ବିଜେପି ସହ ଯୋଡ଼ି ହେବାକୁ ଶ୍ରୀ ପ୍ରଧାନ ଆହ୍ୱାନ ଦେବା ସହ ନୂଆ ଭାରତ ଓ ନୂଆ ଓଡ଼ିଶା ଗଠନ ପାଇଁ ପରିଶ୍ରମ କରିବାକୁ ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons